20/MAY/2022
📌
BY: SRINIBASH ROUT
କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ। ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ପୀଠ। ମା’ ଚଣ୍ଡୀଙ୍କ ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅର୍ଥାତ୍ ୧୮ ତାରିଖ ଅନୁମୋଦନ କରିଛନ୍ତି। ଏଥିପାଇଁ ଖର୍ଚ୍ଚ ହେବ ୭୦ କୋଟି ଟଙ୍କା। ଭକ୍ତମାନଙ୍କ ପାଇଁ ବିଭନ୍ନ ସୁବିଧା ସୁଯୋଗ ସହିତ ଏକ ସୁନ୍ଦର ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯିବା ଉଦ୍ଦେଶ୍ୟରେ ଏହି ଅର୍ଥକୁ ବିନିଯୋଗ କରାଯିବା ସହ ବର୍ଷକ ମଧ୍ୟରେ ମନ୍ଦିରର ନବର୍ନିମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ ରଖାଯାଇଛି। ବିସିସି ଦ୍ଵାରା ପ୍ରସ୍ତୁତ ଏହି ଯୋଜନା ଅନୁଯାୟୀ ମନ୍ଦିର ପରିସରକୁ ଅଧିକ ଆକର୍ଷଣୀୟ କରାଯିବ। ମନ୍ଦିର ଚତୁଃପାର୍ଶ୍ଵରେ ପଥର ପାଚେରି ନିର୍ମାଣ ସହିତ ଚାରି ଦିଗରେ ଚାରିଟି ଦ୍ଵାର ନିର୍ମାଣ କରାଯିବ। ଏହା ସହିତ ମନ୍ଦିର ପରିସରରେ ନୂଆ ଜଗମୋହନ, ଯଜ୍ଞ ମଣ୍ଡପ, ଚଣ୍ଡୀପାଠ ମଣ୍ଡପ, ମୁଣ୍ଡନ ମଣ୍ଡପ, ହନୁମାନ ମନ୍ଦିର ଏବଂ ନୂଆ ରୋଷଘର ମଧ୍ୟ ନିର୍ମାଣ କରାଯିବ। ମନ୍ଦିର ପରିସରରେ ଖଣ୍ଡାଲାଇଟସ୍ ପଥର ବିଛାଯିବା ସହିତ ଆଲୋକୀକରଣ କରାଯିବ ଏବଂ ସିସିଟିଭି ମଧ୍ୟ ଲଗାଯିବ। ବାଟ ମଙ୍ଗଳା ମନ୍ଦିର ମଧ୍ୟ ପୁନଃ ନିର୍ମାଣ କରାଯିବ। ଯାତ୍ରୀମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବରେ ମା’ଙ୍କ ଦର୍ଶନ କରିପାରିବେ, ସେଥିପାଇଁ ପୋଲିସ କଣ୍ଟ୍ରୋଲ ରୁମ୍, ପ୍ରସାଦ ସେବନ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ ଏବଂ ବ୍ୟାଖାନ କେନ୍ଦ୍ର ଆଦି ବ୍ୟବସ୍ଥା ଉପରେ ଗୁରୁତ୍ଵ ଦିଆଯିବ। ଏହା ସହିତ ଯାତ୍ରୀମାନଙ୍କ ରହିବା ପାଇଁ ଯାତ୍ରୀ ନିବାସ। ବିସ୍ଥାପିତ ଦୋକାନୀମାନଙ୍କ ପାଇଁ ୧୮ଟି ଦୋକାନ, ମନ୍ଦିର ପରିସରରେ ସେବାୟତମାନଙ୍କ ପାଇଁ ବିଶ୍ରାମ ଗୃହ ଏବଂ ଅଫିସ ଗୃହ ଆଦି ନିର୍ମାଣ କରାଯିବ। ପାର୍କିଂ ସୁବିଧା ରହିବ।
ଓବିସିସି ଜରିଆରେ ଯୋଜନା କାର୍ଯ୍ୟକାରୀ ହେବ। ଏହି ଯୋଜନାରେ ପାରିପାର୍ଶ୍ଵକ ଅଞ୍ଚଳର ବିକାଶ ସହ ମନ୍ଦିର ନିକଟରେ ଭାରୀଯାନ ନିୟନ୍ତ୍ରଣ, ଯାତ୍ରୀଙ୍କ ପାଇଁ ବିଭିନ୍ନ ମୌଳିକ ସୁବିଧା, ଜଳ ନିଷ୍କାସନ ଆଦି ବିଭିନ୍ନ ସମସ୍ୟାର ସମାଧାନ ସହ କଟକ ଚଣ୍ଡୀ ମନ୍ଦିରକୁ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ଗୁରୁତ୍ଵା ଆରୋପ କରାଯାଇଛି। ଚଣ୍ଡୀ ମନ୍ଦିର ରାସ୍ତାର ଅତ୍ୟନ୍ତ ନିକଟରେ ଥିବାରୁ ଭାରିଯାନ ଚଳାଚଳ, ଯାତ୍ରୀମାନଙକ ନିରାପତ୍ତା ଉପରେ ବିପଦ ସୃଷ୍ଟି କରୁଛି। ତେଣୁ ଚଣ୍ଡୀ ମନ୍ଦିର ସମ୍ମୁଖ ରାସ୍ତାକୁ ଡାଇଭର୍ଟ କରାଯିବ। ଜଳ ନିଷ୍କାସନକୁ ଦୃଷ୍ଟିର ରଖି ମନ୍ଦିର ଚଟାଣକୁ ଉଚ୍ଚା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ଚଣ୍ଡୀ ମନ୍ଦିର ରାଜ୍ୟର ଏକ ପ୍ରାଚୀନ ଶକ୍ତିପୀଠ। ବର୍ଷ ସାରା ହଜାର ହଜାର ଭକ୍ତ ମା’ଙ୍କ ଦର୍ଶନ ଲାଗି ପ୍ରତିଦନ ଏଠାକୁ ଆସିଥାନ୍ତି। ଦୁର୍ଗାପୂଜା ସମୟରେ ମା’ଙ୍କ ଷୋଡଶ ଦିନାତ୍ମକ ପୂଜାରେ ମା’ଙ୍କର ବିଭିନ୍ନ ବେଶ ଦେଖିବା ପାଇଁ ଏଠାରେ ପ୍ରବଳ ଜନସମାବେଶ ହୋଇଥାଏ।
ଗତ ମାସ ୨୧ ତାରିଖ ଦିନ ୫ଟି ସଚିବ ଭି.କେ. ପାଣ୍ଡିଆନ ମା'ଙ୍କ ପୀଠକୁ ଆସି ବିକାଶ ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ଓ ସେବାୟତ ଓ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।
https://socialnewsodiaofficial.blogspot.com
0 Comments