03-MAY-2022
📌
BY: SRINIBASH ROUT
ରାଜ୍ୟର ବିଭିନ୍ନ ଜିଲ୍ଲାରେ ୩୪ଟି ନୂଆ କୋର୍ଟ ପ୍ରତିଷ୍ଠା ହେବ ।ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ୩୪ଟି ନୂତନ ଅଦାଲତ ପ୍ରତିଷ୍ଠା ପାଇଁ ସ୍ଥିର କରିଛନ୍ତି ବୋଲି ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ଏହା ମାନ୍ୟବର ଉଚ୍ଚ ନ୍ୟାୟାଳୟର ଅନୁମୋଦନ ପାଇବା ପରେ ବିଜ୍ଞପ୍ତି ଆକାରରେ ପ୍ରକାଶ ପାଇବ। ଏ ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ ଅଦାଲତ ପ୍ରତିଷ୍ଠା ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ।
କମିଟି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ପ୍ରତିଷ୍ଠା ପାଇଁ ଅନୁମୋଦନ ଦେଇଛନ୍ତି। ସେହିପରି ଆଉ ୭ଟି ଅତିରିକ୍ତ ଜିଲ୍ଲା ଓ ସେସନ କୋର୍ଟ ପ୍ରତିଷ୍ଠାକୁ ମଞ୍ଜୁରୀ ଦେଇଛନ୍ତି ।ଭୁବନେଶ୍ୱରରେ ଦୁଇଟି, ବାଲେଶ୍ୱର ଜିଲ୍ଲାର ସୋର ଓ ଜଳେଶ୍ୱରରେ ଗୋଟିଏ ଲେଖାଏଁ, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଓ ଗଜପତି ଜିଲ୍ଲାର ଆର.ଉଦୟଗିରି ଠାରେ ଗୋଟିଏ ଲେଖାଏଁ ଅତିରିକ୍ତ ଜିଲ୍ଲା ଓ ସେସନ କୋର୍ଟ ପ୍ରତିଷ୍ଠା ହେବ। ସେହିପରି କୋରାପୁଟରେ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଓ ସେସନ କୋର୍ଟ ପ୍ରତିଷ୍ଠାକୁ ଅନୁମୋଦନ ମିଳିଛି।
୫ଟି ସିଭିଲ ଜଜ୍ କୋର୍ଟ (ସିନିଅର ଡିଭିଜନ)କୁ ଅନୁମୋଦନ ମିଳିଛି। ଏଗୁଡ଼ିକ ନୟାଗଡ଼ ଜିଲ୍ଲାର ରଣପୁର, କଟକର ନରସିଂହପୁର ଏବଂ ବଡ଼ମ୍ବା, ଗଞ୍ଜାମର ସୋରଡ଼ା ଓ ସୋନପୁରର ରାମପୁର ଠାରେ ପ୍ରତିଷ୍ଠା ହେବ।
ବୈଠକରେ ଏହିସବୁ ଅଦାଲତ ପ୍ରତିଷ୍ଠା ପାଇଁ ୨୧.୨୬ କୋଟି ଟଙ୍କାର ବଜେଟ୍ କୁ ଅନୁମୋଦନ କରାଯାଇଛି। ଅତିରିକ୍ତ ଜିଲ୍ଲା ଓ ସେସନ ଅଦାଲତ ପାଇଁ ୫.୨୦ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ସିଭିଲ ଜଜ୍ ଅଦାଲତ (ସିନିଅର ଡିଭିଜନ) ପାଇଁ ୩.୬୦କୋଟି, ସିଭିଲ ଜଜ୍ (ଜୁନିଅର ଡିଭିଜନ) ବାଣିଜ୍ୟିକ ଅଦାଲତ ପାଇଁ ୬.୩୦ କୋଟି ଟଙ୍କା ମଞ୍ଜୁର ହୋଇଛି।
https://socialnewsodiaofficial.blogspot.com
0 Comments