Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ନଅ" ଗଡ଼ , "#ଛ" ପଦା ,"#ତିନି" କୂଅ

 


 ଜାଣିଛୁ ଯଦି ତୁ  #କେରଡ଼ା ପୁଅ


କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀ ର କେରଡ଼ାଗଡ଼ ଓଡିଶା ଐତିହ ମାନଚିତ୍ର ରେ ଏକ ସ୍ୱତନ୍ତ୍ର ସ୍ଥାନ ବହନ କରେ । ପୂର୍ବ ତଟରେ ଥିବା ବଙ୍ଗୋପସାଗର ରାଜନଗର  ତଥା  କେରଡ଼ା ଅଞ୍ଚଳ ର ପବିତ୍ର ପାବନ ଭୂମିକୁ ତାର ନୀଳ ଲହରୀ ର ସ୍ପର୍ଶରେ ଧୌତ କରିଚାଲିଛି ଅନବରତ । ଅତୀତ ପୃଷ୍ଠାରେ ଏହି ପବିତ୍ର ମାଟି ନାମାଚାର୍ଯ୍ୟ ବାୟାବାବା, ମହିମା ଧର୍ମାବଲମ୍ବୀ କ୍ଷେତ୍ରବାସୀ ବାବା, ପର୍ଶୁରାମ ପରମହଂସ ଙ୍କ ଭଳି ଅନେକ ସିଦ୍ଧ ସାଧକ ଙ୍କ ଜନ୍ମସ୍ଥଳୀ ଭାବେ ଏକ ସ୍ୱତନ୍ତ୍ର ସାକ୍ଷର ବହନ କରେ । 

ଏହା ବ୍ୟତୀତ ରାଜନ ଗର ଅଞ୍ଚଳରେ ଅନେକ ଦେବଦେବୀ ମାନଙ୍କ ପ୍ରତିଷ୍ଠା ଅଗଣିତ ଜନତାଙ୍କ ମନରେ ଧାର୍ମିକ ଭାବନା ଜାଗ୍ରତ କରାଏ। ତନ୍ମଧ୍ୟରୁ ରିଘାଗଡ଼ ର ଶ୍ରୀ ବଳଦେବଜୀଉ, ପେଣ୍ଠ ସମୁଦ୍ରକୁ ଲାଗି ଶ୍ରୀ ବନବିହାରୀ ଜୀଉ, ରାଜନଗର ର ଶ୍ରୀ ଦଧିବାମନ ଜୀଉ,ଶକ୍ତିପୀଠ ଭାବେ ସାତଭାୟା ର ମା ପଞ୍ଚୁବରାହୀ, ବାରଗାଁ ର ମା ମାଟିଆ ମଙ୍ଗଳା ଓ କେରଡାଗଡର ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ରାଜନଗର ଦସ୍ତାବିଜ ର ଏକ ମୁଖ୍ୟଆକର୍ଷଣ । 

ତାସହିତ ନଦୀ, ନାଳ, ଜଙ୍ଗଲ ରେ ଭରା ଏହି ଅଞ୍ଚଳ ଗୁଡିକ ରାଜନଗର ର  ସୌନ୍ଦର୍ଯ୍ୟ କୁ ଦ୍ବିଗୁଣିତ କରାଇଥାଏ । 

