___________ ପ୍ରଦୀପ ନାୟକ
ପୃଥିବୀ ପୃଷ୍ଠରେ ମାନବ ସୃଷ୍ଟିର ଆଦ୍ୟ ତତ୍ତ୍ବକୁ ବୈଜ୍ଞାନିକ ମାନେ ଭିନ୍ନଭିନ୍ନ ଭାବେ ପ୍ରକାଶ କରିଛନ୍ତି, ସେଥିମଧ୍ୟରୁ ବିବର୍ତ୍ତନବାଦ ଅନ୍ୟତମ । ଆହୁରି ମଧ୍ୟ ଜୀବର ସୃଷ୍ଟି ଏକ ଶୈବାଳରୁ ଏକଥା ମଧ୍ୟ ସ୍ବୀକାର କରାଯାଇଛି । ସେହିପରି ପୃଥିବୀ ପୃଷ୍ଠରେ ଜୀବଜଗତ ବିକାଶର ମଧ୍ୟ ଲମ୍ବା ତଥା ଭିନ୍ନଭିନ୍ନ ତଥ୍ୟ ରହିଅଛି ।ତେବେ ଏହି ଶୈବାଳର ଜନ୍ମ ନିଶ୍ଚୟ କେଉଁ ଶୁଷ୍କ,ନୀରସ ଭୂମିରୁ ହୋଇନଥିବ ଏକଥା ଯେ କେହି ଅନୁମାନ କରିପାରିବ । ମଣିଷର ବା ଜୀବଜଗତର ଆଦ୍ୟ ଏନ୍ତୂଡିଶାଳ ଏକ ଏପରି ଭୂମିରୁ ହୋଇଅଛି ଯାହା ଅଗଭୀର ଜଳଭାଗ ବା ସନ୍ତସନ୍ତିଆ ,ଆର୍ଦ୍ର ଭୂ-ଭାଗ ଅଟେ । ତେବେ ଏଇ ଆର୍ଦ୍ରଭୂମିଟି କଣ ଓ କାହାକୁ କୁହାଯାଏ ?
ଆର୍ଦ୍ରଭୂମି କହିଲେ ଆମେ ଓଦା ଅର୍ଥାତ୍ ଜଳଯୁକ୍ତ ଭୂମିକୁ ବୁଝିଥାଉ । ଅଳ୍ପଗଭୀର,ଜଳଧାରଣ କ୍ଷମତା ବିଶିଷ୍ଟ ଯେଉଁ ନିମ୍ନଭୂମିକୁ ବୁଝିଥାଉ ,ତାହା ଜୀବ ପରିସଂସ୍ଥାନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ପାଣିର ଭଟ୍ଟା ସମୟରେ ଯେଉଁ ଅଞ୍ଚଳରେ ଛ' ମିଟରରୁ କମ୍ ଗଭୀରର ଜଳ ସଞ୍ଚିତ ରହେ ତାହାକୁ ଆର୍ଦ୍ରଭୂମି କୁହାଯାଏ। ଯାହାକୁ ନା ସମ୍ପୂର୍ଣ୍ଣ ମାଟି ,ନା ସମ୍ପୂର୍ଣ୍ଣ ଜଳଭାଗ କହିହେବ । ଭାରତ ଭୂଖଣ୍ଡରେ ଏହି ଆର୍ଦ୍ରଭୂମିର ସଂଖ୍ୟା ମାତ୍ର ୪୨ ।ସମୁଦ୍ର,ନଦୀ ଉପତ୍ୟକାଠୁ ଅଳ୍ପ ଦୂର ଓ ଆବଦ୍ଧ ଜଳାଶ୍ରୟ ଅଞ୍ଚଳ । ଏହା ଉପସାଗରୀୟ ଅଞ୍ଚଳ, ଖୋଦିତ ନାଳ,ଏପରିକି ବୃହତ ଜଳାଶୟକୁ ମଧ୍ୟ କୁହାଯାଇପାରିବ।ଏତିକି କହିଲେ ଆହୁରି ସ୍ପଷ୍ଟ ହେବ ଯେ ,ଏହା ଏପରି ଏକ ଭୂମି ଯିଏ ଉଭୟ ଜଳ ଓ ସ୍ଥଳକୁ ଆବୋରି ରହିଥାଏ । ଭାରତର ପରିସୀମା ଓ ଜନସଂଖ୍ୟା,ପ୍ରାଣୀ, ଉଦ୍ଭିଦ ସୁସ୍ଥ ପରିସ୍ଥାନ ଦୃଷ୍ଟିରୁ ଏହି ଆର୍ଦ୍ରଭୂମି ଅଞ୍ଚଳ ବହୁତ କମ୍ । ଯାହାକି ୪.୭ ପ୍ରତିଶତ ଅଟେ । ଏହା ପଛରେ ଜନସଂଖ୍ୟା ବୃଦ୍ଧି,କଳକାରଖାନା ସ୍ଥାପନ ପରି ଅନେକ କାରଣ ରହିଅଛି ଓ ଏହାର ସଂରକ୍ଷଣ ସମ୍ବର୍ଦ୍ଧନା ପାଇଁ କେନ୍ଦ୍ରୀୟ ପର୍ଯ୍ୟାବରଣ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ମଧ୍ୟ କାମ କରୁଅଛି ।
