_________ପ୍ରଦୀପ ନାୟକ
ବୀର ପ୍ରସବିନୀ ଭାରତମାଆର କୋଳରେ କେତେ ଯେ ଅମୂର୍ତ ସନ୍ତାନଙ୍କ ଜନ୍ମ ହୋଇଛି ତାର କଳନା ନାହିଁ । ଆକୁମାରୀ ହିମାଚଳ ପ୍ରତିଟି କୋଣ ଅନୁକୋଣରୁ ଯେତେବେଳେ ବିଦେଶୀମାନଙ୍କ ବିରୁଦ୍ଧରେ ବିଦ୍ରୋହର ସ୍ବର ଉଠିଛି ଆଉ ସେହି ସେହି ସ୍ଥାନରୁ ଯେଉଁ ଦେଶଭକ୍ତମାନେ ଉଦ୍ଦାତ ସ୍ବରରେ ରଣହୁଙ୍କାର ଦେଇଛନ୍ତି ସେତେବେଳେ ଚେତା ପଶିଛି ବିଦେଶୀ ଶାସକଙ୍କର । କଳେ ବଳେ କୈ।ଶଳେ ବିଦ୍ରୋହୀ ମାନଙ୍କୁ ଦମନ କରିବାରେ ଲାଗିପଡିଛନ୍ତି ।
୧୮୫୭ ଭାରତ ମୁକ୍ତି ସଂଗ୍ରାମର ଆଦ୍ୟ ଦୁନ୍ଦୁଭି କୁହାଯାଉଥିବା ସିପାହୀ ବିଦ୍ରୋହର ରଣ ଆହବରେ ପ୍ରାନ୍ତୀୟ ଓଡ଼ିଶାର ବଣଜଙ୍ଗଲ ଘେରା ଅଗମ୍ୟ ଇଲାକା ସମ୍ବଲପୁରରୁ ଶୁଭେ ବିଦ୍ରୋହର ବିଗୁଲ । ସେଇ ସ୍ବର ଅନୁରଣିତ ହୁଏ ବର୍ତ୍ତମାନ ର ନୂଆପଡାରୁ କଳାହାଣ୍ଡି,ଜୁନାଗଡ଼,ଜୟପୁର ଓ ପରେ ପରେ ସେ ନିଆଁ ବ୍ୟାପେ ମଧ୍ୟପ୍ରଦେଶ , ଛତିଶଗଡ଼ ବସ୍ତରରୁ ସୋନାଖାନ ଯାଏ । ଏହି ବନ୍ୟ ନିଆଁରେ ଦେଶପ୍ରେମର ଘିଅଢାଳି ଆହୁତି ଦିଅନ୍ତି ବୀର ସୁରେନ୍ଦ୍ର ସାଏ । ତାଙ୍କ ବଳିଷ୍ଠ ନେତୃତ୍ବକୁ ସମର୍ଥନ ଜଣାନ୍ତି ତତ୍କାଳୀନ ମୁଖିଆ,ଜମିଦାର ଗୈାନ୍ତିଆ ଥିବା କନ୍ଧ,ଗଣ୍ଡ, ବିଞ୍ଝାଲ ପ୍ରଭୃତି ସାଧାରଣ ଆଦିବାସୀ ପ୍ରଜା । ଜାତୀୟ ସଂଗ୍ରାମର ମହାମନ୍ତ୍ର ଗାଇ ଡେଇଁ ପଡ଼ନ୍ତି ଯୁଦ୍ଧଭୂମିକୁ । ହାତରେ ନାହିଁ ଆଧୁନିକ ଅସ୍ତ୍ରଶସ୍ତ୍ର ,ଦେହରେ ମନରେ ଅଛି ଅପ୍ରମିତ ଉଦ୍ଦାମତା । ଧନୁ ତୀର,ଟାଙ୍ଗିଆ, ବର୍ଛା ହାତରେ ଧରି ଜଙ୍ଗଲୀ ବାଘ ପରି ଲମ୍ଫଦିଅନ୍ତି ଶତ୍ରୁପକ୍ଷ ଉପରକୁ । ଆଧୁନିକ ଅସ୍ତ୍ରରେ ସଜ୍ଜିତ ଫିରିଙ୍ଗସେନାକୁ ଗରିଲା ଯୁଦ୍ଧରେ ବ୍ୟତିବ୍ୟସ୍ତ କରିପକାନ୍ତି । ଦେଶିଆ ରଣକୌଶଳ ଆଗରେ ପଛଘୁଞ୍ଚା ଦିଅନ୍ତି ଫିରିଙ୍ଗି ସେନା । ସବୁ ପ୍ରତିକୁଳତା ମଧ୍ୟରେ ବି ଅପରାଜେୟ,ଅନବଦମିତ ହୋଇ ନିଜକୁ ସାବ୍ୟସ୍ତ କରନ୍ତି ମାଟିମୁକ୍ତିର ସେନାନୀ ଭାବରେ ବୀର ସୁରେନ୍ଦ୍ର ଓ ସାଥୀମାନେ । କାନରେ ତାଙ୍କର ଅହରହ ଶୁଭିଯାଏ ମାଆର ଡାକ । କୋୖଣସି ପ୍ରକାରେ ବିଦ୍ରୋହକୁ ଦମନ କରିବାକୁ ହେଲେ ପ୍ରଥମେ ବିଦ୍ରୋହୀ ମାନଙ୍କୁ ଧରିବା ଦରକାର । ସେଥିରେ ସକ୍ଷମ ହୁଏ ଇଂରେଜ ସେନା । ୧୮୪୦ ରେ ବୀର ସୁରେନ୍ଦ୍ର ଓ ତାଙ୍କ ଭାଇଙ୍କ ସମେତ କିଛି ଅନୁଗାମୀଙ୍କୁ କରାଯାଏ ଗିରଫ । ହଜାରୀବାଗ ଜେଲରେ ଥାଇ ମଧ୍ୟ ମୁକ୍ତିସ୍ବପ୍ନରେ ବିଭୋର ସୁରେନ୍ଦ୍ରଙ୍କୁ ରାତିରେ ନିଦ ହୁଏନା । ହଜାରୀବାଗ ଜେଲର ମୁଖ୍ୟ ଦ୍ଵାର ଭାଙ୍ଗି ପୁଣି ଚାଲି ଆସନ୍ତି ଯୁଦ୍ଧ ମୈଦାନକୁ । ଏଥର କିନ୍ତୁ ସଂଗ୍ରାମକୁ ମହାସଂଗ୍ରାମର ରୂପ ଦେବାକୁ ଯୋଜନା ଚାଲେ । ସାଥୀ ମାଧୋ ସିଂ ଆସନ୍ତି ଘେଁସ ରୁ,ମନୋହର ସିଂ ଭେଡେନରୁ,ବଳଭଦ୍ର ଦାଓ ଲଖନପୁରରୁ,ଦିଆଲ ସର୍ଦ୍ଦାର,ପୀତାମ୍ବର ସିଂ ସମେତଙ୍କ ମହାମିଳନରେ ଅନେକ ଆଦିବାସୀ ଯୁବକ ସାମିଲ ହୁଅନ୍ତି । ବିଦ୍ରୋହର ଲେଲିହାନ ଶିଖା କ୍ରମଶଃ ଅନେକ ଦିନଯାଏ ଗୋଟିଏ ଦୁର୍ଦ୍ଧଷ ଫିରିଙ୍ଗିର ହୃତ୍ ସ୍ପନ୍ଦନକୁ ବଢାଇ ଦିଏ ।
ସମୟ କ୍ରମେ ଦେଶମାତୃକାର ମୁକ୍ତି ସଂଗ୍ରାମରେ ଆତ୍ମବଳିଦାନ ଦିଅନ୍ତି ଅଜେୟ ବୀର ସୁରେନ୍ଦ୍ର ସାଏ କୁଦୋପାଲି ଯୁଦ୍ଧରେ, ପରେପରେ ଚିତାଖୋଲ ଠାରେ ଟଳିପଡନ୍ତି ମନୋହର ସିଂ । ମାଧୋ ସିଂ ଙ୍କୁ ମଧ୍ୟ ସମାନ ଵୀରଗତି ପ୍ରାପ୍ତ ହୁଏ ।
ଯଦିଓ ୧୮୫୭ ର ବିଦ୍ରୋହକୁ ଇଂରେଜ ସେନା ଦମନ କରିବାକୁ ସକ୍ଷମ ହୁଏ ତଥାପି ଦୀର୍ଘ ଆଠବର୍ଷ ଅର୍ଥାତ୍ ୧୮୬୫ ଯାଏ ନିଜ ମାଟିରେ ଇଂରେଜ ମାନଙ୍କ ବଶତା ସ୍ବୀକାର କରେ ନାହିଁ ଏଇ ବୀରଭୂମି । ଜୀବନର ୩୮ ବର୍ଷ ଜେଲର ଅନ୍ଧାରୀ କୋଠରୀ,ଅକଥନୀୟ ଯନ୍ତ୍ରଣା,ଅତ୍ୟାଚାର ସାଙ୍ଗକୁ ୧୭ ବର୍ଷକାଳ ସଶସ୍ତ୍ର ଯୁଦ୍ଧ ତାଙ୍କ ଜୀବନଗାଥାକୁ କରିଛି ଯଶମଣ୍ଡିତ । ଓଡ଼ିଶାର ବୀର ସନ୍ତାନ ଭାବରେ ଇତିହାସ ତାଙ୍କୁ ଯେତେ ଅଣଦେଖା କରୁନା କାହିଁକି , ସ୍ବୟଂ ଇତିହାସର ଅଲିଭା ସ୍ବାକ୍ଷରହୋଇ ଯାଇଛନ୍ତି । ଅଗ୍ନିସ୍ନାନ କରି ଜୀବନକୁ ବାଜି ଲଗାଇଥିବା ଦେଶଭକ୍ତଙ୍କୁ ଆସନ୍ତୁ ତାଙ୍କ ପୁଣ୍ୟ ଜନ୍ମ ତିଥିରେ ସ୍ମରଣ,ନମନ କରିବା ।
----------------------------------
ବନ୍ଧପଡା,ମଦନପୁର, କେନ୍ଦ୍ରାପଡ଼ା,ଫୋ:୮୯୧୭୩୭୦୨୨୭
0 Comments