ଏହି ସବୁ ସୌନ୍ଦର୍ଯ୍ୟତା ମଧ୍ୟରୁ ଯଦି ଆମେ ଆଲୋଚନା କରିବା ସେହି ପୁଣ୍ୟମୟୀ କେରଡ଼ା  ର ଶ୍ରୀଜଗନ୍ନାଥ ମନ୍ଦିର ଯାହାକି ସମଗ୍ର ଉତ୍କଳ ଭୂଇଁ ର ଜଗନ୍ନାଥ ସଂସ୍କୃତି ପୃଷ୍ଠା ରେ ଏକ ସ୍ୱତନ୍ତ୍ର ପୃଷ୍ଠା ଭାବେ ପରିଗଣିତ ହୁଏ । ତାହେଲେ ଅତୀତ କହେ ଯେତେବେଳେ ତତକାଳୀନ ରାଜା ସାହେବ କନିକା ଙ୍କ ଦ୍ଵାରା ଏହି କେରଡ଼ା ଅଂଚଳ ଶାସିତ ହେଉଥିଲା । ସେହି ଦିନ ଠାରୁ ଏହି ମନ୍ଦିର ଟି ଶୋଭା ପାଇ ଆସୁଛି କେରଡ଼ା ମାଟିରେ ।ଜନଶ୍ରୁତି ଅନୁସାରେ ଅବିଭକ୍ତ ପଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଖାରୁଣୀ ଗ୍ରାମରୁ ଏକ ଅଲୌକିକ ଘଟଣା କୁ ଆଧାର କରି ଶ୍ରୀ ଜଗନ୍ନାଥ ଙ୍କର ବିଗ୍ରହ ଅଣାଯାଇ କେରଡ଼ାଗଡ଼ ଠାରେ ପ୍ରତିଷ୍ଠା କରାଯାଇଥିଲା । 

ସେହି ସମୟରେ ତତ କାଳୀନ କନିକା ରାଜା ବିଭିନ୍ନ ସ୍ଥାନରେ ଶୃଙ୍ଖଳିତ ଶାସନ ପାଇଁ ନଅ ଗୋଟି ଗଡ଼ ପ୍ରତିଷ୍ଠା କରିଥିଲେ । ଯଥା କେରଡ଼ାଗଡ଼, ବାହାରଗଡ଼, ଭିତରଗଡ଼, ନରଣଗଡ଼, ଧୋବେଇଗଡ଼, ଚମ୍ପାଗଡ଼, ନଗଡ଼, ରିଘାଗଡ଼, କନିକାଗଡ଼ । ତା ସହିତ ଯୋଡ଼ିଦେଇଥିଲେ ଛଅ ଗୋଟି ପଦା ଯଥା ସୁଳିଆ ପଦା, ବାଲିପଦା, ଛତ୍ରପଦା, ଦଶହରାପଦା, ଟଣେଇପଦା ଓ ତରପଦା ।

