__________* ପ୍ରଦୀପ ନାୟକ
ସ୍ଥାନ ଭିନ୍ନତାରେ ମଣିଷ ଯିଏ ଯେଉଁଠି ଜନ୍ମ ନେଇଥାଉନା କାହିଁକି , ଗାଆଁକୁ ମାଆ କହିହୁଏ । ସହରକୁ କେହି ମାଆ କହିବା ଶୁଣାଯାଏ ନାହିଁ । ବୋଧହୁଏ ମାଆ ଶବ୍ଦ ଉଚ୍ଚାରଣ ପାଇଁ ଯେତିକି ମମତାବୋଧର ଲୋଡା ପଡୁଥାଏ ତାହା ସହର ଅପେକ୍ଷା ଗାଆଁ ଶବ୍ଦରେ ଅଧିକ ମିଳିଥାଏ । ପୁଣି ଗାଆଁ ପାଇଁ ମାନସପଟରେ ସ୍ଥାୟୀ ଭାବରେ ଚିତ୍ରଟିଏ ରହିଅଛି । ଚାଳ ଛପର ଧାଡିଧାଡି ଘର ଥିବ, ପିଢାରେ ଲାଉ,କଖାରୁର ଲଟା । ଧୂଳି ଦାଣ୍ଡ ଥିବ, ପିଲାଙ୍କ ବାଗୁଡ଼ି ଖେଳ ସାଙ୍ଗକୁ କଅଁଳା ବାଛୁରୀର ଦଉଡ ଦି'ଭାଗ କରୁଥିବ ଦାଣ୍ଡକୁ । ଗାଆଁ ମୁଣ୍ଡ ସାହାଡ଼ା,ନିମ୍ବ ଗଛ ମୂଳେ ଆସ୍ଥାନ ଜମେଇ ବସିଥିବେ ଗୋଗୁଳ,ହଳଦୀ, ସିନ୍ଦୂରମୁହିଁ ଗ୍ରାମଦେବତୀ । ଗାଆଁ ଚାରିକଡେ ଶ୍ୟାମଳ କେଦାର ଥିବ,ଖଳା ବାଡିରେ ଧାଡ଼ି ଧାଡ଼ି ଦେଉଳିଆ ଧାନଗଦା । ପାଖରେ ଲାଜେଇ ସରୁ ନାଳଟିଏ ବହିଯାଉଥିବ । ଖୁଣ୍ଟରୁ ଫିଟା ଗୋଧନ ଚାଲିଥିବେ ସବୁଜ ପ୍ରାନ୍ତର ଆଡେ,ପଛେପଛେ ଗାଈଆଳ ଟୋକା ନାନାବାୟା ଗୀତ ମେଲି ଦେଇଥିବ । ବିଲୁଆ ପବନରେ ଲହରଉ ଥିବ ବଂଶୀସ୍ବନ । ଗଡିଆରେ ଫୁଟିଥିବ କଇଁ । ଗହଳିଆ ଆମ୍ବତୋଟା ତଳେ ଖରାବେଳେ ଜମୁଥିବ ତାସ,ପାଲି ଆଉ ପିଲାଙ୍କ ଡାଳମାଙ୍କୁଡି ଖେଳ । ଏମିତି ଏମିତି କେତେକଥା ,କେତେ ଦୃଶ୍ୟର ସମନ୍ଵିତ ରୂପ ଗାଆଁ । ସତରେ ଏସବୁ ନୈସର୍ଗିକ ସୁନ୍ଦରପଣ ଏକତରଫା ଭାବେ ଗାଆଁର ପଣତତଳେ ହିଁ ରହିଥାଏ ।
