12/MAY/2022
📌
BY: SRINIBASH ROUT
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଣ୍ଡିତ ସୁଖରାମ ଶର୍ମାଙ୍କ ଦେହାନ୍ତ ହୋଇଛି। ୯୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ତାଙ୍କ ପୁଅ ଅନୀଲ ଶର୍ମା ସୂଚନା ଦେଇଛନ୍ତି। ୭ ତାରିଖରେ ୯୪ ବର୍ଷିୟ ସୁଖରାମଙ୍କୁ ନୂଆଦିଲ୍ଲୀ ସ୍ଥିତ ‘ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’ରେ (ଏମ୍ସ୍) ଭର୍ତ୍ତି କରାଯାଇଥିଲା। ସୁଖରାମଙ୍କର ଜନ୍ମ ୧୯୨୭ ମସିହା ଜୁଲାଇ ୨୭ ତାରିଖରେ। ସୁଖରାମଙ୍କର ନାତି ଆୟୁଷ ଶର୍ମା ଜଣେ ଅଭିନେତା ଏବଂ ସେ ବଲିଉଡ୍ ସୁପର୍ଷ୍ଟାର୍ ସଲ୍ମନ୍ ଖାଁଙ୍କ ଭଉଣୀଙ୍କୁ ବିବାହ କରିଛନ୍ତି। ମେ ୪ ତାରିଖ ଦିନ ମନାଲିରେ ‘ବ୍ରେନ୍ ଷ୍ଟ୍ରୋକ୍’ ହେବାରୁ ସୁଖରାମଙ୍କୁ ମଣ୍ଡୀସ୍ଥିତ ଆଞ୍ଚଳିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ନିମନ୍ତେ ସେଠାରୁ ତାଙ୍କୁ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଯୋଗାଇ ଦେଇଥିବା ହେଲିକପ୍ଟର୍ ଯୋଗେ ନୂଆଦିଲ୍ଲୀସ୍ଥିତ ‘ଏମ୍ସ୍’କୁ ଅଣାଯାଇଥିଲା।
୧୯୯୩ରୁ ୧୯୯୬ ପର୍ଯ୍ୟନ୍ତ ସୁଖରାମ କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ହିମାଚଳ ପ୍ରଦେଶର ମଣ୍ଡୀ ଲୋକସଭା ଆସନରୁ ପ୍ରତିନିଧିତ୍ବ କରୁଥିବା ସୁଖରାମ ୫ ଥର ବିଧାୟକ ଓ ୩ ଥର ଲୋକସଭା ସାଂସଦ ଭାବେ ବିଜୟ ହାସଲ କରିଥିଲେ। ସୁଖରାମ ଶର୍ମାଙ୍କ ପାର୍ଥିବ ଶରୀର ବୁଧବାର ଅପରାହ୍ନ ସୁଦ୍ଧା ହିମାଚଳ ପ୍ରଦେଶର ମଣ୍ଡିକୁ ଅଣାଯିବ ।ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବା ନେଇ ସୂଚନା ରହିଛି ।
https://socialnewsodiaofficial.blogspot.com
0 Comments