- - - - - - - - - - - - ପ୍ରଦୀପ ନାୟକ
କଷରା ନାଲି ବଳଦ ଯୋଡିକୁ ଧୋଇଦେଇ ସଜେଇ ଦେଲା ପରେ କେଡେ ତୋରା ଦିଶୁଛନ୍ତି ସତେ ! ମଥାରେ ଲମ୍ବା ସିନ୍ଦୂରକଲି, ଶିଂଗ ଯୋଡିକରେ ଜରିଦିଆ ପାଟକନା ସାଂଗକୁ କାଳେ କିଏ ଖୁଣି ଦବ ରେବତୀ ଟିକେ କଜଳ ଆଣି ଲଗେଇ ଦେଇଚି ଗୋରୁ ଯୋଡିଂକ ଗାଲରେ । ଯଅ ,ମାଣ୍ଡିଆ ଚୁନା ,ଉତରାଳି ପତରକୁ ଦେଇ ବିଶେଷ ତୋରାଣି ତିଆରି କରି ପେଟେ ଖୁଆଇଚି ତାଂକୁ । ସଂଗାରୁ ଲଂଗଳ ଯୁଆଳି ,କାନ୍ଥରେ ଟାଂଗିଥିବା ଯୋତ,ଚାଳରେ ଖୋସିଥିବା ପାଂଚଣ ବାହାର କରି ପ୍ରସ୍ତୁତ ହେଉଚି ବଳିଆ । ଘରୁ ଅନୁକୁଳ କରି ବାହାରିବା ଆଗରୁ ପିଣ୍ଡା ପାଖର ବୃନ୍ଦାବତୀଂକ ପାଖରେ ସକାଳୁ ଧୂପ ଲଗେଇ ଦେଇଚି ରେବତୀ । ଧୂପରେ ମହକ ସକାଳ ପରିଵେଶକୁ କରୁଛି ଶୁଭମୟ । ଗତବର୍ଷରୁ ଖରା ଦେଇ ଯତ୍ନରେ ସାଇତି ରଖିଥିବା ବିହନ ଧାନ ଓଳିଆରୁ ବାହାରକରି ସଜାଡିଚି ଅକ୍ଷିମୁଠି । ଦି'ଦିନ ଆଗରୁ ନାଳିଆ ବେତୁଲିକୁ ବନମାଟିରେ ଲିପି ଝୋଟିଚିତା, ସିନ୍ଦୂରରେ ଚିତ୍ରେଇ ଦେଇଚି ।
ଆଗେଆଗେ ବଳଦ ଅଡେଇ,କାନ୍ଧରେ ହଳଲଂଗଳ ପକେଇ ଚାଲିଚି ବଳିଆ ।ପଛେପଛେ ରେବତୀ ।କାଖରେ ଥୋଇଚି ଅକ୍ଷୀମୁଠି ,ନାଲିଆ ମାଣିକନାରେ ଘୋଡେ଼ଇ ଦେଇଛି । ନିଧିନାଳି ପାଖ ବିଶ୍ବାଏ ବିଲରେ ଆଜି ସିଏ ପହିଲୁ କରିବ । ସେଇଠି ବଇନି ହେବ ତା ବର୍ଷକର ବେଉସା । ଚଷାଘରର ଏଇ ଦିନଟି କେତେଯେ ମହତ୍ତ୍ଵ ରଖେ ସ୍ଵାମୀ ନକହିଲେ ବି ସିଏ ଜାଣେ ।
ହିଡମୁଣ୍ଡରେ ହଳ ଲଂଗଳ ଥୋଇଦେଇ ,ରେବତୀ କାନ୍ଧରୁ କୋଦାଳ ଆଣିଲା ବଳିଆ ।ବିଲର ଗୋଟିଏ କୋଣରେ ମାଟିରେ ଦି ବହନ ପକେଇଚି ତ ରେବତୀ କହିଲା - ସେଇଟା ଐଶାନ୍ୟ କୋଣଟି ?
