18-APRIL-2022
📌
BY: SRINIBASH ROUT
ଆରପାରିକୁ ଚାଲିଗଲେ କମଳ ଦେଶ ରାଜକୁମାର। ନିରବି ଗଲେ ଶତ ଶତ ସୁରିଲା ଗୀତର ସ୍ରଷ୍ଟା ପ୍ରଫୁଲ୍ଲ କର। ରବିବାର ଅର୍ଥାତ୍ ୧୭ ତାରିଖ ବିଳମ୍ବିତ ରାତିରେ ଭୁବନେଶ୍ୱର ସତ୍ୟନଗରସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।ଆଜି ଅର୍ଥାତ୍ ସୋମବାର ୧୮ ତାରିଖ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ତାଙ୍କ ପୁଅ ମହାଦୀପ କର ସୂଚନା ଦେଇଛନ୍ତି।
ସ୍ବର୍ଗତ କରଙ୍କ ବିୟୋଗ ଖବର ପାଇବା ପରେ ସତ୍ୟନଗର ସ୍ଥିତ ବାସଭବନରେ ସଙ୍ଗୀତ ଜଗତର ବହୁ ଶିଳ୍ପୀ, ବିଶିଷ୍ଟ ବ୍ୟକ୍ତିବିଶେଷ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ୧୬ ଫେବୃୟାରୀ ୧୯୩୯ ମସିହାରେ ପୁରୀର ଏକ କୁଳୀନ ତଥା ସଙ୍ଗୀତଶିଳ୍ପୀଙ୍କ ପରିବାରରେ ବାପା ବୈଦ୍ୟନାଥ କର ଓ ମା’ ସୁଶୀଳା କରଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ ପ୍ରଫୁଲ୍ଲ କର ।ସେ ୭୦ଟି ଓଡ଼ିଆ ଚଳଚ୍ଚିତ୍ର ଓ ୪ଟି ବଙ୍ଗଳା ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ବେଳେ ଅନେକ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି ।ବିଭିନ୍ନ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ପ୍ରଫୁଲ୍ଲ କର ।ଏଥିସହ ସେ ମଧ୍ୟ ଜଣେ ସ୍ତମ୍ଭକାର ଭାବେ ବେଶ୍ ପରିଚିତ ଥିଲେ। ୨୦୧୫ରେ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ୨୦୦୪ରେ ଜୟଦେବ ପୁରସ୍କାର, ୨୦୦୯ରେ କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ସମ୍ମାନ ଓ ୨୦୧୦ରେ ବାଳକୃଷ୍ଣ ଦାସ ସମ୍ମାନ ପାଇଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରୁ ପ୍ରଫୁଲ୍ଲଙ୍କୁ ମିଳିଥିଲା ଡି.ଲିଟ୍ ଉପାଧି।
ଆଇନରେ ସ୍ନାତକ କରିଥିଲେ ହେଁ ସଙ୍ଗୀତକୁ ସେ ନିଜର ପେସା କରିଥିଲେ ।ତାଙ୍କର ଜାଦୁଗରୀ ସ୍ୱର ସାଙ୍ଗକୁ ସଙ୍ଗୀତର ଭଲ ବୁଝାମଣା ତାଙ୍କୁ ଖୁବ୍ କମ୍ ସମୟରେ ଜଣେ ଖାତନାମା ସଙ୍ଗୀତଜ୍ଞ ଭାବେ ପରିଗଣିତ କରିପାରିଥିଲା ।
