10/MAY/2022
📌
BY: SRINIBASH ROUT
ଦୀର୍ଘବର୍ଷ ପରେ ପ୍ରମୋଦିନୀ ରାଉଳ ଏସିଡ୍ ଆକ୍ରମଣ ଘଟଣାରେ ରାୟ ଶୁଣାଇଛନ୍ତି ଜଗତସିଂହପୁର ସହକାରୀ ଦୌରାଜଜ୍ ତଥା ମହିଳା କୋର୍ଟ ବିଚାରପତି ରଶ୍ମିତା ସାହୁ। ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ଅନିଲ ଓରଫ୍ ବିଶ୍ୱଜିତ୍ ଦଳସିଂରାୟଙ୍କୁ ୧୪ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଲେଖାଏଁ ଜୋରିମାନା, ଅନାଦେୟ ହେଲେ ୯ ମାସ ଲେଖାଏଁ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ଅଛି। ୨୦୦୯ ଏପ୍ରିଲ ୧୮ ତାରିଖ ଦିନ ଘଟିଥିଲା ଏକ ଚାଞ୍ଚଲ୍ୟକର ଘଟଣା ।
ଖବର ଅନୁଯାୟୀ, ଜଗତସିଂହପୁରର ପ୍ରମୋଦିନୀଙ୍କୁ ଏକ ତରଫା ପ୍ରେମ ନିବେଦନ କରିଥିଲେ ଯବାନ ସନ୍ତୋଷ ବେଦାନ୍ତ ।କିନ୍ତୁ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ ପ୍ରମୋଦିନୀ ।ଏହା ଶୁଣି ସନ୍ତୋଷ ରାଗିଯାଇଥିଲା ।ଆଉ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲା ।ଦିନେ ପ୍ରମୋଦିନୀ ତାଙ୍କ ମାଉସୀ ଘରୁ ନିଜ ଘରକୁ ଫେରୁଥିବା ବେଳେ କନକପୁର ବିଏସ୍ଏନ୍ଏଲ୍ ଟେଲିଫୋନ୍ ଏକ୍ସଚେଞ୍ଜ ନିକଟରେ ସନ୍ତୋଷ ବେଦାନ୍ତ ସହଯୋଗୀ ବିଶ୍ୱଜିତ୍ ଦଳସିଂରାୟଙ୍କ ସହ ମିଶି ପ୍ରମୋଦିନୀଙ୍କ ଉପରକୁ ଏସିଡ୍ ମାଡ଼ କରି ଫେରାର ହୋଇଯାଇଥିଲେ। ଏହି ଏସିଡ୍ ମାଡ଼ରେ ପ୍ରମୋଦିନୀଙ୍କ ଶରୀର ୮୦ ପ୍ରତିଶତ ଜଳି ଯାଇଥିଲା। ପରେ ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଦୀର୍ଘ ୨ ବର୍ଷ ଚିକିତ୍ସା କରାଯାଇଥିଲେ ହେଁ ତାଙ୍କ ପୂର୍ବ ଚେହେରା ଫେରି ନ ଥିଲା ।
ସେପଟେ ଘଟଣାର ୩ ବର୍ଷ ପରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ନ ପାରି ମାମଲାକୁ ବନ୍ଦ୍ କରିଦେଇଥିଲା ପୋଲିସ। କିନ୍ତୁ ୨୦୧୭ ମସିହାରେ ତତ୍କାଳୀନ ଜଗତସିଂହପୁର ଏସ୍.ପି ଜୟନାରାୟଣ ଶଙ୍କର ଏହି ମାମଲାକୁ ଗୁରୁତ୍ୱ ଦେଇ ରିଓପନ କରିବାକୁ ପଦକ୍ଷେପ ନେଇଥିଲେ। ପ୍ରମୋଦିନୀ ଏସ୍.ପିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କଲା ପରେ ୪ ସେପ୍ଟେମ୍ବର ୨୦୧୭ରେ ମାମଲାର ତଦନ୍ତ ଆରମ୍ଭ ହୋଇଥିଲା। ଗତକାଲି ଅର୍ଥାତ୍ ସୋମବାର ୦୯ ତାରିଖ ଏହି ମାମଲାର ରାୟ ପ୍ରକାଶ ପାଇଛି। ଉକ୍ତ ରାୟରେ ଅଭିଯୁକ୍ତଙ୍କୁ ୧୪ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ସହ ୧୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
(ସରକାରଙ୍କ ପକ୍ଷରୁ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ଏହି ମାମଲାର ପରିଚାଳନା କରିଥିଲେ)
https://socialnewsodiaofficial.blogspot.com
0 Comments