26/MAY/2022
📌
BY: SRINIBASH ROUT
ଲକ୍ଷ ଲକ୍ଷ ଟଙ୍କା ପାଣିରେ, ନିର୍ମାଣର ୧୫ଦିନ ନହେଉଣୁ ଭୁଶୁଡିଲା ଚେକଡ୍ୟାମ୍। ଅନ୍ୟପଟେ ପ୍ରକଳ୍ପ ନିର୍ମାଣ ପାଇଁ ଲାଗିଥିବା ସୂଚନା ଫଳକରେ କାର୍ଯ୍ୟର ୱାର୍କକୋଡ୍, ପ୍ରକଳ୍ପ ଆରମ୍ଭ ଏବଂ ଶେଷ ତାରିଖ ଉଲ୍ଲେଖ ନଥିବା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ରହିଥିବା ମଧ୍ୟ ଅନୁମାନ କରାଯାଉଛି।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଛତ୍ରଙ୍ଗ ପଞ୍ଚାୟତ ଅର୍ନ୍ତଗତ ଟାଙ୍ଗରୁକୁମ୍ପା ଗ୍ରାମ ନିକଟରେ ମନରେଗା ଯୋଜନାରେ ପଞ୍ଚାୟତ ପକ୍ଷରୁ ୧୫ଦିନ ତଳେ ନିର୍ମାଣ ହୋଇଥିବା ଏକ ନୂତନ ଚେକଡ୍ୟାମ୍ ସାମାନ୍ୟ ବର୍ଷାରେ ଭୁଷୁଡି ପଡ଼ିଛି। ଫଳରେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡ଼ିଥିବାବେଳେ ପ୍ରକଳ୍ପର ସ୍ଥାୟୀତ୍ୱକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି।
ପ୍ରକାଶ ଯେ, ପଞ୍ଚାୟତ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ୬ଲକ୍ଷ୭୮ହଜାର ଟଙ୍କା ବ୍ୟୟବରାଦରେ ଟାଙ୍ଗରୁକୁମ୍ପା ନାଳରେ ଏକ ଚେକ ଡ଼୍ୟାମ୍ ନିର୍ମାଣ ହୋଇଥିଲା। ବର୍ଷା ଯୋଗୁଁ ନାଳପାଣି ପ୍ରଭାବରେ ଚେକଡ୍ୟାମର ଗୋଟିଏ ପାର୍ଶ୍ବ ସପୋର୍ଟିଂ ୱାଲ ଭାଙ୍ଗି ଯାଇଥିବା ବେଳେ ଅଧିକାଂଶ ସ୍ଥାନରେ ବଡ ବଡ ଫାଟ ସୃଷ୍ଟି ହୋଇଛି। ବିନା ଲୁହାରଡରେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏଭଳି ହୋଇଥିବା କୁହାଯାଉଛି।
ସୂଚନା ଅନୁସାରେ, ପ୍ରକଳ୍ପର ୱାର୍କକୋଡ ନମ୍ବର-୨୪୨୬୦୦୨୦୦୬/ଡବ୍ଲ୍ୟୁସି/୧୦୪୫୮୭୮୨ରେ କୌଣସି ମଷ୍ଟରରୋଲ ବାହାରିନଥିବା ବେଳେ ବିନା ଶ୍ରମିକରେ ପ୍ରକଳ୍ପ କାର୍ଯ୍ୟ କାହା ପରାମର୍ଶରେ ଆଗୁଆ କରାଯାଇଛି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏଥିରୁ ଏହା ପଛରେ ବଡ଼ଧରଣର ଦୁର୍ନୀତି ଗନ୍ଧ ବାରି ହୋଇ ପଡ଼ୁଛି। ତୁରନ୍ତ ଏ ଦିଗରେ ବୌଦ୍ଧ ପି.ଡି ଦୃଷ୍ଟିଦେବା ସହ ପ୍ରକଳ୍ପ ଅନିୟମିତତା ଥିବା ବ୍ୟକ୍ତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ଉଠୁଛି।
https://socialnewsodiaofficial.blogspot.com
0 Comments