ପୁନଶ୍ଚ , ଗାଆଁ କେବଳ ମାଆ ନୁହଁ, ସୁନ୍ଦର ବି । ଏ ସୁନ୍ଦରତା କେବଳ ଯେ ବାହ୍ୟ ସବୁଜିମାରେ କି ଚିତ୍ରରେ ଥାଏ ତା' ନୁହଁ, ଗାଆଁର ସାମଗ୍ରିକ ଚରିତ୍ରର ଅଭ୍ୟନ୍ତରରେ ଥାଏ ବିମଳ,ନିର୍ମଳ ଓ ଛଳହୀନ ସରଳତା । ସେଇ ସରଳତାର ପକ୍ଷ ନେଇ ଠିଆ ହୋଇଥାଏ ନିପଟ ଗାଉଁଲି ଅଳ୍ପପାଠୁଆ ମଣିଷଟିଏ । ଯାହାର ହୃଦୟରେ ଥାଏ ଗ୍ରାମବୋଧ ଓ ଆଧୁନିକ ସଭ୍ୟତାର ନିର୍ବୋଧତା । ଗାଆଁର ଜଟିଳତାରେ ଥାଏ ନିରୀହ ନିଅଣ୍ଟପଣ । ସବୁ ଜଟିଳତା,ନିଅଣ୍ଟପଣ ଉପରେ ଥାଏ ଶୁଦ୍ଧ ସମ୍ପର୍କର ଛାଉଣିର ଛାଇ । ସବୁ ଅସମ୍ପର୍କ,ଅନୀତିକୁ ସଅଁ କରିବାକୁ ଥାଆନ୍ତି ମୁରଵି ,ଥାଏ ମାନତି । ପଞ୍ଚପରମେଶ୍ବରଙ୍କ ଅନୁଶାସନ । ଗାଆଁ ପଞ୍ଚାୟତକୁ ଟପି କଳି ତକରାଳର କାୟା ଯାଇପାରେନା ମାଲିମକଦ୍ଦମା ଯାଏ ।
ଗାଆଁର ଆତ୍ମାରେ ବିରାଜମାନ ସ୍ନେହ, ଶ୍ରଦ୍ଧା,ଆପଣାପଣ ।ତା' ସହ ଦାଦା ଖୁଡୀ,ପିଉସା ପିଉସୀ,ମ ଉସା ମାଉସୀ, ଅଜା ଆଈ,ନାନୀ ଦେଇ ସମେତ ଭାଇ ବତିଶା,ଏମିତିକି କୁଳ, ବଂଶର ସମ୍ପର୍କରେ ପରସ୍ପରର ବନ୍ଧନ ।ବିନା କୋୖଣସି ସମ୍ପର୍କରେ ବି ଜଣେ ଅନ୍ୟ ଜଣକୁ ସାହାଯ୍ୟ କରିବାକୁ ହାତ ବଢେଇଦିଏ ।ଆଦେଶ ,ଉପଦେଶ ଦେଇ ଆକଟ ବି କରିପାରେ । କାହା ଘରକୁ କୁଣିଆ ଆସିଲେ ପଡିଶାଘର ତୁଅଣରେ କୁଣିଆ ଥାଳି ଚାରିପାଖେ ଲାଗେ ତାଟିଆର ଗହଳି । କାହା ଘରେ ଆଜି ରନ୍ଧା ପାଇଁ ଚାଉଳ ନାହିଁ ତ ,ଚୁଲୀରେ ପାଣିହାଣ୍ଡି ବସେଇ ଚାଉଳ ସେରେ,କୁଞ୍ଚାଏ ଉଧାର ପାଇଁ ଭରସାରେ ଯାଇହୁଏ ପଡିଶାଘରକୁ। ଗାଆଁର ପୁଅ କେହି ବିଦେଶରୁ ଫେରିଲେ ଦାଣ୍ଡେ ଦାଣ୍ଡେ ଦଶ ପ୍ରଣାମୀ ନପକେଇ ଘରକୁ ଯାଇପାରେନା । ବିଦେଶରୁ ଆଣିଥିବା ଖଜୁରିକୋଳି,କାଶ୍ମୀରକୋଳି,ଲଡୁ କି ବର୍ଫି ବଣ୍ଟାହୁଏ ପାଖ ପଡ଼ିଶାରେ ।ବୋହୂ ଭାରନେଇ ଆସିଚି ତ ପାଞ୍ଚ ପଡିଶା,ଭାଇ ବତିଶା ପହଞ୍ଚି ଯାଆନ୍ତି ଦେଖିବାକୁ ବାପଘରୁ ବୋହୂ କ'ଣ ଆଣିଚି । ଛୋଟ ପିଲାଙ୍କ ହାତରେ ଥାଳି ଦେଇ ପଡିଶା ଘରେଘରେ ଦିଆହୁଏ,ମିଠେଇ ଚେନାଏ,ଗଜା ଖଣ୍ଡେ,ଖୁଡୁମା ପୁଞ୍ଜାଏ ସାଙ୍ଗକୁ ଉଖୁଡା ମୁଠାଏ ।
