Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଯୁବ ଦିବସ



ଲେଖ କ_________ ପ୍ରଦୀପ ନାୟକ


ଯୁବାବସ୍ଥା ସ୍ବୟଂ ସୂର୍ଯ୍ୟ ପରି ଉଜ୍ବଳ। ସୂର୍ଯ୍ୟ ପରିକ୍ରମଣ କାରଣରୁ ଉଦୟ ଅସ୍ତ ହେଉଥିବା ଆମେ ଦେଖିଥାଉ ସିନା ବାସ୍ତବରେ ତାର ଉଦୟ କି ଅସ୍ତ ନଥାଏ । ସେହିପରି ଯୁବତ୍ବ କେବଳ ଏକ ବୟସଭିତ୍ତିକ ଶାରୀରିକ ଅବସ୍ଥାକୁ ବୁଝାଏ ନାହିଁ ,ତାହା ଏକ ମାନସିକ ଅବସ୍ଥା ମଧ୍ୟ । କୁହାଯାଇଛି ,ଯିଏ ମାନସିକତାରେ କର୍ମଶୀଳ, ତତ୍ପର ଓ ଉତ୍ସାହୀ ସେ ସବୁବେଳେ ଯୁବା । ଅପରପକ୍ଷେ ଯିଏ ମାନସିକ ଭାବେ ନିରାଶ, ଅକର୍ମଣ୍ୟ ସେ ସବୁ ବୟସରେ ମଧ୍ୟ ବୃଦ୍ଧ । 


 ଆର୍ଯ୍ୟ ମୁନୀ ଋଷିଙ୍କ ଦେଶ ଭାବରେ ପରିଚିତ ଆମ ଭାରତର ଉଜ୍ବଳ ଅଧ୍ୟାତ୍ମ ନକ୍ଷତ୍ର ସ୍ବାମୀ ବିବେକାନନ୍ଦଙ୍କର ଆଜି ଜୟନ୍ତୀ,ଯାହାକୁ ଆମେ ଯୁବ ଦିବସ ଭାବରେ ସ୍ମରଣ କରିଥାଉ । ସ୍ବାମୀଜୀ ପରାଧୀନ ଭାରତବର୍ଷର ଜନମାନସରେ ସୃଷ୍ଟି ହୋଇଥିବା ହତାଶା,ନିରାଶା ଓ କ୍ଲୀବତ୍ବକୁ ହୃଦୟଙ୍ଗମ କରି ଏକଦା ଆହ୍ବାନ ଦେଇଥିଲେ - ହେ ମୋର ପ୍ରିୟ ଭାରତବାସୀ ! ତୁମେ ଉଠ,ଜାଗ୍ରତ ହୁଅ । ପରାଧୀନ ତାର ନିଗଡରୁ ନିଜକୁ ମୁକ୍ତକରି ଦେଶମାତୃକାର ସ୍ୱତନ୍ତ୍ରତା ପାଇଁ ଅନୁପ୍ରେରିତ ହୁଅ । ସ୍ବାମୀଜୀଙ୍କର ଏହି ଆହ୍ୱାନର ଦୁଇଟି ଦିଗକୁ ବିଚାରକଲେ ଆମକୁ ହୃଦବୋଧ ହେବ ଯେ ଏହା ଉଭୟ ଶାରୀରିକ ଓ ମାନସିକ ଭାବେ କର୍ମପ୍ରବଣ ହେବାର ସୂଚନା ଦିଏ । ବାସ୍ତବରେ ମଣିଷକୁ କର୍ମପ୍ରବଣ କରାଇବାର ମୂଳ ପ୍ରେରଣା ହେଉଛି ମନ । ତେଣୁ ଭାଗବତରେ କୁହାଯାଇଛି - ମନର ମୂଳେ ଏ ଜଗତ । ପୁଣି ମନର ଶକ୍ତିକୁ ଦର୍ଶାଇ ଏକଥା ମଧ୍ୟ କୁହାଯାଇଛି -   ଗିରି ଲଙ୍ଘିବା,କି ଆକାଶରେ ଉଡିବା‌ ମୂଳରେ ହିଁ ମନ । ଏଥିରୁ ସ୍ପଷ୍ଟ ଅନୁମେୟ ମନର ଶକ୍ତି ହିଁ ସମୁଦାୟ ଚିନ୍ତା ଚେତନାକୁ ତଥା ଶରୀରକୁ କ୍ରିୟାଶୀଳ କରାଏ । 


