Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଭଙ୍ଗାଯିବ ନାହିଁ ଚନ୍ଦ୍ରଶେଖରଙ୍କ ଘର; ସ୍ବାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ବେହେରାଙ୍କ ଘର ଭଙ୍ଗାଯିବ ନାହିଁ,ଗାନ୍ଧୀଜୀଙ୍କ ଦେଢ଼ଦିନ ରହଣି ଐତିହାସିକ ଗୁରୁତ୍ୱ ବହନ କରୁଛି - ତାକୁ ଅଧିଗ୍ରହଣ କରି ଏକ ସ୍ମାରକୀ ଭାବେ ବିକଶିତ କରାଯିବ ।

 


04-APRIL-2022


📌


BY: SRINIBASH ROUT

ସମ୍ବଲପୁରରେ ଗାନ୍ଧୀଜୀ ଅବସ୍ଥାନ କରିଥିବା ଐତିହାସିକ ଘରଟି ଭାଙ୍ଗାଯିବ ନାହିଁ। ତାକୁ ଅଧିଗ୍ରହଣ କରି ଏକ ସ୍ମାରକୀ ଭାବେ ବିକଶିତ କରାଯିବ। ଏହି ଘରେ ମହାତ୍ମା ଗାନ୍ଧୀ ରାତ୍ର ରହଣି କରିଥିବାରୁ ସମଲେଇ ପ୍ରକଳ୍ପ ମଧ୍ୟରେ ଏହା ପର୍ଯ୍ୟଟନର ଅନ୍ୟତମ ଆକର୍ଷଣ ପାଲଟିବ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି। ଏହି ଘର ଗାନ୍ଧୀଜୀ ଓ ଚନ୍ଦ୍ରଶେଖରଙ୍କ ସ୍ମୃତି ବହନ କରୁଛି ତେଣୁ ଏହା ମାଁ ସମଲେଶ୍ବରୀ ପର୍ଯ୍ୟଟନ କରିଡର୍‌ ଭିତରେ ଆଉ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳର ମର୍ଯ୍ୟାଦା ପାଇପାରିବ। ତେବେ ଏହା ଉପରେ ବିଶେଷଜ୍ଞଙ୍କ ଦ୍ବାରା ସର୍ଭେ କରାଯାଇ ସରକାରଙ୍କୁ ପ୍ରସ୍ତାବ ଦିଆଯିବ, ଅଧିଗ୍ରହଣ ‌କରାଗଲେ ବି ତରବରିଆ ଭାବେ ଘର ଭଙ୍ଗାଯିବ ନାହିଁ ବୋଲି ଶ୍ରୀ ପରିଡ଼ା ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଉକ୍ତ ଘରେ ରହୁଥିବା ଚନ୍ଦ୍ରଶେଖରଙ୍କ ଦାୟାଦ ମାନଙ୍କୁ ସମଲେଇ ଯୋଜନାର ବିସ୍ଥାପନ ନିୟମ ଅନୁଯାୟୀ ଘର ଛାଡ଼ିବାକୁ ହେବ।ସେମାନଙ୍କ ଠାରୁ ସରକାର ଏହି କୋଠାକୁ ଅଧିଗ୍ରହଣ କରି‌ବା ପରେ ବିକଶିତ କରିବେ ବୋଲି ଶ୍ରୀ ପରିଡ଼ା ସ୍ପଷ୍ଟ କରିଛନ୍ତି। 


ସମ୍ବଲପୁରରେ ଗାନ୍ଧୀଜୀ ଅବସ୍ଥାନ କରିଥିବା ଐତିହାସିକ ଘରଟି .. ପୁଣି କୌଣସି ସାଧାରଣ ବ୍ୟକ୍ତିଙ୍କର ନୁହେଁ। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସ୍ବତନ୍ତ୍ର ଓଡ଼ିଶାର ଅନ୍ୟତମ ନିର୍ମାତା, ସମ୍ବଲପୁରର ପ୍ରଥମ ଓଡ଼ିଆ ଆଇନଜୀବୀ ତଥା ସମ୍ବଲପୁର ପୌରପାଳିକାର ସର୍ବପ୍ରଥମ ଅଧ୍ୟକ୍ଷ ଚନ୍ଦ୍ରଶେଖର ବେହେରାଙ୍କର। 


୧୯୨୮ ମସିହା ଡ଼ିସେମ୍ବର ୨୨ ତାରିଖରେ ମହାତ୍ମା ଗାନ୍ଧୀ ପ୍ରଥମ ଥର ସମ୍ବଲପୁର ଆସିଥିବା ବେଳେ କମଲିବଜାରସ୍ଥିତ ଚନ୍ଦ୍ରଶେଖରଙ୍କ ଘରେ ରାତ୍ରି ଯାପନ କରିଥିଲେ। ଗାନ୍ଧୀଜୀ ‌ଛେଳି କ୍ଷୀର ପିଉଥିବା ରୁ ଚନ୍ଦ୍ରଶେଖର ବହୁ ଖୋଜାଖୋଜି କରି ତାହା ଯୋଗାଡ଼ କରିଥିଲେ। ୨୩ ତାରିଖ ଦିନ ଗାନ୍ଧୀଜୀ ସମ୍ବଲପୁରରୁ ଫେରି ଯାଇଥିଲେ। ହେଲେ ତାଙ୍କର ଦେଢ଼ ଦିନର ରହଣି ଉକ୍ତ ଘରକୁ ଭାରତୀୟ ଇତିହାସରେ ସ୍ଥାନ ଦେଇଥିଲା। ସେଦିନ ରାତିରେ ଗାନ୍ଧୀ ଶୋଇଥିବା ଖଟଟି ଆଜି ବି ଉକ୍ତ ଘରେ ସଂରକ୍ଷିତ ହୋଇ ରହିଛି। ଚନ୍ଦ୍ରଶେଖରଙ୍କ ଅଣନାତି ବିଶ୍ବନାଥ ବେହେରା ଦୁର୍ବଳ ହୋଇ ଯାଇଥିବା ପ୍ରାୟ ୧୦୦ ବର୍ଷ ପୁରୁଣା ଖଟଟିକୁ ସାଇତି ରଖିଛନ୍ତି। 


ଅନ୍ୟପକ୍ଷରେ, ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଘୁନ୍‌ଘୁଟିପଡ଼ାବାସୀଙ୍କ ବିସ୍ଥାପନ ପ୍ରଶାସନ ପାଇଁ ସବୁଠୁ ବଡ଼ ଚାଲେଞ୍ଜ ଥିଲାବେଳେ ଏହି ସମସ୍ୟାର ସମାଧାନ ହେବାକୁ ଯାଉଛି। ବର୍ତ୍ତମାନ ପଡ଼ାର ବିସ୍ଥାପିତ ହେବାକୁ ଥିବା ପ୍ରତି ପରିବାରକୁ ସରକାର ପ୍ରଧାନମନ୍ତ୍ରୀ ଆବାସ ବାବଦ ଅର୍ଥ କିସ୍ତିରେ ପ୍ରଦାନ କରିବା ବଦଳରେ ଗୃହ ନିର୍ମାଣରେ ସୁବିଧା ପାଇଁ ଏକକାଳୀନ ପ୍ରଦାନ କରିବେ। ଏହି ରାଶି ପରିବାର ପିଛା ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।






https://socialnewsodiaofficial.blogspot.com

Post a Comment

0 Comments