ରାଜା ସାହେବ ଙ୍କ ର ସୃଷ୍ଟି  ସେହି ନଅଟି ଗଡ଼ ମାନଙ୍କ ମଧ୍ୟରୁ କେରଡ଼ାଗଡ଼ ର ସ୍ଥାନ ସ୍ୱତନ୍ତ୍ର ଓ ଭିନ୍ନ । ଏଠାରେ ପୂଜା ପାଉଥିବା ପ୍ରଭୁ ଜଗନ୍ନାଥ ଙ୍କର ଭୀମମୂର୍ତ୍ତି ବିଗ୍ରହ ଭକ୍ତମାନଙ୍କୁ ଧାର୍ମିକ ଭାବନା ରେ ବାନ୍ଧି ରଖେ । ମନ୍ଦିର ଟିର କାରୁକାର୍ଯ୍ୟ, ପ୍ରସସ୍ଥ ବେଢା, କଡ଼ିକିଆ ପୋଖରୀ, ନଅ ବଖରା ଡିହ, ବାଡ଼ି ବଗିଚା ,ବଡଦାଣ୍ଡ, ସ୍ନାନ ମଣ୍ଡପ, କୋଇଲି ବୈକୁଣ୍ଠ,ମନ୍ଦିର ଚାରିପଟେ ଘେରା ବୃକ୍ଷରାଜି ,ସୁଉଚ୍ଚ ପ୍ରାଚୀର, ସୁଦୀର୍ଘ ସିଂହଦ୍ୱାର, ବିରାଟ ରୋଷ ଶାଳା, ଗୋଶାଳା, ଫଳ ପୁଷ୍ପ ର ନାନାଦି ବୃକ୍ଷଲତା ରେ ପରିପୂର୍ଣ ଆଦି ମନଛୁଆଁ ପରିବେଶ ଭକ୍ତ ମାନଙ୍କୁ ଆକର୍ଷିତ କରିଥାଏ ।,ଅଦ୍ଭୁତ ଢଙ୍ଗରେ ଲାଗି ଲାଗି ତିଆରି ହୋଇଥିବା ତିନିକୁଅ ଯାହାକି ସମଗ୍ର ବିଶ୍ୱରେ ବିରଳ କେବଳ କେରଡ଼ାଗଡ଼ ରେ ହିଁ ଦେଖିବାକୁ ମିଳିଥାଏ। ଆଶ୍ଚର୍ଯ୍ୟ ର କଥା ପ୍ରତ୍ୟକ ଦିନ ମହାପ୍ରଭୁ ଜଗନ୍ନାଥ ଙ୍କର ମଙ୍ଗଳ ଆଳତି ସେବା ଠାରୁ ଆରମ୍ଭ କରି ରାତ୍ରିର ଖଟ ସେଜ ଲାଗି ପର୍ଯ୍ୟନ୍ତ ସବୁକିଛି ଚିରାଚରିତ ରୀତିନୀତି ଓ ପଞ୍ଜିକା ଅନୁସାରେ ଶ୍ରୀକ୍ଷେତ୍ର ର ଶ୍ରୀମନ୍ଦିର ସମ ସମ୍ପର୍ଣ୍ଣ ହୋଇଥାଏ । ପ୍ରଭୁ ଜଗନ୍ନାଥ ଙ୍କର ଘୋଷଯାତ୍ରା ଓ ବାହୁଡା଼ ଯାତ୍ରା ରେ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ଏହି ପବିତ୍ର ପୀଠ ର ସୌନ୍ଦର୍ଯ୍ୟ ଆହୁରି ବଢ଼ାଇଥାଏ । ଯାହାକୁ ନେଇ କେରଡ଼ା ଅଂଚଳ ବାସୀ ବେଶ ଗର୍ବ ଅନୁଭବ କରନ୍ତି । ଏହାହିଁ କେରଡ଼ା ମାଟିର ବୈଶିଷ୍ଠ  ଓ ବିଶେଷତ୍ୱ ।

କେରଡ଼ାଗଡ଼ର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାରୁ ପ୍ରାୟ ଚାଳିଶ କିଲୋମିଟର ଦୂରରେ ଅବସ୍ଥିତ ।ସାଧାରଣ ଭାବେ କେନ୍ଦ୍ରାପଡା ରୁ ଭାୟା ପଟାମୁଣ୍ଡାଇ ଦେଇ ରାଜନଗର ଗଲେ ଗୋପାଳପୁର ବୋଲି ଏକ ବଜାର ପଡେ ,ସେହିଠାରୁ ଓହ୍ଲାଇ ପାଞ୍ଚ କିଲୋମିଟର ବାମ ପାର୍ଶ୍ୱ କୁ ବ୍ରାହ୍ମଣୀ ନଦୀର ଧାରେ ଧାରେ ଗଲେ କେରଡ଼ା ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ଙ୍କର ମନ୍ଦିର ଦର୍ଶନ ର ସୌଭାଗ୍ୟ ମିଳିଥାଏ ।

ସେଇଥିପାଇଁ ଲୋକ ମୁଖରେ ପ୍ରଚଳିତ କେରଡ଼ା ମାଟିର ପରିଚୟ ଦେବାକୁ କୁହାଯାଇଅଛି ଯେ :

" ନଅ" ଗଡ଼ , "ଛ" ପଦା ,"ତିନି" କୂଅ

   ଜାଣିଛୁ ଯଦି ତୁ କେରଡ଼ା ପୁଅ


ଲେଖକ

ମାନସ ଦାସ

ଧାନଦିଆ,ରାଜନଗର

କେରଡ଼ା ଗଡ଼

Post a Comment

0 Comments