     ଯୁବ ଦିବସରେ ଆମ ମନକୁ ଯୁବତ୍ବ ପରି ଶବ୍ଦର ପ୍ରକୃତ ଅର୍ଥ ପାଖରେ ପହଞ୍ଚିବା ଆବଶ୍ୟକତା ରହିଅଛି । ଆମେ ଏବେ ଏକବିଂଶ ଶତାବ୍ଦୀରେ ପାଦ ଦେଇଛେ । ସୂଚନା ପ୍ରଯୁକ୍ତିର ଦୁନିଆ ଏବେ କର୍ମକ୍ଷେତ୍ରକୁ ଏକ ଭିନ୍ନ ଦିଗରେ ପ୍ରଶସ୍ଥ ଓ ବ୍ୟାପକ କରିଅଛି ।ଶାରୀରିକ ଶ୍ରମ ଅପେକ୍ଷା ମାନସିକ କ୍ଷେତ୍ରରେ ଶ୍ରମ ପାଇଁ ଅଧିକ ସୁଯୋଗ ସୃଷ୍ଟି ହୋଇଛି । ଏପରି ଏକ ସନ୍ଧି ସମୟରେ ଶିକ୍ଷିତ ଯୁବବର୍ଗ ଓ ଅଶିକ୍ଷିତ, ଅର୍ଦ୍ଧଶିକ୍ଷିତ ଯୁବବର୍ଗ ମଧ୍ୟରେ ଏକ ବିରାଟ ବ୍ୟବଧାନ ସୃଷ୍ଟି ହୋଇଛି । ଗୋଟିଏ ବର୍ଗ ସୂଚନା ପ୍ରଯୁକ୍ତି ଜ୍ଞାନ ବଳରେ ଆକାଶରେ ଉଡୁଥିବା ବେଳେ ଅନ୍ୟବର୍ଗଟି ଅକୁଶଳୀ,ଅର୍ଦ୍ଧକୁଶଳୀ ଓ କୁଶଳୀର ଗୋଲକଧନ୍ଦା ସହ ଯୁଝୁଅଛି ।ଗୋଟିଏ ବର୍ଗ ନିଜ ଦୈନିକ ମଜୁରି ନିର୍ଦ୍ଧାରଣ ପଛରେ ପଡିଥିବା ବେଳେ ଆଉ ଗୋଟିଏ ବର୍ଗ ଅସୀମିତ ରୋଜଗାର ନିଶାରେ ମଜଗୁଲ୍ । ଏହି ପ୍ରକାର ବିଚିତ୍ର ସ୍ଥିତିରେ ସମୁଦାୟ ଯୁବବର୍ଗର ଏକ ସମୂହ ଚରିତ୍ରର ଚିତ୍ରାଙ୍କନ କରିବା ଦୁରୁହ ବ୍ୟାପାର ହୋଇଯାଇଛି ।  ଯୁବଵର୍ଗରେ ଏହି ତାରତମ୍ୟତାର ପ୍ରଭାବ ସାମାଜିକ ସହାବସ୍ଥାନ କ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରୁଅଛି ।


      ଯୁବ ମାନସିକତାକୁ ବେକାରୀ ଯେତିକି ଭାବରେ ଆକ୍ରାନ୍ତ କରୁଛି ,ସେତିକି ପରିମାଣରେ ବିଷାଦଗ୍ରସ୍ତ ଭାବ,ଅନ୍ୟ ସହ ନିଜକୁ ତୁଳନା କରି ମାନସିକ ନ୍ୟୁନତାଭାବ,ପରଶ୍ରୀକାତରତା ,ଏପରିକି ଆତ୍ମହତ୍ୟା ପ୍ରବଣତା ମଧ୍ୟ ବଢିବାରେ ଲାଗିଛି । ଏପରି କ୍ଷେତ୍ରରେ ଶିକ୍ଷିତ ଯୁବବର୍ଗକୁ କ୍ୟାରିଅର କାଉନସେଲିଙ୍ଗ ସହ ମାନସିକ କାଉନସେଲିଂର ମଧ୍ୟ ଆବଶ୍ୟକତା‌ ରହିଅଛି ।


      ସବୁ ପରେ ଯୁବବର୍ଗ ହିଁ ରାଷ୍ଟ୍ରର ନବନିର୍ମାତା,ରାଷ୍ଟ୍ରଶକ୍ତି । ସେଇମାନଙ୍କ ଆଖିରେ ରାଷ୍ଟ୍ର ସ୍ବପ୍ନ ଦେଖିପାରେ ପୁଣି ସେଇମାନଙ୍କ ଅବସନ୍ନତାରେ ରାଷ୍ଟ୍ର ପଙ୍ଗୁତ୍ବ ବରଣ କରିବାକୁ ବାଧ୍ୟ ହୁଏ । ଯୁଵତ୍ବ ଏକ ଖୋଜ୍ । ଏହି ଖୋଜ୍ ବା ଅଧ୍ୟବସାୟ,ଅନୁସନ୍ଧାନରେ ସମସ୍ତେ ରହିବାକୁ ଚେଷ୍ଟା କରିବା ।ନିଜକୁ ସଦାଯୁବତ୍ବ ପ୍ରଦାନ ପୂର୍ବକ ରାଷ୍ଟ୍ର ଗଠନରେ ସହାୟକ ହେବା ।

____________________

ବନ୍ଧପଡା, ମଦନପୁର, କେନ୍ଦ୍ରାପଡ଼ା,ଫୋନ: ୮୯୧୭୩୭୦୨୨୭

Post a Comment

0 Comments