26/MAY/2022


📌


BY: SRINIBASH ROUT

ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପ ସହାୟକ। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ ଜଳ ଛାୟା ବିଭାଗର ପ୍ରକଳ୍ପ ସହଯୋଗୀ ନଗେନ୍ଦ୍ର ନାଥ ସ୍ୱାଇଁ ଚାରୋଟି ପୋଖରୀ ଖୋଳା କାମ ବାବଦ ବିଲ୍ କରିବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ତାଙ୍କ ପାଖରୁ ରଙ୍ଗ ବୋଳା ଟଙ୍କା ଜବତ୍ କରାଯାଇଛି। ଏହା ସହ ନଗେନ୍ଦ୍ର ନାଥଙ୍କ ଅଫିସ୍ ଏବଂ ବାଲିଗୁଡ଼ା ବାସଭବନ ଓ ଫୁଲବାଣୀ ବାସଭବନରେ ଚଢ଼ାଉ କରିଛି ଫୁଲବାଣି ଭିଜିଲାନ୍ସ ଟିମ୍। କିନ୍ତୁ ଏବେ ଯାଏଁ ଚଢ଼ାଉ ନେଇ କିଛି ସ୍ପଷ୍ଟ ଭାବେ ସୂଚନା ମିଳିନାହିଁ ।ଖବର ଅନୁଯାୟୀ, ଜଳଛାୟା ବିଭାଗ ପକ୍ଷରୁ ତୁମୁଡ଼ିବନ୍ଧ ବ୍ଲକ୍ ଗୁମା ପଞ୍ଚାୟତ ଡୁ଼ପି ଇଡିପଦର ଗ୍ରାମରେ ୪ ଜଣ ହିତାଧିକାରୀଙ୍କ ଚାରୋଟି ପୋଖରୀ ଖନନ କାର୍ଯ୍ୟ ହୋଇଥିଲା। ଜଣେ ହିତାଧିକାରୀଙ୍କ ସମ୍ପର୍କୀୟ ଦାଦା ସୁବାସ ମଲ୍ଲିକ କାମ ବୁଝାବୁଝି କରୁଥିଲେ। ହେଲେ କାମର ମଷ୍ଟରରୋଲ ବାହାର କରିବା ପାଇଁ ନଗେନ୍ଦ୍ରନାଥ ଗୋଟିଏ ପୋଖରୀ ପିଛା ୩୦ ହଜାର ଲେଖାଏଁ ଟଙ୍କା ଦାବି କରିଥିଲେ। ହିତାଧିକାରୀ ଏହା ଦେଇ ପାରିବେ ନାହିଁ କହିଥିଲେ। ପରେ ୧ ଲକ୍ଷ ଟଙ୍କାରେ କଥା ଛିଡ଼ି ଥିଲା। ଏନେଇ ସୁବାସ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୂତାବକ ବୁଧବାର ୨୫ ତାରିଖ କୁର୍ତମଗଡ ଠାରେ ଟଙ୍କା ନେବା ପାଇଁ ନଗେନ୍ଦ୍ର ନାଥ ପହଞ୍ଚିଥିଲେ। ବଜାର ଠାରୁ କିଛି ଦୂର ଜଙ୍ଗଲ ଭିତର ରାସ୍ତାରେ ସୁବାସ ରହିଥିଲେ। ସେଠାରେ ନଗେନ୍ଦ୍ର ନାଥ ପହଞ୍ଚି ୫୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିଥିଲେ। ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀ ନଗେନ୍ଦ୍ର ନାଥଙ୍କୁ ଧରି ତାଙ୍କ ପାଖରୁ ଟଙ୍କା ଜବତ କରିବା ସହ ଗିରଫ କରିଥିଲେ। ଏନେଇ ଭିଜିଲାନ୍ସ ପକ୍ଷରୁ ୬/୨୨ ରେ ମାମଲା ରୁଜୁ ହୋଇଥିବା ଭିଜିଲାନ୍ସ ଡି.ଏସ୍‌.ପି ଅରୁଣ ନାୟକ ଜଣାଇଛନ୍ତି। 




https://socialnewsodiaofficial.blogspot.com