25-APRIL-2022
📌
BY Srinibash Rout in Odisha
ଗ୍ରାମ ରୋଜଗାର ସେବକଙ୍କର ୫୯ଟି ପ୍ଲଟ୍ ଠାବ। ପ୍ରାଇମ୍ ଲୋକେସନ୍ରେ ରହିଛି ସମସ୍ତ ପ୍ଲଟ୍। ନନ୍ଦନକାନନ ରୋଡ଼ ରଘୁନାଥପୁରରେ ୧.୨୪ କୋଟିର ତିନି ମହଲା ଘର ରହିଛି।ବ୍ୟାଙ୍କ୍ ଜମା ଓ ଇନ୍ସୁରାନ୍ସ ଜମା ଯାଞ୍ଚ୍ କରୁଛି ଭିଜିଲାନ୍ସ ଟେକ୍ନିକାଲ ଟିମ୍।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଉପକଣ୍ଠ କଳାରାହାଙ୍ଗ ଗ୍ରାମପଞ୍ଚାୟତର ଜିଆରଏସ୍ ଥିବା ବାବୁଲି ଚରଣ ପଢ଼ିଆରୀଙ୍କ ଘରେ ସୋମବାର ୨୫ ତାରିଖ ଭିଜିଲାନ୍ସ ଚଢ଼ାଉ ହୋଇଛି ।ଏକକାଳୀନ ତାଙ୍କର ୬ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। ରଘୁନାଥପୁର ମାଉସୀ ମା’ ମନ୍ଦିର ନିକଟ ପ୍ଲଟ୍ ନମ୍ବର ୧୪୬/୩୭୩୬ରେ ଥିବା ଏକ ତିନି ମହଲା ଘର, ରଘୁନାଥପୁରରେ ଥିବା ଏକ ଦୁଇ ମହଲା ଘର, ଏକ ଆଜବେଷ୍ଟସ ଘରେ ଚଢ଼ାଉ ହୋଇଛି।
ଚଢ଼ାଉ ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ବିଭାଗ। ବାବୁଲି ଙ୍କ ନାମରେ ୫୯ ଟି ପ୍ଲଟ୍, ସୁନା ରୂପା ଗହଣା, ବ୍ୟାଙ୍କ୍ ବାଲାନ୍ସ, ଇନ୍ସ୍ୟୁରାନ୍ସ ପଲିସି କରି ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ ।ସମସ୍ତ ୫୯ଟି ପ୍ଲଟ୍ ଭୁବନେଶ୍ୱରର ପ୍ରାଇମ୍ ଲୋକେସନ୍ରେ ରହିଛି ।ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଆକଳନ କରିଛି ଭିଜିଲାନ୍ସ ।
କୋଟିପତି ଜିଆରଏସ୍ ହେଉଛନ୍ତି ବାବୁଲି ଚରଣ ପଢ଼ିଆରୀ ।ଖୋର୍ଦ୍ଧା କଳାରାହାଙ୍ଗ ଗ୍ରାମ ପଂଚାୟତରେ ଜିଆରଏସ୍ ଭାବେ କାମ କରୁଛନ୍ତି ।ଦରମା ୭ ହଜାର ୩୦୦ ଟଙ୍କା ।କାମ ଏମଜିଏନଆରଇଜିଏରେ ୱର୍କ ଡିମାଣ୍ଡ କରିବା ।ଶ୍ରମିକଙ୍କ ଜବ କାର୍ଡ ଏଣ୍ଟ୍ରି କରିବା ।କେଉଁ ଲେବର କେତେ ଦିନ କାମ କଲେ ଓ କେତେ ଟଙ୍କା ପାରିଶ୍ରମିକ ପାଇବେ ତାର ଏକ ମଷ୍ଟର ରୋଲ ତିଆରି କରି କାମ କରୁଥିବା ଠିକାଦାରକୁ ଟଙ୍କା ପ୍ରଦାନ କରିବା ଓ ବିଡ଼ିଓଙ୍କୁ ହିସାବ ଦେବା ହେଉଛି ପ୍ରମୁଖ କାମ ।ତେବେ ଏହି କାମରୁ ଏତେ ଟଙ୍କା ଆୟ କେମିତି କଲେ ସେ ନେଇ ପ୍ରଶ୍ନ ଉଠିଛି ।ଆଖି ଟେରା ହୋଇଯିବା ଭଳି ସମ୍ପତ୍ତି ଦେଖି ଭିଜିଲାନ୍ସ ଅଫିସର୍ ମାନେ ତଦନ୍ତ ଜାରି ରଖିଛନ୍ତି। ବ୍ୟାଙ୍କ୍ ଡିପୋଜିଟ୍, ବୀମା ଓ ଅନ୍ୟ ଧନ ସମ୍ପତ୍ତି ଖୋଜୁଛି ଭିଜିଲାନ୍ସ ବିଭାଗ। ଆକଳନ ଶେଷ ହୋଇ ନ ଥିବାରୁ ଆହୁରି ସମ୍ପତ୍ତି ମିଳିବ ବୋଲି ଅନୁମାନ କରାଯାଉଛି ।
https://socialnewsodiaofficial.blogspot.com
0 Comments