04-MAY-2022
📌
BY: SRINIBASH ROUT
ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟବାସୀ ଏବେ ଛଟପଟ ।ଘରେ ହେଉ ବା ବାହାରେ ସବୁଠି ଗରମରୁ ଟିକେ ରକ୍ଷା ପାଇବା ପାଇଁ କଲବଲ ହେଉଛନ୍ତି ।ଏମିତି କି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି ।
ସେପଟେ ଗାଁ ଠୁ ସହର ସବୁଠି ଦେଖା ଗଲାଣି ଜଳକଷ୍ଟ ।ଜଳାଶୟ ଗୁଡ଼ିକରୁ ପାଣି ଶୁଖିଗଲାଣି ।ସେପଟେ ଟୋପେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଅଞ୍ଚଳବାସୀ ।ସରକାର ରାଜ୍ୟର ସବୁ ଅଞ୍ଚଳର ଲୋକେ ଘରକୁ ଘର ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରୁଥିବା କହୁଛନ୍ତି ।ହେଲେ ଆଜି ବି ଏମିତି ଅନେକ ଅଞ୍ଚଳ ରହିଛି ଘରକୁ ଘର ତ ଦୂରର କଥା ଲୋକେ ଟୋପେ ପାଣିପାଇଁ ମାଇଲ୍ ମାଇଲ୍ ଦୂର ଯିବା ସହ ନଦୀ, ନାଳ, ଚୁଆ ଆଦି ସ୍ଥାନରୁ ଦୂଷିତ ଜଳ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି ।
ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ୍ ତିଲୋରୀ ଗ୍ରାମପଞ୍ଚାୟତ ରେ। ତିଲୋରୀ ଗ୍ରାମପଞ୍ଚାୟତର ୧୦ନମ୍ବର ୱାର୍ଡରେ ରହିଛି ଅରାକାମ୍ବା ଗ୍ରାମ ।ଏହି ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ୭୦ରୁ ଉର୍ଦ୍ଧ୍ବ ପରିବାରର ପ୍ରାୟ ୩ଶହ ରୁ ଉର୍ଦ୍ଧ୍ବ ଲୋକେ ବସବାସ ରହୁଛନ୍ତି ।ତେବେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ଏହି ଅରାକାମ୍ବା ଗ୍ରାମବାସୀ ।ବର୍ଷ ବର୍ଷ ଧରି ଏହି ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗି ରହିଥିଲେ ମଧ୍ୟ ଏଯାବତ୍ କୌଣଶି ସମାଧାନ ହୋଇ ପାରିନାହିଁ ।ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରିନଥିବା ଅଭିଯୋଗ ହେଉଛି ।ଯାହା ଫଳରେ ବାଧ୍ୟ ହୋଇ ଏହି ଗ୍ରାମବାସୀମାନେ ଗାଁ ନିକଟସ୍ଥ ଗୁମାଡ଼ି ନଦୀ, ନାଳ ଓ ଚୁଆ ର ଦୂଷିତ ଜଳ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି ।
ଗାଁରେ ଥିବା ଏକମାତ୍ର ନଳକୂପ ରୁ ଗୋଳିଆ ପାଣି ଆସୁଥିବା ଓ ଗାଁ ରେ ଥିବା ଗୋଟିଏ କୂଅ ଖରା ଦିନେ ଶୁଖି ଯାଉଥିବା ଯୋଗୁଁ ଗ୍ରାମବାସୀ ମାନେ ବାଧ୍ୟ ହୋଇ ଗାଁ ଠାରୁ ଦୂରରେ ଥିବା ନଦୀର ପାଣିକୁ ଛାଣି ଆଣି ତାହାକୁ ବ୍ୟବହାର କରୁଥିବା ଗ୍ରାମବାସୀମାନେ କହିଛନ୍ତି ।ଫଳରେ ବିଭିନ୍ନ ସମୟରେ ବିଭିନ୍ନ ରୋଗର ଶିକାର ହେଉଥିବା ଗ୍ରାମର ମହିଳା ମାନେ ପ୍ରକାଶ କରିଛନ୍ତି ।ବର୍ଷା ଦିନେ ଗ୍ରାମବାସୀ ଦୂଷିତ ଜଳକୁ ବ୍ୟବହାର କରୁଥିବା ବେଳେ ଖରା ଦିନେ ପାଣି ପାଇଁ ଗ୍ରାମବାସୀ ମାନେ ଡହକ ବିକଳ ହେଉଛନ୍ତି ।
ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ଗ୍ରାମବାସୀମାନେ ବାରମ୍ବାର ପ୍ରଶାସନ ନିକଟରେ ଜଣାଇଛନ୍ତି ହେଲେ ଫଳ ଶୂନ ।ରାଜ୍ୟ ସରକାରଙ୍କ ବସୁଧା ଯୋଜନା ଏହି ଗ୍ରାମବାସୀଙ୍କ ଭାଗ୍ୟରେ ନାହିଁ ।ହେଲେ ଏତେ ସବୁ ଯୋଜନାର ମୂଲ୍ୟ କ'ଣ ? ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଓ ଇଚ୍ଛାଶକ୍ତି ଅଭାବରୁ ନିରୀହ ଆଦିବାସୀ ଅଞ୍ଚଳବାସୀ ଏଭଳି ଅଭିଶପ୍ତ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି ।ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ସତର୍କ ଦୃଷ୍ଟି ଦେବା ଆବଶ୍ୟକ ହୋଇପଡ଼ିଛି ।
https://socialnewsodiaofficial.blogspot.com
0 Comments