ଗାଆଁ ଦାଣ୍ଡରେ ଘଣ୍ଟବାଜିଲେ,ସଞ୍ଜବେଳକୁ ବିଛା ହୁଏ ହେଁସ,ଥୁଆହୁଏ ଲଣ୍ଠନ । ପାଞ୍ଚ ମୁରବୀ ବସିଗଲେ ସବୁ ଦ୍ବନ୍ଦ୍ବ,ମନୋମାଳିନ୍ୟ ଦଫାରଫା । କଳି ଝଗଡା ହେଲେ ପକ୍ଷ, ପ୍ରତିପକ୍ଷଙ୍କୁ ବୁଝେଇ ଦିଆଯାଏ ,ସିଏ ପରା ତୋର ମାଉସୀର ଝିଅର ନଣନ୍ଦର ପୁତୁରା । ଆଉ ଇଏ ପରା ତୋର କକେଇର ଅଣନାତିର ନାତି । ନିଶାପ ହୁଏ ଶେଷ । ପୁଣି ସେଇ ମୁରବୀ ଗାଆଁ ଯନ୍ତାଳରେ,ପଙ୍ଗତ ପାଖରେ ହାତରେ ବାଡିଖଣ୍ଡେ ଧରି ଜଗୁଥାଏ କୁକୁରକୁ ,କାଳେ କାହା ପତରରେ ମୁହଁ ଲଗେଇ ଦବ କି !
କେହି ରୋଗବାଧକାରେ ପଡ଼ିଲେ ଆହାଃ ଆହାଃରେ ଦରଦୀ ହୋଇଉଠେ ସବୁରି ଓଠ। ଡ଼ାକ୍ତରଖାନା ଯିବା ଆଗରୁ ବୟସ୍କମାନେ ବତେଇ ଦିଅନ୍ତି, ଜ୍ବର ଛାଡୁନିତ,ସିଙ୍ଗଡାହାର ପତ୍ର ଖୋଜ,କାଶ କମୁନିତ ବାସଙ୍ଗ ପତ୍ର ବାଟ,ଲାଳଝାଡ ବନ୍ଦ ହଉନି ତ ପିଜୁଳି ଗଛର ଅଗ ପତର ପିଆଅ । ଅମୁକ ବାଡିରେ ଅଛି ଘିକୁଆଁରି, ସମୁକ ବାଡିରେ ମିଳିବ ଅପମାରଙ୍ଗ,ବେଗୁନିଆ । ଗାଆଁର ଯେକେହି ବି କହି ଦେଇପାରେ ସାରା ଗାଆଁଟା କଥା । କେହି ନବାଗତ ଗାଆଁ ଏମୁଣ୍ଡର ଲୋକକୁ ପଚାରିଲେ ସେମୁଣ୍ଡ ଘରର ସଠିକ୍ ପରିଚୟ ମିଳିଯାଏ । କାହା ଘରୁ ଶବ ଉଠିଲେ ପାଖ ପଡିଶା ଓଳିକ ପାଇଁ ରୋଷେଇ ବନ୍ଦ କରିଦିଏ ।ମରା ନଉଠିବା ଯାଏ ପାଟିକୁ ଅନ୍ନ ନିଏ ନାହିଁ । କାହା ଘରୁ ଝିଅ ବିଦାହେଲେ ତ କଥା ଆହୁରି ଅଲଗା ।