22-APRIL-2022


📌


Published by Srinibash Rout in Odisha

ଜଳଛତ୍ର ମାଠିଆରୁ ପାଣି ପିଇ ୩ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଏମ୍‌ଭି ୭୯ ଥାନା ଶିମିଳିବାଞ୍ଛା ପଞ୍ଚାୟତର ଏମ୍‌ଭି ୪୯ ଗାଁରେ। ସୂଚନାନୁଯାୟୀ, ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏମ୍‌ଭି ୪୯ ଗ୍ରାମରେ ରେ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ଜଳ ଛତ୍ର ଖୋଲା ଯାଇଥିଲା ।ଗତକାଲି ଅର୍ଥାତ୍ ଗୁରୁବାର ୨୧ ତାରିଖ ରାସ୍ତାରେ ଯାଉଥିବା ୩ ଜଣ ବାଟୋଇ ଏଥିରୁ ପାଣି ପିଇ ଥିଲେ ।ପାଣି ପିଇବାର କିଛି ସମୟ ପରେ ଜଣଙ୍କ ପରେ ଜଣେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ସେମାନଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ଖବର ପାଇ ଗାଁ ଲୋକ ସେଠାରେ ପହଞ୍ଚି ପ୍ରଥମେ ସମସ୍ତଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିଛି ବିଷାକ୍ତ ଜିନିଷ ଖାଇବା ଯୋଗୁ ତିନି ଜଣ ଅସୁସ୍ଥ ଥିବା ଡ଼ାକ୍ତର କହିଛନ୍ତି। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡ଼ାକ୍ତର କହିଛନ୍ତି।


ଜଳଛତ୍ର ପାଣିରେ କେହି ଦୁର୍ବୃତ୍ତ ବିଷ ମିଶାଇ ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି। ଜଳ ଛତ୍ର ପାଣିକୁ ପରୀକ୍ଷା କଲେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଅସୁସ୍ଥ ମାନେ ହେଲେ ନାବାଳିକା ବିଶାଖା ଗୋଲଦାର (୧୩), ଦେବବ୍ରତ କୋଏଲ (୨୪) ଏବଂ ଏମ୍‌ଭି ୧୧୬ ଗ୍ରାମର ତୁସାର ମଣ୍ଡଳ (୨୨) ବୋଲି ଜଣାପଡ଼ିଛି। 


ଗ୍ରାମବାସୀ ଓ ପଞ୍ଚାୟତ ଉଦ୍ୟମରେ ଏମ୍‌ଭି ୪୯ ଗ୍ରାମର ମୁଖ୍ୟ ଛକ ଠାରେ ଏକ ସପ୍ତାହ ତଳେ ଗୋଟିଏ ଜଳଛତ୍ର କେନ୍ଦ୍ର ଖୋଲାଯାଇଥିଲା। ଗଛ ମୂଳରେ କିଛି ମାଠିଆରେ ପାଣି ଭରି କରି ରଖାଯାଇଥିଲା। ଗ୍ରାମବାସୀମାନେ ଜଣେ ମହିଳାଙ୍କୁ ଚୟନ କରି ଏହି କାର୍ଯ୍ୟରେ ନିୟୋଜିତ କରିଥିଲେ। ପଞ୍ଚାୟତ ତରଫରୁ ମହିଳା ଜଣଙ୍କୁ ପାରିଶ୍ରମିକ ଦେବା ପାଇଁ ସ୍ଥିର ମଧ୍ୟ କରାଯାଇଥିଲା। ତେବେ ମହିଳା ଜଣଙ୍କ ପ୍ରତ୍ୟେକ ଦିନ ଭଳି ମାଟି ହାଣ୍ଡିରେ ପାଣି ରଖି ସେଠାରେ ରହିଥିବା ବେଳେ ଦିନ ୩ ଟା ସମୟରେ କୌଣସି କାମରେ ନିଜ ଘରକୁ ଚାଲି ଯାଇଥିଲେ। ଏହି ସମୟରେ ସେଠାରେ ଲୋକମାନେ ପହଞ୍ଚି ଜଳଛତ୍ର କେନ୍ଦ୍ରରୁ ପାଣି ପିଇ ଥିଲେ।




https://socialnewsodiaofficial.blogspot.com