21-APRIL-2022
📌
Published by Srinibash Rout in Odisha
ଭୁବନେଶ୍ୱର ଆରଟିଓ ଅଫିସ୍ ନିକଟସ୍ଥ ଓମଫେଡ୍ ବୁଥ୍ ରେ ଚା’ ବିକୁଥିବା ଦୋକାନୀ ଶିବଶଙ୍କର ଜେନା ନିଜ ରୋଜଗାରରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୮ ହଜାର ୩୫୦ ଟଙ୍କା ଦାନ କରିଛନ୍ତି ।ବୁଧବାର ୨୦ ତାରିଖ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଭେଟି ଏହି ରାଶିର ଚେକ୍ ପ୍ରଦାନ କରିଛନ୍ତି ।
ଏହି ଅବସରରେ ଶିବଶଙ୍କର କହିଛନ୍ତି, ସେ ଜଣେ କୋଭିଡ୍ ଯୋଦ୍ଧା ଭାବେ କାର୍ଯ୍ୟ କରିଥିଲେ ।ପ୍ରଥମ ଅବସ୍ଥାରେ ଆବିଷ୍କୃତ ହେଉଥିବା ଟିକାର ପରୀକ୍ଷାତ୍ମକ ପ୍ରୟୋଗ ନିଜ ଉପରେ କରାଇବା ପାଇଁ ସେ ସ୍ୱେଚ୍ଛାକୃତ ଭାବେ ଆଗଭର ହୋଇଥିଲେ ।ଟିକା ନେବା ପୂର୍ବ ଏବଂ ପରେ ବିଭିନ୍ନ ପ୍ରକାର ଡ଼ାକ୍ତରୀ ପରୀକ୍ଷା ପାଇଁ ମଧ୍ୟ ସେ ସମ୍ ହସ୍ପିଟାଲ୍ କୁ ଯିବା ଆସିବା କରୁଥିଲେ ।ଏହି ଖର୍ଚ୍ଚ ବାବଦରେ ତାଙ୍କୁ ୬ହଜାର ୭୫୦ ଟଙ୍କା ମିଳିଥିଲା ।ଟିକା ପରୀକ୍ଷଣ ସଫଳ ହେବାରୁ ସେ ବହୁତ ଆନନ୍ଦିତ ହେବା ସହ ଆତ୍ମସନ୍ତୋଷ ଲାଭ କରିଥିଲେ ।
ସେହି ରାଶି ସହ ଚା’ ବେପାରରୁ ମିଳିଥିବା ୧ ମାସର ଲାଭ ମିଶାଇ ଶିବଶଙ୍କର ସମୁଦାୟ ୧୮ ହଜାର ୩୫୦ ଟଙ୍କା ର ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଥିବା କହିଛନ୍ତି ।ପ୍ରତିବର୍ଷ ଦୋକାନରୁ ୧ ମାସର ରୋଜଗାର ସେ କୌଣସି ନା କୌଣସି ଅଭାବଗ୍ରସ୍ତ, ଦିବ୍ୟାଙ୍ଗ ଓ ନିଃସହାୟଙ୍କ ସହାୟତା ବା ସମାଜ କଲ୍ୟାଣ କାମରେ ବିନିଯୋଗ କରିଥାନ୍ତି ।ବିଗତ ୧୦ ବର୍ଷ ଧରି ସେ ଏ ପ୍ରକାର ମାନବିକ ସେବା କାର୍ଯ୍ୟ କରୁଥିବା ତାଙ୍କୁ ଜାଣିଥିବା ଲୋକମାନେ କହିଛନ୍ତି ।
ଶିବଶଙ୍କରଙ୍କ ଏଭଳି ପରୋପକାରୀ ଓ ମାନବିକତା ପୂର୍ଣ୍ଣ କାର୍ଯ୍ୟ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସ।ଧୁବାଦ ଜଣାଇବା ସହ ତାଙ୍କର ଉତ୍ତୋରତ୍ତେର ମଙ୍ଗଳ କାମନା କରିଥିଲେ ।ଚେକ୍ ପ୍ରଦାନ ସମୟରେ ବିଧାୟକ ଅନନ୍ତ ନାରାୟଣ ଜେନା ଓ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଉପସ୍ଥିତ ଥିଲେ ।
https://socialnewsodiaofficial.blogspot.com
0 Comments