: ହଁ ପରା, ଆଲୋ ବାପ ଗୋସଁବାପ ଅମଳରୁ ଏଇ ଖଣ୍ଡକ ଆମ ଅକ୍ଷିମୁଠି ବିଲ ରହିଚି । ମତେ ତ ଆସି ଅଧା ବଅସ ହେଲାଣି ।ଏଇ କଥାକି ଆଉ ଅଜଣା ଅଛି । ଦେ ଦେ ଆମ୍ବଡାଳ,ଦୁବ ବରକୋଳି ପତର ,ଗୁଆ ,ଫଳଭୋଗ କଣ ଆଣିଚୁ ଦବୁଟି ।
ମାଟିରେ ଆମ୍ବଟା ପୋତିଲା ବେଳେ ଗାଁ ଆଡୁ ଆଖିବୁଲେଇ ଆଣିଲା ବଳିଆ ।ଏତେବେଳକୁ ବିଲମାଳରେ ଛୋଟପିଲାଂକର ମେଳି ଲାଗିଥାନ୍ତା ।ମାଟିରେ ପୋତୁପୋତୁ ଝାଂପମାରି ନଉଥାନ୍ତେ ଭୋଗଫଳ ।କାହାରି ଦେଖାନାହିଁ । ଅକ୍ଷିମୁଠି ଥୋଇ, ଧୂପ ଲଗେଇ,ଭୋଗ ଥୋଇ ତିନିଥର ପାଣି ବୁଲେଇ ଆଣିଲା ସିଏ ।ଲମ୍ବା ହୁଳହୁଳି ପକେଇ ରେବତୀ ଦଣ୍ଡବତ କଲା । ବଳିଆ ବି । ମନେମନେ ମନାସିଲା - ମା'ଲୋ ମୋ ଅକ୍ଷିମୁଠିର ଗୋଟାଏ ଧାନ ମୁଠାଏ ହେଇ ଆସୁ ,ମୋ ଅମାର ତୋରି ଦୟାରେ ଭରିଉଠୁ । ତୋ'ରି ଦାନକୁ ପରା ସଚରାଚର ଅନେଇ ରହିଥିବ । ଚଢେଇ ଚିରଗୁଣୀ ସବୁରି ପେଟକୁ ଦାନା ମିଳିବ । ଏତକ କହି ମାଟିରୁ ଟିପେ ଆଣି ମଥାରେ ଲଗେଇ ଦେଲା ସିଏ ।
ବଳଦ ଯୋଚିଲା ବେଳେ ସଲ୍ୟ ରେ ଯୋତଦଉଡି ଗୁଡେ଼ଇ ବଳଦ ଯୋଡିଙ୍କୁ ଯୋଚି ସାରି ଲଂଗଳକଣ୍ଟିରେ ମଥା ଲଗେଇ ନମସ୍କାର କରି କହିଲା - ଚାଲ କଷରା । ଦି'ଥର ଟକଳ ଉଠେଇଚିତ ଆଗକୁ ମାଡିଚାଲିଲେ ଗୋରୁ ଯୋଡାକ । ପଛରେ ଅକ୍ଷିମୁଠିକୁ କାଖ ଉପରେ ଥୋଇ ବିହନ ବୁଣି ବୁଣି ଚାଲିଲା ରେବତୀ । ହିଡ ଏପାଖରୁ ଗୋଟାଏ ଅଚା ଧରିବା ବେଳକୁ ବେଣା ମୂଳରୁ ଦିଟା ଟେଁ ଟେଁୟା ଚଡେଇ ଉଡିଗଲେ ।ଭେରାଏ ହଳ ବୁଲି ଆସିଛି ଲଙ୍ଗଳ କଣ୍ଟି କେଁ କେଁ ଶୁଭୁଚି ।ଗତ ବର୍ଷରୁ ସଙ୍ଗାରେ ତେଲ ଦେଇ ରଖିଦେଇଥଲା । ଆଉ ନିଘା ନାହିଁ । ଖଣ୍ଡେ ପିଚକିଳା ଦରକାର ।ରେବତୀ ବିହନ ଵେତୁଲି ରଖିଦେଇ ଖୋଜିଆଣିଲା ଖଣ୍ଡେ କାଠି । ତାକୁ ହାତରେ ପରଖୁ ପରଖୁ ଵଳିଆ କହିଲା - ନା ,ଏଇଟା ସୁଦ୍ଦୁ ପାମ୍ପରା । ନିଜେ ଗୋଟେ ଖୋଜି ଆଣି ଲଗେଇଲା । ଆକାଶରେ ଚଇତି ଆମ୍ବ ପରି ଦୋହଲୁଚି ମେଘ ।କେତେବେଳେ ଦି' ବୁନ୍ଦା ଝାଡିଦେଇ ପାରେ । ବଉଦ ଫାଙ୍କରୁ ସୂର୍ଯ୍ୟ ମୁହଁଟି କାଢି ଚାଇଁଚାଇଁଆ ଆଖିରେ ସତେ ଯେମିତି ବଳିଆକୁ ଚାହୁଁଚି ।