ପ୍ରଥମ କରି କିଛି ପରିବେଶ ଚିନ୍ତକ ୧୯୭୧ ମସିହାରେ ଇରାନର କାସ୍ପିଆନ ସମୁଦ୍ର କୂଳରେ ଏକାଠି ହୋଇ ଆନ୍ତର୍ଜାତିକ ଚୁକ୍ତିନାମାରେ ସ୍ବାକ୍ଷର କରି ଏହି କ୍ରମ଼ଃବିଲୁପ୍ତ ଆର୍ଦ୍ରଭୂମିର ଉପାଦେୟତା ଓ ମହତ୍ତ୍ବ ବିଷୟରେ ସମସ୍ତଙ୍କୁ ଅବଗତ କରିବାର କାର୍ଯ୍ୟ ପାଇଁ ସମ୍ମତି ରଖିଥିଲେ । ଏଥି ସହିତ ,ଏହାର ସଂରକ୍ଷଣ, ଉପଯୋଗିତା ଓ ଆବଶ୍ୟକତା ବିଷୟରେ ବିଶ୍ବରର ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ କରିଥିଲେ । ପରେ ପରେ ଆର୍ଦ୍ରଭୂମି ଭୂମିକାର ବ୍ୟାପକତା ବିଷୟରେ ପରିବେଶବିତଙ୍କ ଆଖି ଖୋଲି ଦେଇଥିଲା ।୧୯୯୭ ରୁ ଏହି ଦିବସଟି ବିଶ୍ବର ପ୍ରାୟ ୯୦ଟି ରାଷ୍ଟ୍ରରେ ଫେବୃଆରୀ ୨ ତାରିଖରେ ପାଳିତ ହୋଇ ଆସୁଅଛି । ସମଗ୍ର ବିଶ୍ବ ଭୂଭାଗର ୧୮ ପ୍ରତିଶତ ଆର୍ଦ୍ରଭୂମି ରହିଥିବା କଥା ରିପୋର୍ଟରେ ଦର୍ଶାଯାଇଛି ।କିନ୍ତୁ ତାହାର ବାସ୍ତବିକତା ବିଷୟରେ ସଠିକ୍ କୁହାଯାଇ ପାରିବ ନାହିଁ । ସମୁଦାୟ ପ୍ରାଣୀ ଜଗତ ପାଇଁ ଏହି ଆର୍ଦ୍ରଭୂମି ପରିବେଶ ବିଶେଷ ଭୂମିକା ନିର୍ବାହ କରୁଥିଲେ ମଧ୍ୟ, ମଣିଷ ସମାଜର ଅପରିଣାମଦର୍ଶିତା ଯୋଗୁଁ ଏହି ଜୀବପ୍ରଜଜନ ଓ ପରିସ୍ଥାନର ଅନୁକୁଳ ଅଞ୍ଚଳ ଏବେ ସଙ୍କୁଚିତ ହେବାରେ ଲାଗିଛି ।
ଏବେ ସମୟ ଆସିଛି ପ୍ରତିଟି ମଣିଷ ଆର୍ଦ୍ରଭୂମିର ଉପାଦେୟତା ସମ୍ପର୍କରେ ବୁଝିବା ଉଚିତ୍ । ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ, ଜଳବାୟୁ ପରିବର୍ତ୍ତନ, ଜଳବିଶୋଧନ,ହେନ୍ତାଳ ଜଙ୍ଗଲ ସୃଷ୍ଟି, ମତ୍ସ୍ୟ ସମ୍ପଦର ସଂରକ୍ଷଣ,ସର୍ବୋପରି ସୁସ୍ଥ ଜୀବନଧାରଣର ସମସ୍ତ ତତ୍ତ୍ବ ଏହି ଆର୍ଦ୍ରଭୂମି ସଂରକ୍ଷଣରେ ଯେ ନିହିତ ରହିଛି ତାକୁ ହୃଦୟଙ୍ଗମ କରିବା ସର୍ବାଦୈ।ଉଚିତ୍ ।
