Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଦାଦନ ଦୁଃଖ - କେବେ ଦୂର ହେବ ଦାଦନଙ୍କ ଦୁଃଖ (ଓଡ଼ିଶା) !

 


09-FEBRUARY-2022


📌


BY: SRINIBASH ROUT 

ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ସ୍ୱାଧୀନତା ପରଠାରୁ ଓଡ଼ିଶା ବହୁ ଘାତ ପ୍ରତିଘାତ ଦେଇ ଗତି କରି ଆସିଛି ।ଆମ ରାଜ୍ୟରେ ଆମ ଖଣିଜ ସଂପଦର ଉପଯୁକ୍ତ ବିନିଯୋଗ ହୋଇ ପାରୁନଥିବାରୁ ଖୁବ୍ କମ୍ ମୂଲ୍ୟରେ ଆମ ଖଣିଜ ସଂପଦ ବାହାରକୁ ରପ୍ତାନୀ ହୋଇ ସେଠାରେ ଅର୍ଥନୈତିକ ଅଭିବୃଦ୍ଧି ହେବା ସହ ବ୍ୟାପକ ନିଯୁନ୍ତି ସୁଯୋଗ ସୃଷ୍ଟି ହେଉଛି ।ଅନେକ ବର୍ଷ ତଳୁ କେତେକ ବୃହତ୍ କମ୍ପାନୀ ଆମ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗେଇ ଆସୁଛନ୍ତି ।କଳିଙ୍ଗନଗର ଶିଳ୍ପ ପ୍ରକଳ୍ପ ଭଳି ସାରା ରାଜ୍ୟରେ ବ୍ୟାପକ ଶିଳ୍ପ ପ୍ରସାର ଓଡ଼ିଶା ପ୍ରଗତିର ସଂକେତ ହୋଇଛି ।ରାଜ୍ୟର ଉପକୂଳରେ ଗୋଟିଏ ପରେ ଗୋଟିଏ ବନ୍ଦର ପ୍ରତିଷ୍ଠା, ପର୍ଯ୍ୟଟନ ଶିଳ୍ପର ଦ୍ରୁତ ବିକାଶ, କୃଷି ଓ କୃଷକର ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ, ରାସ୍ତାଘାଟର ନବୀକରଣ-ନିର୍ମାଣ ଭଳି ବହୁ ଦାରିଦ୍ର‌୍ୟ ଦୂରୀକରଣ ଯୋଜନା କାର୍ଯ୍ୟକାରୀ, ସେତୁ ନିର୍ମାଣ ଭଳି ଗମନାଗମନର ଅଭୂତପୂର୍ବ ବିକାଶ, ଆଇନ୍ କାନୁନ୍ ବ୍ୟବସ୍ଥା ସହ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଉନ୍ନତି ପାଇଁ ବିଭିନ୍ନ ଅଭିନବ ଯୋଜନା ପ୍ରଣୟନ କରାଯାଇଛି ।ତଥାପି ଓଡ଼ିଶାର ଲୋକେ ଗରିବ ! ଦେଶ ବିଦେଶରେ ଦାଦନ ଶ୍ରମିକ ! 



ତେବେ କ’ଣ ଓଡ଼ିଶା ଓ ଓଡ଼ିଆ ମଣିଷର ବିକାଶ ହେବନି କି ସେ ଦାଦନ ଶ୍ରମିକରୁ ମୁକ୍ତି ପାଇବନି ?