ଏତିକି ବେଳକୁ ବଳିଆ ଗୀତ ପଦେ ଲହରେଇଲା ।କେହି ଶିଖେଇ ନାହିଁ ତାକୁ ଶୁଣି ଶୁଣି ମନେ ରହିଯାଇଛି । ବାପା ବିଲରେ କାମ କଲାବେଳେ ଏ ଗୀତ ଗାଇବା ଶୁଣିଚି ସିଏ - ଉଠେଇ ଆସୁଚି କଳାବଉଦ ଯେ ,ଗେଣ୍ଡାଳିଆ ଗଲେ ଉଡି ।ହଳିଆ କାନ୍ଧରେ ହଳ ଲଂଗଳ ଯେ ,କାଳିଆ ମୁଣ୍ଡେ ପଗଡି ।ଲକ୍ଷ୍ମୀ ସାଆନ୍ତାଣୀ ଧାନ ମାଣିକାଏ ବଢାଇ ଦେଇ ଶ୍ରୀହସ୍ତେ ,ଗୋଟିଏ ମଂଜି ତୁ କୋଟିଏ ଫଳିବୁ କହନ୍ତି ହକାରି ସତେ ।
ବିହନ ବୁଣୁବୁଣୁ ରେବତୀ କହିଲା - ଆଗୋ ଲକ୍ଷ୍ମୀ ସାଆନ୍ତାଣୀ ଯେଉଁଠି ନିଜ ହାତରେ ପ୍ରଭୁଂକୁ ଅକ୍ଷିମୁଠି ବଢେଇ ଦିଅନ୍ତି,ସେତ ନିଶ୍ଚେ ଗୋଟିକ କୋଟିଏ ହବ ।ହେଲେ ଇଏ ସମୟରେ କିଏ ବୁଝୁଚି ଚାଷୀଂକ ଦୁଃଖ । ଏ ସନ ଦେଖିଲତ ଧାନମଣ୍ଡିରେ ଧାନ ବିକିବା ପାଇଁ ଯଉ ହୀନସ୍ଥା ।ଟୋକନ ନାହିଁ, ପଇସା ନାହିଁ,ଶେଷକୁ ବର୍ଷାରେ ଧାନ ପଚିଲା ମଣ୍ଡିରେ। ଚାଷୀଂକ ପାଇଁ ନା ବଜାର ତିଆରି ହେଲା ,ନା- ଶୀତଳଭଣ୍ଡାର ।
ବଳିଆ କହିଲା - ହବ ଲୋ ହବ ।ଲୋକେ ଏବେ ବୁଝିଲେଣି ପରା ଚନ୍ଦ୍ରମଣ୍ଡଳକୁ ଯିବା ଲୋଡାନାହିଁ ମାଟିକି ଫେରିବା ଦରକାର । ମାଟିସହ ମାଟି ହବାର ବେଳ ଆସୁଚି । କେତେଦିନ ମାଟି କି ଫାଙ୍କି ମଣିଷ କୁଆଡେ ଯିବ ! ପେଟ ପୋଡ଼ିଗଲେ ବଳେ ଫେରିଵନିକି । ସବୁଜ ବିପ୍ଳବର ବେଳ ଆସୁଚି ।
ବଳିଆ ହଳ ଶେଷକଲା ବେଳକୁ ରେବତୀର ବିହନ ବୁଣା ବି ଶେଷ । ହିଡ ଉପରେ ବସି ସିଆର ମାଟିକୁ ଚାହିଁ ବଳିଆ କହିଲା - ଦି'ଦିନ ଆଗର ମେଘଟା ସୁହାଇଲା ।ମାଟି ବଢିଆ ପାଗିଚି । ଦି'ଓଡ କଣ ଗୋଟାଏ ଓଡରେ ବି ସାଉରିଆ ଦିଶୁଚି ମାଟି।
