05-MAY-2022
📌
BY: SRINIBASH ROUT
ସମ୍ଭାବ୍ୟ ବାତ୍ୟା କୁ ଦୃଷ୍ଟିରେ ରଖି ୧୮ ଜିଲ୍ଲାପାଳଙ୍କୁ ଆଲର୍ଟ କଲେ ରାଜ୍ୟ ସରକାର ।ସ୍ଵତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ନୟାଗଡ଼, କଟକ, ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାପାଳଙ୍କୁ ଏକ ନିର୍ଦେଶନାମା ଜାରି କରିଛନ୍ତି। ଚିଠିରେ କୁହାଯାଇଛି ଯେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ଜରୁରୀ ପରିଚାଳନା କେନ୍ଦ୍ର ଓ ନିୟନ୍ତ୍ରଣ କକ୍ଷକୁ ଏବେ ଠାରୁ ପ୍ରସ୍ତୁତ ରଖିବାକୁ ପଡ଼ିବ। ନିୟନ୍ତ୍ରଣ କକ୍ଷରେ ଯେଭଳି ଟେଲିଫୋନ୍, ଫାକ୍ସ ପ୍ରଭୃତି ଅନ୍ୟାନ୍ୟ ସଂଯୋଗ ଠିକଣା ରହିବ ତାକୁ ଦୃଷ୍ଟି ଦେବା ସହିତ ମାନବ ସମ୍ବଳ ସଜାଗ ରହିବାକୁ ପଡ଼ିବ।
ଜିଲ୍ଲାରେ ଥିବା ତଳିଆ ଅଞ୍ଚଳ କିମ୍ବା ବାତ୍ୟା ପ୍ରବଣ ସ୍ଥାନକୁ ଚିହ୍ନଟ କରି ସେଠାରୁ ଯେଭଳି ତୁରନ୍ତ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ପାରିବ ପଦକ୍ଷେପ ନେବାକୁ ପଡ଼ିବ। ବାତ୍ୟା ପୂର୍ବରୁ ଲୋକେ ଯେଭଳି କଚାଘରେ ବା ମାଟି ଘରେ ନରହିବେ ସେନେଇ ଏବେ ଠାରୁ ବ୍ୟବସ୍ଥା କରାଯିବା ଆବଶ୍ୟକ। ବିଶେଷ କରି ଦିବ୍ୟାଙ୍ଗ’, ବୃଦ୍ଧ, ବୃଦ୍ଧା, ଶିଶୁ ଓ ଗର୍ଭସ୍ଥଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ପଡ଼ିବ।
ଆସନ୍ତା ୬ ତାରିଖ ପୂର୍ବରୁ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ଗୃହରକ୍ଷୀ ଓ ମହିଳା କନଷ୍ଟେବଳଙ୍କୁ ନେଇ ତିନୋଟି ଦଳ ଗଠନ କରିବାକୁ ହେବ। ବିଦ୍ୟାଳୟ ଓ ସରକାରୀ ସ୍ଥାନ ଚିହ୍ନଟ କରି ଏବେଠାରୁ ରଖିବାକୁ ପଡ଼ିବ। ସେଠାରେ ଲୋକେ ଆଶ୍ରୟ ନେଲେ ଠିକ୍ ରହିବ କି ନାହିଁ ତାହା ତହସିଲଦାର ଓ ବିଡ଼ିଓ ପରିଦର୍ଶନ କରି ସରକାରଙ୍କୁ ତଥ୍ୟ ପ୍ରଦାନ କରିବେ ।ବିଦ୍ୟୁତ୍ କାଟକୁ ଯଥା ସମ୍ଭବ କମାଇ ବା ସହିତ ପାଣିପାଗ ବିଭାଗର ପୂର୍ବାନୁମାନ ପ୍ରତି ସଜାଗ ରହି କାର୍ଯ୍ୟ କରିବା ଲାଗି ନିର୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ, ଏ ପର୍ଯ୍ୟନ୍ତ ବାତ୍ୟା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ମିଳି ପାରିନି। କେଉଁଆଡ଼କୁ ସମ୍ଭାବ୍ୟ ବାତ୍ୟା ଗତି କରିବ, ତାହା ଜଣାପଡ଼ିନଥିଲେ ବି ଜିଲ୍ଲାପାଳମାନଙ୍କୁ ଆଲର୍ଟ କରି ରଖାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।ଅନ୍ୟପକ୍ଷରେ ବାତ୍ୟା ପୂର୍ବରୁ ଲୋକେ ଆତଙ୍କିତ ହୋଇ ଅଯଥା କିଣାକିଣି କରିଥାନ୍ତି ।ତେଣୁ ଏନେଇ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପରାମର୍ଶ ଦେଇ କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଅଯଥା ଅତ୍ୟାବଶ୍ୟକ ଜିନିଷ ବହୁ ମାତ୍ରାରେ କିଣି ମହଜୁଦ କରି ରଖନ୍ତୁ ନାହିଁ ।ଏହାଦ୍ୱାରା ବଜାରରେ କୃତ୍ରିମ ଅଭାବ ଦେଖା ଦେଇପାରେ ଓ ଅସାଧୁ ବ୍ୟବସାୟୀ ଏହାର ସୁଯୋଗ ନେଇ ଦରବୃଦ୍ଧି କରିପାରନ୍ତି ।
ବଜାରରେ ସବୁପ୍ରକାର ଖାଦ୍ୟ ପଦାର୍ଥ ଓ ଅନ୍ୟାନ୍ୟ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ ରହିଛି ।କଳାବଜାରୀ ଓ ଅସାଧୁ ବ୍ୟବସାୟୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।ଆବଶ୍ୟକ ସ୍ଥଳେ ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ।ସେ ଆହୁରି କହିଛନ୍ତି, ବାତ୍ୟା ମୁକାବିଲା ପାଇଁ ସତର୍କ ରୁହନ୍ତୁ ।ହେଲେ ଆତଙ୍କିତ ହୁଅନ୍ତୁ ନାହିଁ ।ସରକାର ସବୁବେଳେ ଆପଣଙ୍କ ସହ ଅଛନ୍ତି ।
https://socialnewsodiaofficial.blogspot.com
0 Comments