ଆମ ରାଜ୍ୟରେ ଯାହା ବିକାଶ ହୋଇଛି, ଭାରତର ଅନ୍ୟାନ୍ୟ ପ୍ରଦେଶରେ ଏହା ଠାରୁ ଅଧିକ ବିକାଶ ହୋଇଛି ।ଆମେ ବିକାଶ ଦୌଡ଼ରେ ବହୁ ପଛରେ ପଡ଼ିଥିବା ବୁଦ୍ଧିଜିବୀ ମାନେ କହୁଛନ୍ତି ।ଯଦିଓ ଆମ ରାଜ୍ୟରେ ଦାରିଦ୍ର‌୍ୟ ହଟିଥାନ୍ତା ଓ ମୁଣ୍ଡପିଛା ଆୟ ବଢିଥାନ୍ତା ବା ଭଲ ରୋଜଗାର ସୃଷ୍ଟି ହୋଇଥାନ୍ତା, ତେବେ ଲକ୍ଷ ଲକ୍ଷ ଓଡ଼ିଆ ମଣିଷ ବାହାରେ ଦାଦନ ଶ୍ରମିକ ହୋଇ ନିର୍ଯ୍ୟାତିତ ହୋଇ ନଥାନ୍ତେ ! ଆଜି ମହାମାରୀ କରୋନା ଓଡ଼ିଶା ଓ ଓଡ଼ିଆର ପ୍ରକୃତ ଅବସ୍ଥାକୁ ସାମ୍ନାକୁ ଆଣିଛି ।ରାଜ୍ୟର ପ୍ରାୟ ଅଧା ମଣିଷ ମାନେ ଯେ ଦେଶ ବିଦେଶରେ କାମ କରି ନିଜ ଗୁଜୁରାଣ ମେଂଟାଉଛନ୍ତି, ତାହା ଏବେ ଜଣାପଡ଼ୁଛି । ରାଜ୍ୟର ପ୍ରତି ଘରୁ ୧/୨ ଜଣ ବାହାରେ ।ସେମାନଙ୍କ ମଧ୍ୟରେ ପ୍ରାୟ ୯୮ ଭାଗ ଦାଦନ ଶ୍ରମିକ ।କରୋନା ମାଡ଼ରେ ଶତାଧିକ ଟ୍ରେନ୍ ଓ ବସ୍‌ରେ ସେହି ଶ୍ରମିକ ମାନେ ଆମ ରାଜ୍ୟକୁ ଫେରି ଆସିଥିଲେ ମଧ୍ୟ ସମସ୍ତେ ଆସି ନାହାନ୍ତି ।ସବୁଥର ଶ୍ରମିକ ମାନଙ୍କୁ ନେଇ ଆମ ରାଜ୍ୟରେ ଟ୍ରେନ୍ କି ବସ୍ ପହଁଚିଲେ, ସମସ୍ତେ ଆସିଗଲେ ବୋଲି ଲାଗେ । କିନ୍ତୁ ନା? ତଥାପି ଫେରିବାରେ ଲାଗିଛନ୍ତି ।ଫେରିବା କେତେ ଦିନ ଚାଲିବ, ଜଣାନାହିଁ ।ଫେରିଥିବା ଲୋକେ ଓ ଏପର୍ଯ୍ୟନ୍ତ ଫେରିନଥିବା ଲୋକଙ୍କ ସଂଖ୍ୟା କେତେ ଲକ୍ଷ କି କେତେ କୋଟି ଜଣାପଡ଼ୁନାହିଁ ।କରୋନା ଯୋଗୁ କାମ ବନ୍ଦ ହୋଇଯିବାରୁ ସେମାନେ ପେଟକୁ ମୁଠାଏ ଦାନା ନପାଇ ଡ଼ହଳ ବିକଳ ହେଉଛନ୍ତି ।ସେମାନଙ୍କର ଆର୍ତ ଚିତ୍କାର ସାରା ଦେଶରେ ପ୍ରକମ୍ପିତ ହେଉଛି ।


ବାସ୍ତବରେ କ’ଣ ଓଡ଼ିଶା ଦରିଦ୍ର?….ନା’ କଦାପି ନୁହେ!….ଓଡ଼ିଶା ପ୍ରାକୃତିକ ସଂପଦଭରା ରାଜ୍ୟ । ପ୍ରଚୁର ଖଣିଜ ସଂପଦ ଭରି ରହିଛି ଏଠାରେ ।ରାଜ୍ୟରେ ବ୍ୟାପକ ପର୍ଯ୍ୟଟନ ଶିଳ୍ପର ସୁଯୋଗ ରହିଥିବା ବେଳେ ପର୍ଯ୍ୟାପ୍ତ ଜଙ୍ଗଲ ସଂପଦ, ମତ୍ସ୍ୟ ସଂପଦ, ଜଳ ସଂପଦ ଓ ଶହେଭାଗ ଉର୍ବର ଚାଷ ଜମି ରହିଛି ।ରାଜ୍ୟରେ ବୌଦ୍ଧିକ ସଂପଦ ଓ ପ୍ରତିଭାର ଅଭାବ ନାହିଁ ।ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ଭାଷା-ସାହିତ୍ୟ ଦେଶ ବିଦେଶରେ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଛି ।ଓଡ଼ିଆଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ସାରା ବିଶ୍ୱରେ ଖ୍ୟାତ । ଓଡ଼ିଶା ମନ୍ଦିର ମାଳିନି ରାଜ୍ୟ ଭାବେ ସର୍ବ ବିଦିତ ।କଠିନ ପରିଶ୍ରମ କରିବାରେ ମଧ୍ୟ ଓଡ଼ିଆ ଅନ୍ୟ ରାଜ୍ୟବାସୀଙ୍କ ତୁଳନାରେ କିଛି କମ୍ ନୁହଁନ୍ତି ।ସରକାରୀ ତଥ୍ୟ ଅନୁଯାୟୀ ଭାରତରେ ଗଚ୍ଛିତ ବିଭିନ୍ନ ବହୁମୂଲ୍ୟ ଖଣିଜ ସଂପଦର ପ୍ରାୟ ୨୫ ଭାଗ କେବଳ ଆମ ରାଜ୍ୟରେ ଗଚ୍ଛିତ ଅଛି ।ଏଠାରେ କ୍ରୋମାଇଟ୍‌, ବକ୍ସାଇଟ୍‌, ଲୁହାପଥର, ମାଙ୍ଗାନିଜ୍‌, କୋଇଲା, ନିକେଲ ଆଦି ଏତେ ପରିମାଣର ଗଚ୍ଛିତ ଅଛି ଯେ ଆମ ଦେଶ ଓ ବିଦେଶ ଆମ ରାଜ୍ୟ ଉପରେ ନିର୍ଭର କରନ୍ତି ।ରାଜ୍ୟରେ ୭୯ ଲକ୍ଷ ହେକ୍ଟର କୃଷି ଉପଯୋଗୀ ଜମି ରହିଛି ।ଏଥିରୁ ମାତ୍ର ୪୫ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ଓ ୧ ଲକ୍ଷ ୬୫ ହଜାର ହେକ୍ଟର ଜମିରେ ଅର୍ଥକାରୀ ଫସଲ ହେଉଛି ।ଅନ୍ୟପକ୍ଷରେ ପ୍ରାୟ ୧୧.୫ ଲକ୍ଷ ହେକ୍ଟର ଚାଷ ଜମି ଜଳସେଚିତ ହୋଇଥିବା ବେଳେ ବାକି ଜମି ଜଳସେଚିତ ହୋଇନାହିଁ । ପାଖାପାଖି ୫ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ସମ୍ଭବ ନୁହେଁ ।ସେହିପରି ଆମ ରାଜ୍ୟରେ ଥିବା ୪୮୦ କି.ମି. ସୁଦୀର୍ଘ ମନୋରମ ସମୁନ୍ଦ୍ର ଉପକୂଳ ଓ ଏସିଆ ମହାଦେଶର ସର୍ବ ବୃହତ ଲବଣାକ୍ତ ହ୍ରଦ ଚିଲିକା ରାଜ୍ୟର ଗୌରବ ବହନ କରୁଛି ।ବିଶ୍ୱ ବିଖ୍ୟାତ ଭିତରକନିକା ଅଭୟାରଣ୍ୟ, ଦୁର୍ଲଭ ଅଲିଭ୍ ରିଡ୍‌଼ଲେ କଇଁଛ ମାନଙ୍କ ଏନ୍ତୁଡ଼ିଶାଳ, କୂମ୍ଭୀର ପ୍ରଜନନ କେନ୍ଦ୍ର, ବିଶାଳ ସାମୁଦ୍ରିକ ଅଭୟାରଣ୍ୟ, ହେନ୍ତାଳ ବଣ ଆଦି ଓଡ଼ିଶାର ଗର୍ବ ଓ ଗୌରବ ।ମାତ୍ର ଓଡ଼ିଶାରେ ସବୁକିଛି ଥିବା ସତ୍ୱେ ଓଡ଼ିଶା ଦରିଦ୍ର ବୋଲି କୁହାଯାଇ ଆସୁଛି ।ଓଡ଼ିଶା ଭାରତର ସବୁଠୁ ପଛୁଆ ଓ ଅବହେଳିତ ରାଜ୍ୟ । ଏଠାରେ ଦାରିଦ୍ର‌୍ୟର ଉତ୍ପାତ ବେଶୀ ।