ଅକ୍ଷିମୁଠି ବେତୁଲି ଥୋଇଦେଇ ରେବତୀ କହିଲା - ବୁଝିଲ ଏଥର ଧାନ ଅମଳ ବେଳକୁ ଆମ କୁନି ପାଇଁ ଗୋଟେ କାନଫୁଲ କିଣିବା । ଝୁଅ ଧୀରେ ଧୀରେ ବଡ଼ ହେଉଚି ,ଏବେଠୁ ଗୋଟେ ଗୋଟେ ନରଖିଥିଲେ ,ଶାଶୂଘର ଗଲାବେଳକୁ କହିବେ ଝୁଅଟାର କାନରେ ,ନାକରେ ନିମକାଠି ଦେଇ ବିଦା କଲା ।
ହିଡ ଉପରେ ପାଖାପାଖି ବସିଥିବା ରେବତୀ ମୁହଁକୁ ଚାହିଁଲା ବଳିଆ ।ମୁଣ୍ଡରୁ ଝାଳ ନିଗିଡି ମଥାର ସିନ୍ଦୂର ଦେଇ ବହିଆସୁଚି ରେବତୀର ନାକଯାଏ । କେଜାଣି କାହିଁକି ତଥାପି ସୁନ୍ଦର ଦିଶୁଚି ସିଏ । କଳାରଙ୍ଗ ହେଲେବି ତା ମନ ଅଗଣାର ତୁଳସୀଗଛ ପରି । ରାଶିତେଲ ଦେଇ କଳାଘୁମର କେଶ ଲମ୍ଵେଇଚି ପିଚା ଯାଏ । ଉନ୍ନତ ମଥା,ଵଣନେଉଳ ପରି ଚହଲା ଆଖିକି ସରୁ ଓଠ । ନିଜ ଦି ପାପୁଲିରେ ତା ମୁହଁକୁ ତୋଳିଧରି ବଳିଆ କହିଲା - ଏଇତ ତୋ କାନକୁ ଏଯାଏ କାନଫୁଲଟିଏ ଯୋଗାଡ କରିପାରିଚି କି ? ଝୁଅ ବା'ଘର ତ ବହୁତ ଡେରି ଅଛି ।ମୁଁ ଭାବୁଚି ,ଏ ମହାମାରୀର ଭୟ ସବୁକଥା ବନ୍ଦ କରିପାରିଚି ।ହେଲେ ଆମ ସ୍ବପ୍ନର ବୀଜକୁ କାଲିକି ମାଟି ଫଟେଇ ଉଠିବାରୁ ବନ୍ଦ କରିପାରିବ ନାହିଁ । ଆଜି ମହାପୁରୁଂକ ରଥକାଠ ଅନୁକୁଳ । ଆଜିଠୁ ଆମ ସ୍ବପ୍ନର ବି ଅନୁକୁଳ ହେଇଯାଉ ।ଏତକ କହି ରେବତୀ ମଥାରେ ଚୁମାଟିଏ ଆଂକିଦେଲା । ଗୋଟେ ଅଜଣା ଶିହରଣ ଯେମିତି ସଞ୍ଚରିଆସିଲା ରେବତୀ ଦେହ ଆଉ ଝାଳଗନ୍ଧରୁ । ସ୍ବପ୍ନମୟ ହେଇଗଲା ମନ । ତା' ଭିତରୁକେହି ଯେମିତି କହୁଚି- ଏ ସ୍ବପ୍ନଵୀଜ ଗୁଡିକ କାଲିକି ଗଜା ହେବ,ଗଛ ହେବ, ସାଵଜା ସାଵଜା ପିଲ କାଢିଵ । ଗହ୍ମା ପୁନେଇଁ ବେଳକୁ ଗର୍ଭଧାରଣ କରିଵ । କାର୍ତ୍ତିକକୁ ଫୁଲ ଉଡେଇବ । ମାର୍ଗଶିର କୁ ଏଇଠୁ ଅନୁଗୁଳ କରିବ ମା'ଲକ୍ଷ୍ମୀଙ୍କ ଧାନମାଣିକା ପାଇଁ ସିଂସାଧାନ । ପଉଷ କ୍ଷେତରୁ ଖଳାଯାଏ ଧାନ ବୋହି ଦେଉଳିଆ ଗଦା ମାରିବ । ବେଙ୍ଗଳା ପକେଇ ଧାନ ଅମଳ କରିଵ । ମେରିଉଠା କ୍ଷୀରି ରାନ୍ଧିବ ।ଆ଼଼ଃ !
