12/MAY/2022
📌
BY: SRINIBASH ROUT
ରାଜଧାନୀ ଭୁବନେଶ୍ୱରରେ ପୁଣି ଆରମ୍ଭ ହେଲା ଏନକାଉଣ୍ଟର। ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଆହତ ହୋଇଥିବା ବେଳେ ଖସି ଯାଇଛନ୍ତି ତା’ ସହଯୋଗୀ ।ଭୁବନେଶ୍ୱର ବରମୁଣ୍ଡା ମେଲଣ ପଡ଼ିଆରେ ଏନକାଉଣ୍ଟର କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ।ଚକରାର ଡ଼ାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ଆହତ ଅବସ୍ଥାରେ ତାକୁ ଚିକିତ୍ସା ପାଇଁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ଓ ପରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି ।ତାସହ ଦୁଇ ଜଣ ପୋଲିସ ଅଧିକାରୀ ବି ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ, ୪ ରାଉଣ୍ଡ ଅଫୁଟା ଗୁଳି, ୬ଟି ଅଫୁଟା ବୋମା, କାର୍ ଭିତରୁ ୩ଟି ମୋବାଇଲ୍ ସହ ମଦ ବୋତଲ ଜବତ୍ ହୋଇଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି।
ପୋଲିସ୍ ସୂଚନା ମୁତାବକ, ଆଜି ଅର୍ଥାତ୍ ଗୁରୁବାର ୧୨ ତାରିଖ ଭୋର ପ୍ରାୟ ୪ଟା ସମୟରେ ବରମୁଣ୍ଡା ମେଲଣ ପଡ଼ିଆରେ ଅପରାଧୀ ଚକରା ଓ ତାର କିଛି ସହଯୋଗୀ ଏକାଠି ହୋଇ ଅପରାଧ ଘଟାଇବା ପାଇଁ ଯୋଜନା କରୁଥିଲେ ।ଖବର ପାଇ ପୋଲିସ ଧରିବାକୁ ଯାଇଥିଲା ।ପୋଲିସ ସେମାନଙ୍କ ନିକଟକୁ ଆସୁଥିବା ଦେଖି ଚକରା ଓ ତାର ସହଯୋଗୀ ପୋଲିସ ଉପରକୁ ବୋମାମାଡ଼ କରିବା ସହ ଗୁଳି ଚାଳଇଥିଲେ ।ଏହାର ଜବାବରେ ପୋଲିସ ଏନକାଉଣ୍ଟର କରିଥିଲା ।ପୋଲିସ ଗୁଳିରେ ଚକରା ଆହତ ହୋଇଥିବା ବେଳେ ଗ୍ୟାଙ୍ଗର ଆହୁରି ୫ ରୁ ୬ ଜଣ ଅପରାଧୀ ଫେରାର ହୋଇଯାଇଛନ୍ତି ।
ବନ୍ଧୁକ ଗୁଳି ଗୋଳା ଓ ହାତବୋମା ଧରି ବାହାରୁଥିବା ଅପରାଧି ଚକରାର ଡ଼ାହାଣ ଗୋଡ଼ରେ ପୋଲିସର ଗୁଳି ବାଜିଛି ।
କୁଖ୍ୟାତ ଅପରାଧୀ ରବି ରାଓର ମୁଖ୍ୟ ସହଯୋଗୀ ଥିଲା ଚକରା ବାରିକ। ଉଭୟେ ଏକ ଗ୍ୟାଙ୍ଗ ତିଆରି କରି ବନ୍ଧୁକ ମୁନରେ ଲୁଟପାଟ ଠାରୁ ଆରମ୍ଭ କରି ଛିନତାଇ କରି ଆତଙ୍କ ଖେଳାଉଥିଲେ ।ଚକରା ନାଆରେ ବିଭିନ୍ନ ଥାନାରେ ୨୫ରୁ ଊର୍ଦ୍ଧ୍ୱ ଅପରାଧିକ ମାମଲା ଅଛି। ବର୍ତ୍ତମାନ ଚକରା ବାରିକର କ୍ରାଇମ୍ ହିଷ୍ଟ୍ରି ଖୋଜିବା ସହ ପୋଲିସ ଅନ୍ୟ ଅପରାଧିଙ୍କ ସୁରାକ ଖୋଜୁଛି ।ତେବେ ଏହି ଘଟଣା ପରେ ସହର ଭିତରେ ଏଭଳି ଦୌରାତ୍ମ୍ୟ କରୁଥିବା ଅପରାଧୀଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟିହେବା ଆଶା କରାଯାଉଛି ।ସହରରେ ବଢ଼ୁଥିବା କ୍ରାଇମରେ ଏକ ପ୍ରକାର ବ୍ରେକ ଲାଗିବ ବୋଲି ଅନୁମାନ କରାଯାଉଛି ।ଭୁବନେଶ୍ୱରରେ ନୂତନ ଭାବେ ଡିସିପି ପ୍ରତୀକ ସିଂହ ଦାୟିତ୍ୱ ନେବା ପରେ ଏହା ପ୍ରଥମ ଏନକାଉଣ୍ଟର ।ସେ ଗତ ସପ୍ତାହରେ ଦାୟିତ୍ୱ ଗ୍ରହଣ କରିଥିଲେ ।
https://socialnewsodiaofficial.blogspot.com
0 Comments