05-MARCH-2022


📌


BY: SRINIBASH ROUT

କ୍ରିକେଟ୍ ଦୁନିଆର ଅନେକ ମହାନ ବ୍ୟାଟର୍‌ଙ୍କୁ ଚକ୍‌ମା ଦେଖାଇଥିବା‌ ସେନ୍‌ ୱର୍ଣ୍ଣ ଶେଷକୁ ନିଜ ପ୍ରଶଂସକ ଓ ପରିବାରକୁ ବି ଚକିତ କରି ଉଭାନ ହୋଇଯାଇଛନ୍ତି। ମାତ୍ର ୫୨ ବର୍ଷ ବୟସରେ ତାଙ୍କ ଅକାଳ ବି‌‌‌ୟୋଗକୁ ଅନେକ ବିଶ୍ବାସ କରିପାରୁ ନାହାନ୍ତି। ଦ୍ବିତୀୟ ଅଗ୍ରଣୀ ଟେଷ୍ଟ୍‌ ବୋଲର, ୧୯୯୯ ଦିନିକିଆ ବିଶ୍ବକପ୍‌ ବିଜେତା ଓ ଆଇପିଏଲ୍‌ ବିଜେତା ପ୍ରଥମ ଅଧିନାୟକ, ଅନ୍ୟତମ ୱିଜଡେନ୍‌ କ୍ରିକେଟର୍‌ ଅଫ୍‌ ଦ ସେଞ୍ଚୁରି ବିବେଚିତ ଙ୍କ କ୍ରିକେଟ୍ ପ୍ରଦର୍ଶନ ଅତୁଳନୀୟ ଥିଲା। ପେସ୍‌ ବୋଲରଙ୍କ ଭୂସ୍ବର୍ଗ ଅଷ୍ଟ୍ରେଲିଆରେ ଜନ୍ମ ଗ୍ରହଣ କରି ବିଶ୍ବ କ୍ରିକେଟର୍‌ ମହାନ ସ୍ପିନର୍‌ ପାଲଟିଥିଲେ। ଶ୍ରୀଲଙ୍କାର ମୁଥୟା ମୁରଲୀଧରନ (୮୦୦ ଟେଷ୍ଟ୍‌ ୱିକେଟ୍‌)ଙ୍କ ପରେ‌ ୱର୍ଣ୍ଣ (୭୦୮) ଦ୍ବିତୀୟରେ ରହିଛନ୍ତି। କ୍ରିକେଟ୍‌ ସାଥୀଙ୍କ ଗହଣରେ ୱାର୍ଣ୍ଣି ନାମରେ ପରିଚିତ ଥିବା ସେନ୍‌ ୧୯୯୨ରୁ ୨୦୦୭ ମସିହା ମଧ୍ୟରେ ୩୦୦ରୁ ଊର୍ଧ୍ବ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୧୦୦୧ ୱିକେଟ୍ ନେଇ ମୁରଲୀଧରନ (୧୩୪୭)ଙ୍କ ପଛକୁ ମଧ୍ୟ ଦ୍ବିତୀୟରେ ରହିଛନ୍ତି। ୧୯୯୨ରେ ଭାରତ ବିପକ୍ଷରେ ସିଡନି କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳି ଟେଷ୍ଟ୍ କ୍ରିକେଟ୍‌କୁ ଆସିବାର ପରବର୍ତ୍ତୀ ବର୍ଷ‌ ସେ ‘ବଲ୍‌ ଅଫ୍‌ ଦି ସେଞ୍ଚୁରି’ ପକାଇ ଦଶନ୍ଧି ଦଶନ୍ଧି ଧରି ଚର୍ଚ୍ଚାରେ ରହିଥିଲେ। ବିବାଦ‌ ଭିତରେ ରହିଥିଲେ ମଧ୍ୟ କ୍ରିକେଟ୍ ଅଷ୍ଟ୍ରେଲିଆ ଏବଂ କ୍ରିକେଟ୍ ଶ୍ରୀଲଙ୍କା ୨୦୦୭ରେ ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ଶୃଙ୍ଖଳାକୁ ୱର୍ଣ୍ଣ-ମୁରଲୀଧରନ ନାମରେ ନାମିତ କରିଥିଲେ। ସେନ୍‌ କିଥ୍ ୱର୍ଣ୍ଣ ୧୯୬୯ ସେପ୍ଟେମ୍ବର ୧୩ ତାରିଖରେ ଜନ୍ମଗ୍ରହଣ କରିଥ‌ିଲେ। ସ୍କୁଲ ଜୀବନରେ ସେ କ୍ରିକେଟ୍ ସହ ଫୁଟ୍‌ବଲ୍ ମଧ୍ୟ ଖେଳିଥିଲେ। ଶେଷକୁ ଲେଗ୍‌ ସ୍ପିନ୍‌ ସହ ଅଫ ସ୍ପିନର ମିଶ୍ରଣ କରିପାରୁଥିଲେ। କିନ୍ତୁ ଲେଗ୍‌ ସ୍ପିନର ଭାବେ ସଫଳ ହୋଇଥିଲେ। ନିଜ ରାଜ୍ୟ ଦଳ ଭିକ୍ଟୋରିଆ ପାଇଁ ଖେଳ ଜୀବନ ଆରମ୍ଭ କରି ବିଶ୍ବ କ୍ରିକେଟ୍‌ର ଶିଖର ଛୁଇଁଥିଲେ।ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଆସିବା ପୂର୍ବରୁ ମାତ୍ର ୭ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ। ଇଂଲିସ୍‌ ‌ଘରୋଇ କ୍ରିକେଟ୍‌ରେ ମଧ୍ୟ ହାମ୍ପସାୟାର୍‌ ପକ୍ଷରୁ ଖେଳିବା ସହ ୩ ଋତୁ ଅଧିନାୟକତ୍ବ କରିଥିଲେ। ରାଜସ୍ଥାନ ରୟାଲ୍ସକୁ ଆଇପିଏଲ୍‌ର ପ୍ରଥମ ସଂସ୍କରଣ ବିଜେତା କରିବା ସହ ଏହି ଦଳର ପ୍ରଶିକ୍ଷକ ଦାୟିତ୍ବ ମଧ୍ୟ ତୁଲାଇଥିଲେ। ୱର୍ଣ୍ଣ ମଧ୍ୟ ଏକମାତ୍ର ନିମ୍ନକ୍ରମ ବ୍ୟାଟର୍‌ ଯିଏ ବିନା ଶତକରେ ୩,୦୦୦ରୁ ଉର୍ଧ୍ବ ରନ୍‌ ସଂଗ୍ରହ କରିଥିଲେ। ୨୦୦୭ ଜାନୁଆରି ରେ ଅବସର ନେବା ବେଳକୁ ଗ୍ଲେନ୍ ମ୍ୟାକ୍‌ଗ୍ରା, ଡାମିଏନ୍ ମାର୍ଟିନ୍‌ ଓ ଜଷ୍ଟିନ୍ ଲାଙ୍ଗର୍‌, ରିକି ପଣ୍ଟିଂଙ୍କ ସହ ଥିବା ଗୋଟିଏ ଯୁଗର ଅବସାନ ଘଟିଥିଲା।