ଓଡ଼ିଶାର ଯେଉଁ ଦୁଇଟି ପ୍ରମୁଖ ଓ ବିସ୍ତୃତ ଅଞ୍ଚଳରେ ଏହି ଆର୍ଦ୍ରଭୂମି ତିଷ୍ଠି ରହିଛି ,ସେଗୁଡିକ ହେଲା ଚିଲିକା ଓ ଭିତରକନିକା । ଏହା ବ୍ୟତୀତ ଅନ୍ୟ ସ୍ଥାନଗୁଡ଼ିକ ଗୈାଣ । ଏହି ଅଞ୍ଚଳରେ ବିସ୍ତୀର୍ଣ୍ଣ ଆର୍ଦ୍ରଭୂମି ରହିଥିବାରୁ ତାହାଯେ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇପାରିଛି ତାହା ନୁହଁ ବରଂ ପାରିବେଶିକ ସନ୍ତୁଳନକୁ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଅଛି । ଚିଲିକାର ନଳବଣକୁ ୨୦୦୨ ମସିହାରେ ଓଡ଼ିଶାର ପ୍ରଥମ ରାମସର୍ ସାଇଟ୍ ମାନ୍ୟତା ମିଳିଅଛି । ବନ୍ୟା ବିଭୀଷିକା ଅଟକାଇବା,ଉଦବୃତ୍ତ ବର୍ଷାଜଳକୁ ଧାରଣ କରିବା ସହ ବିଭିନ୍ନ ପ୍ରଜାତିର ଜଳଜ ଉଦ୍ଭିଦ,ହେନ୍ତାଳ,ତୃଣ,ପ୍ରବାଳ, ଫୁଲ,ମତ୍ସ୍ୟ, ପକ୍ଷୀ,ବେଙ୍ଗ, କଇଁଛ, କୀଟ ପତଙ୍ଗର ଏନ୍ତୁଡ଼ିଶାଳ ହୋଇରହିଛି । ଏହାର ସ୍ଥିର ଓ ଅଗଭୀର ଜଳ କାରଣରୁ ଅନେକ ମାଛ,ପକ୍ଷୀ,କୀଟ, ସରୀସୃପଙ୍କର ଅଣ୍ଡାଦେବା ଓ ଛୁଆମାନଙ୍କୁ ପାଳନ କରିବାର ଉପଯୁକ୍ତ ପରିବେଶ ମିଳିପାରୁଛି,ଆହୁରିମଧ୍ୟ ବିଦେଶାଗତ ପକ୍ଷୀମାନେ ଏହି ଭୂମିର ଆକର୍ଷଣରେ ଚାଲିଆସିଥାନ୍ତି । ଏହା ବାଦ୍ ଅନେକ ପ୍ରଜାତି ଔଷଧୀୟ ବୃକ୍ଷ,ତୃଣ ମଧ୍ୟ ବଞ୍ଚି ରହିପାରୁଛି । ବିଶ୍ବର ୬୦ ଭାଗ ହେନ୍ତାଳ ଜଙ୍ଗଲ ଏହି ଆର୍ଦ୍ରଭୂମି ଅନ୍ତର୍ଗତ ଅଟେ । ଏବଂ ସମୁଦାୟ ଜୀବଜଗତର ୪୦ ପ୍ରତିଶତ ପ୍ରଜାତି ଏହି ଆର୍ଦ୍ରଭୂମି ଅଞ୍ଚଳରୁ ମିଳିଥାଆନ୍ତି । ୨୦୨୦ ମସିହାରେ ଆମଦେଶରେ ଏହି ଆର୍ଦ୍ରଭୂମି ସଂଖ୍ୟାରେ ନୂଆ ୧୦ଟି ସ୍ଥାନକୁ ନିଆଯାଇଛି ,ଯାହାଫଳରେ ଏହି ସଂଖ୍ୟା
୫୨ ରେ ପହଞ୍ଚି ଅଛି ଏବଂ ସମୁଦାୟ ଭାରତ ଭୂମିର ୪.୭ ଭାଗରେ ଆର୍ଦ୍ରଭୂମି ଅବସ୍ଥିତି ରହିଅଛି । ସୁନ୍ଦରବନ ଏ କ୍ଷେତ୍ରରେ ବିଶ୍ଵର ସବୁଠାରୁ ବଡ ଆର୍ଦ୍ରଭୂମିର ମାନ୍ୟତା ଲାଭ କରିଅଛି ।
ଶେଷରେ ପ୍ରକୃତିର ଏହି ଅତୁଳନୀୟ ବିଭବକୁ ପରିବେଶବିତଙ୍କ ଭାଷାରେ- ଏହା ଜୀବଜନ୍ତୁ, ପଶୁପକ୍ଷୀ,ସରୀସୃପଙ୍କ ଏବଂ ମଣିଷର ଖାଦ୍ୟ ଶୃଙ୍ଖଳା ନିର୍ମାଣ କରୁଥିବାରୁ ଏହାକୁ ଇଂରାଜୀରେ Food Webs ଏବଂ ଏହା ପ୍ରାଣୀର ଜୀବନ କୁହାଯାଉଥିବା ଜଳକୁ ବିଶୋଧନ କରୁଥିବାରୁ,ଜଳଚକ୍ରରେ ସହାୟତା କରୁଥିବାରୁ ଏହାକୁ" Kidney of the landscape ମଧ୍ୟ କୁହା ଯାଇଥାଏ ।
_____________________
ବନ୍ଧପଡା,ମଦନପୁର, କେନ୍ଦ୍ରାପଡ଼ା।ଫୋନ:୮୯୧୭୩୭୦୨୨୭
0 Comments