ପଚିଶି ଘର ଝିଅବୋହୂ ଜମାହୋଇ ଲଗେଇ ଦିଅନ୍ତି କାନ୍ଦଣା ଲହରୀ । ପୁଣି କାହାଘରକୁ ନୂଆବୋହୂ ଆସିଲେ ବନ୍ଦାଣ ଥାଳି ଧରି ଠିଆହୋଇ ଯାଆନ୍ତି ଗାଆଁର ଝିଅବୋହୂ। ଗାଆଁକୁ ଜୋଇଁ ପୁଅଟି ଆସିଲେ ସିଏ ଯେମିତି ଗାଆଁଗୋଟାର ଜୋଇଁ । ତା' ପାଖରେ ଭାଲୁକୁଣୀ ପିଲାଏ ଅଳି କରନ୍ତି ଚାନ୍ଦା ପାଇଁ । ଗାଆଁ ର ପାଟଓଷେଇତି ଶାଶୂଘର ଗଲେ,ଝିଅମାନଙ୍କ ଭିତରୁ ଯିଏ ବଡ଼ ,ସେ ପାଠୋଈ ହେଉ କି ଅପାଠୋଈ,ଧନୀ ହେଉ କି ଗରୀବ ,ତା ମୁଣ୍ଡରେ ବନ୍ଧାହୁଏ ପାଟ ଓଷେଇତି ଶିରିପା । ଓଷା କରନ୍ତି କୁଆଁରୀ ଝିଅ ଗଣ୍ଡରୁ
କଇଁ ତୋଳନ୍ତି ଗାଆଁର ପୁଅ ।
ଗାଁ ମୁଣ୍ଡ ସାହାଡ଼ା ହେଉ କି ନିମଗଛ ମୂଳେ ବିଜେ ଠାକୁରାଣୀ । ସବୁ ମୁରବୀଙ୍କ ଠାରୁ ଉର୍ଦ୍ଧ୍ବରେ ତା'ର କାଟତି ,ମାନତି ।ଘଣ୍ଟ ବୁଲୁଥାଏ ଏଘରୁ ସେଘର ।ମାଜଣା ଲଗେଇ ତାକୁ ଗାଧୋଇ ଦେଲାପରେ ସେଇ ପାଣିରୁ ଚଳାଏ ନେଇ ଛିଞ୍ଚି ଦେଲେ ସବୁ ପାତକ ଛୁ' । ଠାକୁରାଣୀ ଘର ଅଛିତ ବର୍ଷକୁ ଥରେ ଘର ଛା' ଅଛି । ପ୍ରତି ଘରୁ ପଣେ ଛଣ ,ଆଠଣା ପଇସା । କେହି ଘରଛା' ରେ ନରହିଛି ତ ବଦଳିଆ ଲୋକଟେ ଦେବା ନିଶ୍ଚିତ । ଛୁତିକିଆ, ମୁର୍ତ୍ତିକିଆରେ ଠାକୁରାଣୀ ଘଣ୍ଟ ବଦଳରେ ଏଘରୁ ସେଘର ଯିବ ସିନା ,ଗୋଟିଏ ଦିନ ଅପୂଜା ରହନ୍ତିନି ମାଆ ।କେହି କିଛି ମନାସୀଛି ତା' ରି ଦୁଆରେ ଲଗେଇ ଦିଅ ଭୋଗ । ବାହାଘରର ମଙ୍ଗନ ହାଣ୍ଡି ବସିବା ଠାରୁ ଝିଅଵିଦା ଯାଏ ,ସବୁଥିରେ ସିଏ ସାକ୍ଷୀ ,ତା'ର ସିନ୍ଦୂର,ହଳଦୀ ସବୁ ଶୁଭକାମରେ ଆଗ ଖୋଜା । ଏମିତିରେ ରାଉତ ଘର ମଙ୍ଗୁଳା ଝିଅ ବାହା ପୂର୍ବରୁ ନିମନ୍ତ୍ରଣ ପାଇ ବୁଲୁଥାଏ ମାହାନ୍ତି ସାହି,ବରାଳ ସାହି । ଯେଉଁ ଘରକୁ ଯାଏ ସେଠି ତେଲ ଲଗେଇ ଝିଅର ବେଣୀ ପାରିଦିଆଯାଏ ,ଆଖିରେ କଜ୍ଜଳ ,ପାଦରେ ଅଳତା ଲଗେଇ ଦିଆଯାଏ। ଝିଅ ଆପଣା ପ୍ରିୟଜନଙ୍କ ବିଦାୟୀ ଦେଖା ପାଇଁ ବାହୁନେ। ତା' କାନ୍ଦଣାରେ ଗାଆଁ ସାଙ୍ଗମେଳ,ଗାଧୁଆ ତୁଠ,ଗାଈଗୋଠ,ଦେଇପିଣ୍ଡିରୁ,ଢିଙ୍କିଶାଳର ବର୍ଣ୍ଣନା ଶୁଭିଯାଏ ।
