01/03/2021
Editor by/- Srinibash Rout
ତୋ ଭକ୍ତସଙ୍ଗର ମହିମା। କେ ଜାଣିପାରେ ଗୁଣସୀମା।
ସେ ସଙ୍ଗୁ ଯେବା ସୁଖ ହୋଇ। ସେ ସୁଖ ସ୍ଵର୍ଗେ ଅଛି କାହିଁ।
ଯହିଁ ମୁକତି ତୁଲ୍ୟ ନୁହେଁ। ମନୁଷ୍ୟ ସୁଖ କାହିଁ ରହେ।
ଆମ୍ଭେ ବୁଝିଲୁ ଅନୁଭବେ।ସାଧୁ- ସଙ୍ଗମେ ସୁଖ ଲଭେ।
ତା ତୁଲେ ନୋହେ ସ୍ଵର୍ଗ- ମୋକ୍ଷ।ଏ ମର୍ତ୍ତ୍ୟଭୋଗ ଅତି ତୁଚ୍ଛ।
( ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ, ଚତୁର୍ଥ ସ୍କନ୍ଧ,
ତ୍ରିଂଶ ଅଧ୍ୟାୟ )
ପ୍ରସଙ୍ଗ - ପ୍ରଚେତସଗଣଙ୍କ ସ୍ତୁତି
ଅର୍ଥ - ପ୍ରଚେତସଗଣ ଭଗବାନଙ୍କୁ ସ୍ତୁତି କରି କହିଲେ,ହେ ପ୍ରଭୁ! ଆପଣଙ୍କର ଭକ୍ତଜନ ମାନଙ୍କର ସଙ୍ଗଲାଭର ମହିମା କିଏ ବା କହି ପାରିବ ? ସେମାନଙ୍କ ସଙ୍ଗ ଲାଭରୁ ଯେଉଁ ସୁଖ ମିଳେ ସେ ସୁଖ ତ ସ୍ଵର୍ଗପ୍ରାପ୍ତିରେ ନଥାଏ ଓ ମୁକ୍ତିଲାଭରୁ ମିଳୁଥିବା ସୁଖ ମଧ୍ୟ ତା ସହିତ ସମାନ ନୁହେଁ ଆଉ ତା ସହିତ ମନୁଷ୍ୟର ସାଂସାରିକ ବିଷୟ ସୁଖକୁ ତୁଳନା କରିବା କଥା ବା ଉଠୁଛି କେଉଁଠୁ? ଆପଣଙ୍କ ଭକ୍ତମାନଙ୍କ ସଙ୍ଗଲାଭ ହିଁ ପ୍ରକୃତରେ ସାଧୁସଙ୍ଗ ଅଟେ। ଆପଣଙ୍କ ଭକ୍ତଜନ ମାନଙ୍କ ସଙ୍ଗ ଲାଭରୁ ଯେଉଁ ସୁଖ ମିଳେ ତାହା ଆମ୍ଭେ ଅନୁଭବ କରିବା ସହିତ ବୁଝି ପାରିଲୁ ଯେ ସେହି ସୁଖ ସହିତ ସ୍ଵର୍ଗସୁଖ ପ୍ରାପ୍ତି ଓ ମୋକ୍ଷଲାଭର ସୁଖ ତ ସମାନ ନୁହେଁ, ଆଉ ଏ ମର୍ତ୍ତ୍ୟଲୋକର ତୁଚ୍ଛ ବିଷୟ ସୁଖ ଭୋଗ କଥା ବା କ'ଣ କହିବା?
ଭାବାର୍ଥ -
ପ୍ରଚେତସଗଣ ପ୍ରଭୁଙ୍କର ସବୁଠାରୁ ପ୍ରିୟ ଭକ୍ତ ଭଗବାନ ରୁଦ୍ରଙ୍କର ସାନିଧ୍ୟ ଲାଭ କରିବା ଫଳରେ ତାଙ୍କଠାରୁ ରୁଦ୍ର ଗୀତା ଶ୍ରବଣ କରିବା ସହିତ ଈଶ୍ଵର ପ୍ରାପ୍ତିର ମାର୍ଗ ମଧ୍ୟ ଶିକ୍ଷା କରିଥିଲେ ଓ ସେହି ମାର୍ଗ ଅନୁସରଣ କରି ସାଧନା ମାଧ୍ୟମରେ ଭଗବାନଙ୍କୁ ପ୍ରସନ୍ନ କରିଥିଲେ ଏବଂ ପ୍ରଭୁଙ୍କର କରୁଣାରୁ ତାଙ୍କ ଦିବ୍ୟ ସ୍ଵରୂପର ଦର୍ଶନ ଲାଭ କରି ପରମାନନ୍ଦ ସୁଖ ପ୍ରାପ୍ତ ହୋଇଥିଲେ। ପ୍ରଭୁଙ୍କର ସେହି ଦିବ୍ୟ ରୂପ ଦର୍ଶନ କରି ସେମାନେ ଯେଉଁ ପରମାନନ୍ଦ ସୁଖ ଲାଭ କଲେ ପ୍ରଭୁଙ୍କର ପ୍ରିୟ ଭକ୍ତ ରୁଦ୍ରଙ୍କର ସଙ୍ଗଲାଭ ଯୋଗୁ ତାହା ପ୍ରାପ୍ତ ହୋଇଥିବାରୁ ସେମାନେ ଅନୁଭବ କରିଥିଲେ ଯେ ଭକ୍ତଜନ ମାନଙ୍କର ସଙ୍ଗ ଲାଭରୁ ଯେଉଁ ସୁଖ ମିଳେ ତା ସହିତ ସ୍ଵର୍ଗପ୍ରାପ୍ତି ଓ ମୋକ୍ଷଲାଭର ସୁଖ ମଧ୍ୟ ସମାନ ନୁହେଁ। ଭକ୍ତଜନ ମାନଙ୍କର ସଙ୍ଗଲାଭ କଲେ ସେମାନଙ୍କ ଠାରୁ ପ୍ରଭୁଙ୍କର ପବିତ୍ର ଲୀଳା ଶ୍ରବଣ କରି ପ୍ରାଣୀ ମନରେ ପ୍ରଭୁଙ୍କ ପ୍ରତି ଭକ୍ତିଭାବ ଜାଗ୍ରତ ହୁଏ ଓ ସେମାନଙ୍କ ଦ୍ଵାରା ପ୍ରଦର୍ଶିତ ମାର୍ଗରେ ପ୍ରଭୁଙ୍କୁ ଭଜନ କରି ପ୍ରାଣୀ ଭଗବାନଙ୍କୁ ପ୍ରାପ୍ତ ହୋଇ ପରମାନନ୍ଦ ସୁଖ ଲାଭ କରିଥାଏ। ତେଣୁ ଭକ୍ତଜନ ମାନଙ୍କର ସଙ୍ଗଲାଭ ଯୋଗୁ ଈଶ୍ଵରପ୍ରାପ୍ତିର ଯେଉଁ ସୁଖ ଲାଭ ହୋଇଥାଏ ତା ସହିତ ସ୍ଵର୍ଗସୁଖ ପ୍ରାପ୍ତି ଓ ମୋକ୍ଷଲାଭର ସୁଖ ତ ତୁଳନୀୟ ନୁହେଁ ଆଉ ତୁଚ୍ଛ ସାଂସାରିକ ବିଷୟ ସୁଖ କଥା ବା ଉଠିବ କେଉଁଠୁ ?
WWW.SOCIALNEWSODIA.INFO
0 Comments