ଦିନେ ଓଡ଼ିଶାର ଅନାହାର ମୃତ୍ୟୁ ଖବର ବିଶ୍ୱବାସୀଙ୍କୁ ସ୍ତବ୍ଧ କରିଥିଲା ।ଅଧିକାଂଶ ଶିଶୁ ପୃଷ୍ଟିହୀନତାର ଶିକାର ।ଶିଶୁ ଓ ମାତୃ ମୃତ୍ୟୁହାର ସର୍ବାଧିକ…ଇତ୍ୟାଦି ।


ଆମ ରାଜ୍ୟ ସରକାର ଆମ ଶ୍ରମିକ ମାନଙ୍କୁ କର୍ମ ନିଯୁକ୍ତି ଦେଇ ପାରିବାର ବ୍ୟାପକ ସୁଯୋଗ ରହିଛି ।ଏକ ସମୀକ୍ଷାରୁ ଜଣାପଡ଼େ ଯେ, ଓଡ଼ିଶାରେ ୨୪୬୧ ଟି ବୃହତ, ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ କାର୍ଯ୍ୟକ୍ଷମ ରହିଛି ।ଏଗୁଡ଼ିକ ପ୍ରାୟତଃ ଖଣିଜ ସଂପଦ ଭିତିକ ଶିଳ୍ପ । ମୁଖ୍ୟତଃ କଂଚାମାଲ୍‌(ଖଣିଜ ସଂପଦ) କୁ ଦରକାରୀ ଦ୍ରବ୍ୟରେ ପରିଣତ କରାଯିବା ଶିଳ୍ପ ଓ ପଥର ଖଣି ଭିତିକ ଶିଳ୍ପ ଓଡ଼ିଶାରେ ଆଗ ଧାଡ଼ିରେ ରହିଛନ୍ତି ।ଏଥିସହ ବିଜୁଳି ଶିଳ୍ପ ସମେତ ଗ୍ୟାସ୍‌, ପାଣି ଯୋଗାଣ, କୃଷି, ପର୍ଯ୍ୟଟନ, ମତ୍ସ୍ୟ ଆଦି ଶିଳ୍ପ ରହିଛି ।ଏହାଛଡ଼ା ବ୍ରଜରାଜ ନଗରର ଓରିଏଂଟ ପେପର୍ ମିଲ୍ ଭଳି ଚୌଦ୍ୱାର ଓ ଅନ୍ୟାନ୍ୟ ସ୍ଥାନରେ ବନ୍ଦ ହୋଇଯାଇଥିବା ଶିଳ୍ପ ସଂସ୍ଥାର ପୁନଃଉଦ୍ଧାର ଆବଶ୍ୟକ ।ବହୁ ବଡ଼ବଡ଼ ଶିଳ୍ପ ସଂସ୍ଥା ରୁଗଣ ଅବସ୍ଥାରେ ରହିଥିବାବେଳେ କୂଟୀର ଶିଳ୍ପ ପ୍ରାୟତଃ ବନ୍ଦ ହୋଇ ଯାଇଛି । ସେଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବା ଉଚିତ ।ସେଥିରେ ଓଡ଼ିଆ ଲୋକମାନଙ୍କୁ ନିଯୁକ୍ତି ଦିଆଯିବାର ବ୍ୟବସ୍ଥା କରାଗଲେ, ସେମାନେ ଦେଶ-ବିଦେଶକୁ ଯାଆନ୍ତେ ନାହିଁ । ଓଡ଼ିଶାରେ କାର୍ଯ୍ୟକ୍ଷମ ଶିଳ୍ନ ସଂସ୍ଥା ଗୁଡ଼ିକରେ ଏବେ ଲକ୍ଷ ଲକ୍ଷ ଲୋକେ କାର୍ଯ୍ୟ କରୁଛନ୍ତି ସିନା, ହେଲେ ସେମାନଙ୍କ ମଧ୍ୟରେ ଓଡ଼ିଆ ଲୋକଙ୍କ ସଂଖ୍ୟ ଅତି ନଗଣ୍ୟ ।ବାସ୍ତବତା ହେଲା, ଓଡ଼ିଆ ଲୋକଙ୍କୁ ଏଠାରେ ନିଯୁକ୍ତି ମିଳୁନି ।