ସେନ୍‌ ୱର୍ଣ୍ଣଙ୍କ ଜୀବନ ଯେତିକି ସଫଳତାରେ ଭରପୁର ଥିଲା ବିବାଦ ଘେରରେ ବି ସେତିକି ଛନ୍ଦି ହୋଇଯାଇଥିଲା। ପଡ଼ିଆ ଭିତର ଓ ବାହାରେ ଅନେକ କାରଣ ପାଇଁ ସେ ଚର୍ଚ୍ଚାରେ ରହିଥିଲେ। ଯୌନ ନିର୍ଯାତନା ହେଉ କି ବୁକିଙ୍କ ସହ ସମ୍ପର୍କ କିମ୍ବା ନିଶା ସେବନ ସବୁ କୁକର୍ମରେ ବି ମାହିର ଥିଲେ ଏହି ସଫଳ କ୍ରିକେଟର୍‌। ୧୯୯୯ ବିଶ୍ୱକପ୍ ପୂର୍ବରୁ ସେ ଅର୍ଜୁନ ରଣତୁଙ୍ଗାଙ୍କ ସମ୍ପର୍କରେ ଟିପ୍ପଣୀ ‌ଦେଇ ଦଣ୍ଡିତ ହେବା ସହ ୨ ମ୍ୟାଚ୍‌ରୁ ନିଲମ୍ବିତ ହୋଇଥିଲେ। ୨୦୦୩ ବିଶ୍ବକପ୍‌ ପୂର୍ବରୁ ନିଶା ସେବନରେ ଧରାପଡ଼ି ନିଲମ୍ବିତ ହେବାରୁ ବର୍ଷକ ପାଇଁ ବାସନ୍ଦ ହେବା ସହ ବିଶ୍ବକପ୍‌ ନ ଖେଳି ଘରକୁ ଫେରିଥିଲେ। ଏହା ପୂର୍ବରୁ ୧୯୯୮ରେ ବୁକିଙ୍କଠାରୁ ଅର୍ଥ ଗ୍ରହଣ କରିଥିବାରୁ ଦଣ୍ଡିତ ମଧ୍ୟ ହୋଇଥିଲେ।


