05-APRIL-2022
📌
BY: SRINIBASH ROUT
ଆସନ୍ତା ଜୁନ୍ ୧୯ ଓ ୨୬ ତାରିଖରେ ୭ ହଜାର ୭୬ ପ୍ରାଥମିକ ସମବାୟ ସମିତି ପାଇଁ ନିର୍ବାଚନ ହେବ ।ଏଥିରୁ ୧୫ ଜଣ ନିର୍ଦ୍ଦେଶକ ନିର୍ବାଚିତ ହୋଇ ୧୩୨ଟି ସେଣ୍ଟ୍ରାଲ ସମବାୟ ସମିତିକୁ ଯିବେ ।ସେଥିରୁ ୧୫ ଜଣ ନିର୍ଦ୍ଦେଶକ ଆପେକ୍ସ ବଡିକୁ ଯାଇ ୨୧ ଜଣ ନିର୍ଦ୍ଦେଶକ ନିର୍ବାଚିତ କରିବେ ।ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସମବାୟ ନିର୍ବାଚନ କମିଶନର ସୁନ୍ଦରଲାଲ ସିଲ ।ପ୍ରାଥମିକ ସମବାୟ ସମିତି ନିର୍ବାଚନର ତିନି ମାସ ପରେ ସେଣ୍ଟ୍ରାଲ ସମବାୟ ସମିତି ନିର୍ବାଚନ ଓ ତାର ୩ ମାସ ପରେ ଆପେକ୍ସ ବଡି ନିର୍ବାଚନ ହେବ। ପ୍ରାଥମିକ, ସେଣ୍ଟ୍ରାଲ ଓ ଆପେକ୍ସକୁ ମିଶାଇ ରାଜ୍ୟରେ ସମୁଦାୟ ୭୨୨୯ ସମବାୟ ସମିତି ଅଛି।
ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ଶେଷ ପୂର୍ବରୁ ସରକାର ସମବାୟ ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରିଥିଲେ। ସୋମବାର ୦୪ ତାରିଖ ପ୍ରଥମ ପର୍ଯ୍ୟାୟ ସମବାୟ ନିର୍ବାଚନ ଲାଗି ତାରିଖ ଘୋଷଣା କରାଯାଇଛି। ରାଜ୍ୟ ସମବାୟ ନିର୍ବାଚନ ଆୟୁକ୍ତଙ୍କ ସୁପାରିସ ଆଧାରରେ ଆସନ୍ତା ଜୁନ୍ ୧୯ ଓ ୨୬ ତାରିଖରେ ପ୍ରାଥମିକ ସମବାୟ ସମିତି ଗୁଡ଼ିକର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ସୋମବାର ସମବାୟ ବିଭାଗ ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି।
ବିଜ୍ଞପ୍ତି ଅନୁଯାୟୀ, ପ୍ରାଥମିକ ସମବାୟ ସମିତି ଗୁଡ଼ିକର ପରିଚାଳନା କମିଟି କର୍ମକର୍ତ୍ତା ନିର୍ବାଚନ ନିମନ୍ତେ ଜୁନ୍ ୧୯ ଓ ୨୬ ତାରିଖରେ ଭୋଟ୍ ଲାଗି ରାଜ୍ୟ ସମବାୟ ନିର୍ବାଚନ ଆୟୁକ୍ତ ମାର୍ଚ୍ଚ ୩୦ରେ ରାଜ୍ୟ ସରକାରଙ୍କୁ ସୁପାରିସ କରିଥିଲେ। ଏହାକୁ ଆଧାର କରି ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଜୁନ୍ ୧୯ ଓ ୨୬ ତାରିଖରେ ରାଜ୍ୟର ସମସ୍ତ ପ୍ରାଥମିକ ସମବାୟ ସମିତିରେ ନିର୍ବାଚନ କରାଯିବାକୁ ନିଷ୍ପତ୍ତି ହୋଇଛି।
ସୂଚନାଯୋଗ୍ୟ, ରାଜ୍ୟର ପ୍ରାଥମିକ ସମବାୟ ସମିତି ଗୁଡ଼ିକର କାର୍ଯ୍ୟକାଳ ୨୦୨୦ରୁ ଶେଷ ହୋଇସାରଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ସମବାୟ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ରାଜ୍ୟର ୨୭୧୦ଟି ପାକ୍ସ ଓ ଲ୍ୟାମ୍ପ୍ସ ଥିବାବେଳେ ଅନ୍ୟାନ୍ୟ ସମିତିକୁ ମିଶାଇ ପ୍ରାୟ ୭ହଜାରରୁ ଊର୍ଦ୍ଧ୍ବ ସମବାୟ ସମିତି ରହିଛି। ପ୍ରତ୍ୟେକ ସମିତିରେ ପ୍ରାୟ ୨୧ ଜଣ ଲେଖାଏଁ ପରିଚାଳନା ସଦସ୍ୟ ରହିଥିବାବେଳେ ସେଥିମଧ୍ୟରୁ ୧୫ଜଣ ପରିଚାଳନା ସଦସ୍ୟ(ଡାଇରେକ୍ଟର) ସିଧାସଳଖ ନିର୍ବାଚିତ ହେବାକୁ ରହିଥିବାବେଳେ ଅବଶିଷ୍ଟ ସଭ୍ୟ ସରକାରୀ ଭାବେ ମନୋନୀତ ହୋଇଥାନ୍ତି। ଜୁନ୍ ୨୬ ସୁଦ୍ଧା ପାକ୍ସ ଓ ଲ୍ୟାମ୍ପ୍ସର ନିର୍ବାଚନ ପରେ ନିର୍ବାଚିତ ସଭାପତି ରାଜ୍ୟର ୩୦ଟି ଜିଲାରେ ଥିବା ୧୭ଟି କେନ୍ଦ୍ର ସମବାୟ ବ୍ୟାଙ୍କର ପରିଚାଳନା ସଦସ୍ୟ (ବୋର୍ଡ-ଡାଇରେକ୍ଟର) ପ୍ରକ୍ରିୟାରେ ସାମିଲ ହେବେ।
ରାଜ୍ୟରେ କଟକ ଓ ବ୍ରହ୍ମପୁରରେ ୨ଟି ଲେଖାଏଁ କେନ୍ଦ୍ର ସମବାୟ ବ୍ୟାଙ୍କ୍ ରହିଥିବାବେଳେ ଖୋର୍ଦ୍ଧା, ପୁରୀ, ନୟାଗଡ଼, ବଲାଙ୍ଗୀର, ବୌଦ୍ଧ, ଭବାନୀପାଟଣା, ଅନୁଗୋଳ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ସୁନ୍ଦରଗଡ଼ ଓ ସମ୍ବଲପୁର ପ୍ରଭୃତି କେନ୍ଦ୍ର ସମବାୟ ବ୍ୟାଙ୍କ୍ ରହିଛି। ଏସବୁ ପ୍ରାଥମିକ ସମବାୟ ସଂସ୍ଥାରେ ପ୍ରାୟ ୩୦ଲକ୍ଷ ସଦସ୍ୟ ଅଛନ୍ତି ଓ ସେମାନେ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏହା ପରେ ଜିଲ୍ଲାସ୍ତରରେ ଓ ପରେ ‘ଆପେକ୍ସ ବଡି’ ତଥା ରାଜ୍ୟସ୍ତରୀୟ ସମବାୟ ନିର୍ବାଚନ ପ୍ରକ୍ରିୟା ହେବ। ପ୍ରାଥମିକ ସମବାୟ ସମିତିରେ ଜୁନ୍ ୧୯ ଓ ୨୬ ତାରିଖରେ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଥିବାରୁ ଆଗାମୀ ୩୫ଦିନ ଭିତରେ ପ୍ରାଥମିକ ସଦସ୍ୟଙ୍କର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ, ନାମାଙ୍କନପତ୍ର ଦାଖଲ, ଯାଞ୍ଚ, ପ୍ରତ୍ୟାହାର ଓ ଭୋଟଗ୍ରହଣ ଆଦି କାର୍ଯ୍ୟସୂଚୀ ଘୋଷଣା ହେବ ବୋଲି ଆୟୋଗଙ୍କ ପକ୍ଷରୁ ଜଣାଯାଇଛି।
ରାଜ୍ୟରେ ସମୁଦାୟ ୭୨୨୯ ସମବାୟ ସମିତି ଅଛି।
ଯେଉଁଥିରେ ରାଜ୍ୟ ସରକାରଙ୍କ ୫ଟି ବିଭାଗ ରହିଛି। ଏଥିରେ ସମବାୟର ୪ ହଜାର ୧୫୨, ହସ୍ତତନ୍ତ ଓ ବୟନଶିଳ୍ପର ୮୦୩, ମତ୍ସ୍ୟ ସମ୍ପଦର ୧୯୧୨, MSMEର ୨୦୮ ଓ ଆୟୁଷର ଗୋଟିଏ ସମବାୟ ସମିତି ଅଛି। ଏ ଯାଏ ୩୦ ଲକ୍ଷ ୯୦ହଜାର ୧୦୫ ଚାଷୀ ଭୋଟର ଅଛନ୍ତି ।
https://socialnewsodiaofficial.blogspot.com
0 Comments