ପ୍ରଫୁଲ୍ଲ କର ସଙ୍ଗୀତ ଜଗତରେ ପ୍ରବେଶ କରୁ କରୁ ଜଣେ ସୁଗାୟକ ଭାବେ ସଫଳତା ହାସଲ କରିଥିଲେ। କମଳ ଦେଶର ରାଜକୁମାର ମୁଁ, ମିଳନ୍ତା କି ମତେ ଉଡ଼ନ୍ତା ଥାଳିଆ, ମୁଁ ତ ନିରୀହ କେରାଣ୍ଡି ମାଛ, ହଇରେ ଫୁଲଗଛ, ନା ନା ମେତେ ପ୍ରେମ କରନା ଆଦି ଅଧୁନିକ ଗୀତ ଗାଇ ସେ ଓଡ଼ିଶାର ଯୁବପିଢ଼ି ଭିତରେ ନିଜ ଲାଗି ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିଲେ।
ଏହାପରେ ୧୯୭୫ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ସେ ପ୍ରବେଶ କରିଥିଲେ। ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଛବି ଥିଲା-ମମତା। ଏହି ଚଳଚ୍ଚିତ୍ରର ଅଧିକାଂଶ ଗୀତ ଲୋକପ୍ରିୟ ହୋଇଥିଲା। ଏଥିରେ ତାଙ୍କ ସ୍ବରାରୋପିତ ‘ରେ ଅତ୍ମନ୍ ନିଦ୍ରା ପରିହରି..’ ଗୀତଟି ଓଡ଼ିଆ ସଙ୍ଗୀତର ଏକ କାଳଜୟୀ ଗୀତର ମାନ୍ୟତା ପାଇଥିଲା। ଏହାପରେ ତାଙ୍କୁ ଆଉ ପଛକୁ ଫେରି ଚାହିଁବାକୁ ପଡ଼ିନାହିଁ। ଏହାପରେ ସେ ସିନ୍ଦୂର ବିନ୍ଦୁ, ଶେଷ ଶ୍ରାବଣ, ବଳିଦାନ, ସତୀ ଅନୁସୟା, ରାମାୟଣ, ମାନସୀ, ପୂଜା, ଗୌରୀ, ତପସ୍ୟା, ବତୀଘର, ସମୟ ବଡ଼ ବଳବାନ୍, ହିସାବ ନିକାଶ ଓ ଭୁଲି ହୁଏନା ଆଦି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଆଗଧାଡ଼ିର ସଂଗୀତ ନିର୍ଦ୍ଦେଶକ ଭାବେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ସ୍ବରାରୋପିତ ଚଳଚ୍ଚିତ୍ରରେ ନିଶ୍ଚିତ ଭାବେ ଶ୍ରୋତାଙ୍କ ମନକୁ ଛୁଇଁଲା ଭଳି ଗୀତ ରହୁଥିଲା। ତାଙ୍କ ପରଲୋକ ଖବର ପାଇବା ପରେ ସଙ୍ଗୀତ ଦୁନିଆ ସ୍ତବ୍ଧ ହୋଇଯାଇଛି।
‘ ବନ୍ଧୁ ମହାନ୍ତି’ ଫିଲ୍ମ ୧୯୭୭ ମସିହାରେ ତାଙ୍କୁ ଘରେ ଘରେ ପରିଚୟ ଦେଇଥିଲା ।ଏହି ସିନେମାର ‘ମହାବାହୁ’ ଗୀତ ପାଇଁ ବେଶ୍ ଲୋକପ୍ରିୟ ହୋଇଥିଲେ ପ୍ରଫୁଲ କର ।ପରେ ‘ବଳୀଦାନ’ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇ ଓଡ଼ିଆ ସିନେ ସଙ୍ଗୀତ ଜଗତରେ ଇତିହାସ ସୃଷ୍ଟି କରିଥିଲେ ପ୍ରଫୁଲ କର ।
ପ୍ରଫୁଲ୍ଲଙ୍କ ବିୟୋଗରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଗଭୀର ଗଭୀର ଶୋକ ପ୍ରକାଶ କରିଛନ୍ତି ।ଓଡ଼ିଶାର ସଙ୍ଗୀତ ଓ କଳା କ୍ଷେତ୍ରରୁ ଏକ ଉଜ୍ଜ୍ୱଳ ନକ୍ଷତ୍ରର ଅବସାନ ଘଟିଲା ବୋଲି ସେ କହିଛନ୍ତି ।
https://socialnewsodiaofficial.blogspot.com
0 Comments