୧୯୯୯-୨୦୦୦ ଆସେସ୍‌ ଶୃଙ୍ଖଳା ମାର୍କ ଟେଲରଙ୍କ ଅବସର ସମୟ ଥିଲା। ଷ୍ଟିଭ୍‌ ତାଙ୍କ ବିକଳ୍ପ ଅଧିନାୟକ ନିଯୁକ୍ତ ହୋଇଥିଲେ। ସେନ୍‌ ୱର୍ଣ୍ଣ ପ୍ରଥମ ଥର ଉପ ଅଧିନାୟକ ନିଯୁକ୍ତ ହୋଇଥିଲେ। ୱେଷ୍ଟଇଣ୍ଡିଜ୍ ଗସ୍ତରେ ସେ ୩ ଟେଷ୍ଟରୁ ୨ ୱିକେଟ୍ ନେବା ପରେ ତାଙ୍କୁ ଦଳରୁ ବାହାର କରିବା ପାଇଁ ଦାବି ଜୋର ଧରିଥିଲା। ଶେଷ ଟେଷ୍ଟ୍ ପାଇଁ ତାଙ୍କ ବଦଳରେ ଅଫ୍‌ ସ୍ପିନର୍ କଲିନ୍ ମିଲର୍‌ ଓ ଷ୍ଟୁଆର୍ଟ ମ୍ୟାକଗିଲ୍‌ ଖେଳିବା ପରେ ଦଳ ଜିତିବା ସହ ଫ୍ରାଙ୍କ ୱରେଲ୍ ଟ୍ରଫି ବଜାୟ ରଖିଥିଲା। ସେହି ଗସ୍ତରେ କିନ୍ତୁ ସେ ଦିନିକିଆରେ ଭଲ ପ୍ରଦର୍ଶନ କରି ବିଶ୍ବକପ୍‌ ଦଳରେ ସ୍ଥାନ ପାଇବା ସହ ବିଜେତା ହୋଇଥିଲେ। ଦିନିକିଆରେ ସେନ୍‌ ୱର୍ଣ୍ଣଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ୧୧ ମ୍ୟାଚ୍‌ ଖେଳି ୧୦ ଜିତିଥିଲା।


ବ୍ୟକ୍ତିଗତ ଜୀବନ :