ସହବନ୍ଧନର ସହାବସ୍ଥାନ ଏଇ ଗାଆଁ ଭୂଇଁ ରେ କେତେଯେ ପର୍ବପର୍ବାଣି,ଲୋକାଚାର,ବିଧି ତାର ଇୟତ୍ତା ନଥାଏ ।ବୟସ୍କ ମାନେ ଦୋଳି ନବାନ୍ଧିଲେ ଝିଅମାନଙ୍କ ରଜଦୋଳି ଖେଳ ହୁଏନା । ପରିବାରରେ ଶଶୂର ଶାଶୁ, ଦେଢଶୂର,ସ୍ୱାମୀର ନାଆଁ ଧରିଲେ ପାପ ଲାଗେ ,ଆୟୁଷହାନୀ ହୁଏ ।ଶଶୂର ଦଶରଥ ବୋଲି, ଦଶରଥପୁର ନାଆଁଟି ଉଚ୍ଚାରଣ କରିବାକୁ ବୋହୂଟିଏକୁ କହିବାକୁ ପଡୁଥାଏ- ସୀତା ପତି ପିତା ପୁର ।
ଅଗିରା ପୁନେଇଁରେ ସମସ୍ତେ ଅଗିକି ବାଇଗଣ,ସାରୁ ପକାନ୍ତି ,ହେଲେ ଘରକୁ ନେଲାବେଳେ କିଏ କାହା ସାରୁ , ବାଇଗଣ ନିଏ ସେକଥା କେହି କାହାକୁ ପଚାରନ୍ତି ନାହିଁ । ଗାଆଁ ରେ କାହାଘରୁ ଶଵ ଉଠିଲାତ ଚାରିକାନ୍ଧ ପାଇଁ ଭାଇବତିଶାଙ୍କ ଅଭାବ ରହେ ନାହିଁ । କିନ୍ତୁ ମରା ସିଂ ଭାଇତ ଅନେକ ହେଲେ ମଡାଚଣ୍ଡିଆ ମଣିଷ ପ୍ରାୟ ଜଣେ । ସିଏ ସବୁରି ଶବାଧାରରେ ଖୋଜାପଡେ ମଶାଣୀକୁ ଯିବାପାଇଁ । ଗାଆଁରେ ସବୁ ପ୍ରସୂତୀ ଘରେ ଥିବ ଗୋଟିଏ ଶୂଳୁଣୀ । ଜାତିପତି ବାଛବିଚାର ବିହୀନ ସମସ୍ତଙ୍କ ପାଇଁ ସିଏ ଧାଈ । ପ୍ରସୂତୀଟି ପିଲାଜନ୍ମ ଦେଲାପରେ ପ୍ରଥମେ ଯଦି କାହାକୁ ନମସ୍କାର ହୁଏ ତ ସେ ହେଉଛି ଏଇ ଧାଈମା' ।
ଅକ୍ଷୀମୁଠି ନେଇ ଚଷାପୁଅ ବିଲରେ ଭୋଗ କଦଳୀ କି ଆମ୍ବଟାଏ ମାଟିରେ ପୋତୁ ନପୋତୁଣୁ ଝାମ୍ପମାରି ନିଅନ୍ତି ଗ୍ରାମ୍ୟ ବାଳକ । ଏ ପରମ୍ପରା ଦେଖିଲେ ଚଷାପୁଅ ଗୁସା କରେନା ବରଂ ହସିଦିଏ । ବଗୁଲିଆ ପିଲାଏ ଲୁଚଛପି ଭୋଜି କଲେ,ଯାହା ଭାଡିରୁ ଘସି ଚୋରାନ୍ତି,ଯାହା ପାଳରୁ କଖାରୁ ଲୁଟନ୍ତି, ତା'ରି ଘରକୁ ରାତିରେ ତରକାରୀ ପଠେଇ ଦିଅନ୍ତି । ଗାଆଁ ଦାଣ୍ଡରେ ଚକୁଳିଆ ପଣ୍ଡା ହେଉ କି ଚଇତିମଙ୍ଗଳା ,ଦୁଆରୁ ଦୁଆରୁ ଭିକ୍ଷା,ଭୋଗ ନେଇ ଆଶିଷ ଦିଅନ୍ତି - ମାଆ ଲୋ ! ଗାଆଁ ଗୋଟାକୁ ଘଣ୍ଟଘୋଡେଇ ରଖିଥା' । ନିଆଁ ପବନ,ବଢ଼ି ମରୁଡ଼ିରୁ ରକ୍ଷାକରିଥା' । ପିଣ୍ଡାରେ ଚଟ ପକେଇ ଖଡୀନାହାକ,ଜାତକ ଦେଖି କହିଦିଏ ରିଷ୍ଟ ,ଅନିଷ୍ଟ କଥା । ପାଞ୍ଜିପଢି ଶୁଣେଇ ଦିଏ ଅମେଇଶା, ସଂକ୍ରାନ୍ତି, ବେଳା,ଅବେଳା ଖବର । ନୂଆ ଘର ତୋଳୁଥିବା ଜେଜମାନକୁ ସୂଚେଇ ଦିଏ ଐଶାନ କୋଣରେ କଣ,ନୈରୁତ କୋଣରେ କଣ ରହିବ । ନାପିତଟି ସାଆନ୍ତ ଘରୁ ବର୍ତ୍ତନ ନେବାବେଳେ ମନାସୁ ଥାଏ ,ଘରର ବଡପୁଅକୁ କେବେ ବାହା ଦେବ ଯେ, ମୋର ଆଉ ଗୋଟାଏ ବର୍ତ୍ତନ ବଢିବ ! କଥାଲମ୍ବେଇ କହି ଦେଉଥାଏ,ଅମୁକ ଗାଆଁର ସମୁକ ଝିଅ ତମ ପୁଅକୁ ଭାରି ମାନିବ । ବୋହୂମା' ତ ପାଇବ ତା' ସାଙ୍ଗକୁ ନାଛା ସମୁଦୁଣୀ । କେବଳ ବର୍ତ୍ତନ ଧାନ ପାଇଁ ନୁହଁ ବରଂ ସାଆନ୍ତଙ୍କ ଶୁଭ ମନାସୀବାରେ ଶତମୁଖ ହେଇପଡୁଥାଏ। ସାଆନ୍ତଙ୍କ ମରେଇରେ ଏମିତିରେ ଛତିଶି ପାଟକଙ୍କ ଥଣ୍ଟେଥଣ୍ଟେ ଭାଗ ରହିଥାଏ । ଯେମିତି ଅବେଳାରେ ହାଟବାଟରୁ ଘରକୁ ଫେରିଥିବା ପୁଅଟା ପାଇଁ ମାଆ ପଡିଶାଘରେ କହୁଥାଏ- ଏ ନାହାକଝୁଅ ଦବୁଟି କ'ଣ ନଗେଇଖିଆ ,ନହେଲେ ଦରମଛା ଫଡାଏ , ପୁଅଟାକୁ ଭାତବେଲା ପାଖରେ ବସେଇଦେଇ ଆସିଚି ।
ଏଇ ବୋଧେ ସେଇ ଗାଁ, ଯେଉଁଠି ସ୍ନେହ, ସମ୍ପର୍କର ମୂଲ ଅମୂଲ୍ୟ । ରାଗ ହିଂସା ଦେହର ମଳି ପରି କ୍ଷଣସ୍ଥାୟୀ । ସେଇଥିପାଇଁ କି କ'ଣ , ଗାଆଁ ହିଁ ଗାଆଁ ପରି ,କେହି ନୁହେଁ ତା'ର ସରି ।
____________________
ଵନ୍ଧପଡା, ମଦନପୁର, କେନ୍ଦ୍ରାପଡ଼ା ।
ଫୋନ:୮୯୧୭୩୭୦୨୨୭
0 Comments