ଲାଜେଇଗଲା ରେବତୀ । ଅତର୍ଛ ଲାଗିଲା ତାକୁ ।ଗହଗହ ପାଟ ଲମ୍ବିଛି । ଚାରିଆଡୁ ନଜର ଫେରେଇ କହିଲା - ଦରବୁଢାଟେ ହେଲଣି ପେମ ବୋହି ପଡୁଚି ।କିଏ କୁଆଡେ ଦେଖୁଥିବ ତ ! କଣ ଭାବିଵ କହିଲ ?
ଅଵଶ୍ୟ ଦୂର ଯାଏଁ କେହି ଦିଶୁ ନାହାନ୍ତି ।ହିଡମୁଣ୍ଡ ଵେଣାଵୁଦା ପାଖରୁ ଫଡ଼ଫଡ଼ ହେଇ ଦି'ଟା ଚଡେଇ ଉଡିଗଲେ ନି଼ଃସୀମ ଆକାଶ ଛାତି ଭିତରକୁ ।ହେଲେ
ପାଖରେ ଗୋରୁ ଯୋଡାକ ଅଛନ୍ତି ତ । ତାଙ୍କ ପରିଵାରର ଦି ଜଣ ସଦସ୍ୟ । ଏମାନେ ବଳିଆ ରେବତୀର ମନକୁ,ଭାଷାକୁ ଠିକ୍ ବୁଝିପାରନ୍ତି । ଏମିତିକି ଘରେ କାହାର ରୋଗଵାଧିକା ହେଲେ , ଭୋକଉପାସ ପଡିଲେ ଗୋରୁ ଦି'ଟା ଆଖିରୁ ଲୁହ ଝରାନ୍ତି । ବଳିଆ ତୋରାଣିମାଣ୍ଡିଆ ପାଖରେ ନଵସି , ଗୀତ ଦିପଦ ନଗାଇଲେ କି ସୁସୁରୀ ବଜେଇ ସ୍ଵର ନଧରିଲେ ଗୋରୁ ଯୋଡିକଙ୍କ ପେଟକୁ କିଛି ଯାଏ ନା । ଜାଣପଶୁ ପରି ପରିବାରର ହାନିଲାଭରେ ଏମାନେ ଭାଗିଦାର ।
ରେବତୀ ଦୃଷ୍ଟି ସେମାନଂକ ଉପରେ ପଡ଼ିଯିବା ମାତ୍ରେ ଲାଜରେ ଭିଜିଗଲା । ସତକୁ ସତ ତା'ଆଡକୁ ଚାହିଁ ଗୋରୁ ଯୋଡାକ କାନ ଫଟ୍ ଫଟ୍ କରି ଯେମିତି କହୁଛନ୍ତି - ଆମେ କିଛି ଦେଖିନୁ ,ଆମେ କିଛି ଶୁଣିନୁ। ରେଵତୀ କହୁଣୀରେ ଠେଲିଦେଲା ପାଖରେ ବସିଥିବା ଵଳିଆକୁ ।
* * * *
ବନ୍ଧପଡା,ମଦନପୁର,କେନ୍ଦ୍ରାପଡା ।
ଫୋ : ୮୯୧୭୩୭୦୨୨୭
0 Comments