ଓଡ଼ିଆ ଲୋକେ କାମ ପାଇଁ ଦେଶ-ବିଦେଶକୁ ଯାଉଛନ୍ତି ।ସେଠାରେ ନିର୍ଯ୍ୟାତିତ ହେଉଛନ୍ତି ।କରୋନା ରୋଗ ଏହାର ମୂକସାକ୍ଷୀ ହୋଇଛି ।ଏହାର ବ୍ୟାପକ ସମୀକ୍ଷା ହେବାର ଆବଶ୍ୟକତା ରହିଛି ।ରାଜ୍ୟର କାର୍ଯ୍ୟକ୍ଷମ ଶିଳ୍ପସଂସ୍ଥା, ବନ୍ଦ୍ ବା ରୁଗଣ ଥିବା ଶିଳ୍ପସଂସ୍ଥା ଓ କୂଟୀର ଶିଳ୍ପ ଗୁଡ଼ିକୁ କାର୍ଯ୍ୟକ୍ଷମ କରି ସେଥିରେ ଓଡ଼ିଆ ଲୋକମାନଙ୍କୁ ନିଯୁକ୍ତି ଦିଆଗଲେ, ଆଉ ଆମକୁ ଆଜିର ଅବସ୍ଥା ଦେଖିବାକୁ ପଡ଼ିବନି ।


ଏଥି ପାଇଁ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ଉଚିତ୍ ।ଓଡ଼ିଆ ଏବଂ ଓଡ଼ିଶାର ବିକାଶ ପାଇଁ ପ୍ରକୃତରେ ରାଜ୍ୟ ସରକାରଙ୍କର ଆନ୍ତରିକତା ର ଆବଶ୍ୟକତା ରହିଛି ।ଅନେକ କେନ୍ଦ୍ରୀୟ ଯୋଜନାରେ ସିନା ଗମନାଗମନ, ସ୍ୱାସ୍ଥ୍ୟସେବା ଭଳି କେତେକ କ୍ଷେତ୍ରରେ ଉନ୍ନତି ହୋଇଛି, ହେଲେ ଓଡ଼ିଆ ମଣିଷର ଅର୍ଥନୈତିକ ଓ ସାମାଜିକ ଅବସ୍ଥାରେ ପରିବର୍ତ୍ତନ ଆସିନାହିଁ ।ଲୋକଙ୍କୁ ନିଯୁକ୍ତି ଓ ସେମାନଙ୍କର ରୋଜଗାର ବୃଦ୍ଧି ସରକାରଙ୍କର ପ୍ରଧାନ ଦାୟୀତ୍ବ ।ଚାଷୀଙ୍କର ଆୟ ବୃଦ୍ଧି ଓ ଜଳସେଚନର ସୁବ୍ୟବସ୍ଥା ଆବଶ୍ୟକ ।ଏହା ଚିନ୍ତା କରାଯିବା ଉଚିତ୍ ।ଟଙ୍କିକିଆ ଚାଉଳ, ଆହାର ଯୋଜନା, ନିରାମୟ ଯୋଜନା ଆଦି ବେକାରୀ ଅବସ୍ଥାର ସମାଧାନ ନୁହେଁ ।

Post a Comment

0 Comments