୧୯୯୫ରେ ସିମୋନ୍‌ କଲାହାନ୍‌ଙ୍କୁ ୱର୍ଣ୍ଣ ବିବାହ କରିଥିଲେ ମଧ୍ୟ ୨୦୦୫ରେ ଉଭୟଙ୍କ ବିଛେଦ ଘଟିଥିଲା। ତାଙ୍କର ୩ ସନ୍ତାନ ମଧ୍ୟ ରହିଛନ୍ତି। ବିଛେଦ ପରେ ଇଂଲିସ୍ ଅଭିନେତ୍ରୀ ଏଲିଜାବେଥ୍‌ ହର୍ଲିଙ୍କ ସହ ଡେଟିଂରେ ରହିଥିଲେ। ତାଙ୍କ ସହ କିନ୍ତୁ ସମ୍ପର୍କ ଦୀର୍ଘସ୍ଥାୟୀ ରହିନଥିଲା। ଏକାଧିକ ମହିଳାଙ୍କ ସହ ସମ୍ପର୍କ କାରଣରୁ ସେ ମଧ୍ୟ ବିବାଦରେ ପଡ଼ିଥିଲେ।


‘ବଲ୍‌ ଅଫ୍‌ ଦ ସେଞ୍ଚୁରି’ରୁ ଆରମ୍ଭ :

ଲଣ୍ଡନ୍‌ : ସେନ୍‌ ୱର୍ଣ୍ଣଙ୍କ କ୍ରିକେଟ୍ ଜୀବନ ଚମତ୍କାର ଢ଼ଙ୍ଗରେ ଆରମ୍ଭ ହୋଇଥିଲା। ଅବଶ୍ୟ ଭାରତ ବିପକ୍ଷ ପଦାର୍ପଣ ଟେଷ୍ଟରେ ସେ କେବଳ ରବି ଶାସ୍ତ୍ରୀ (୨୦୬)ଙ୍କ ଏକମାତ୍ର ୱିକେଟ୍ ଦଖଲ କରି ନିରାଶାଜନକ ୧/୧୫୦ ବୋଲିଂ ଚିତ୍ର ପାଇଥିଲେ। ସିଡନି କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ ଅମୀମାଂସିତ ରହିଥିଲା। କିନ୍ତୁ ଖେଳ ଜୀବନର ଆଦ୍ୟ ଭାଗରେ ଅର୍ଥାତ୍‌ ୧୯୯୩ରେ ଲେଗ୍‌ ସ୍ପିନ୍‌ କଳାର ଅନନ୍ୟ ଉଦାହରଣ ଛାଡ଼ି ‘ବଲ୍‌ ଅଫ୍‌ ଦି ସେଞ୍ଚୁରି’ ପକାଇଥିଲେ। ଯାହାର ଶିକାର ହୋଇଥିଲେ ମାଇକ୍ ଗ୍ୟାଟିଂ। ଓଲ୍ଟ ଟ୍ରାଫୋର୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୱର୍ଣ୍ଣଙ୍କ ବଲ୍‌ ଲେଗ୍‌ ଷ୍ଟମ୍ପ୍ ବାହାରେ ପଡ଼ି ଏତେ ଟର୍ଣ୍ଣ କରିଥିଲା ଯେ ଗ୍ୟାଟିଂ ଅଫଷ୍ଟମ୍ପ୍‌ ହରାଇଥିଲେ। ଏହି ଗସ୍ତ ପୂର୍ବରୁ ୱର୍ଣ୍ଣ ୧୧ ଟେଷ୍ଟ୍ ଖେଳି ଅଣପ୍ରଭାବୀ ରହିଥିଲେ ମଧ୍ୟ ସେଥର ଆସେସ୍‌ରୁ ୩୪ ୱିକେଟ୍ ନେଇ ଅଷ୍ଟ୍ରେଲିଆକୁ ୪-୧ରେ ବିଜେତା କରିଥିଲେ।



www. socialnewsodiaofficial.blogspot.com