04/June/2022
📌
BY: SRINIBASH ROUT
ଭିଜିଲାନ୍ସ ଜାଲରେ ଭୁବନେଶ୍ବର ଲୋକସେବା ଭବନରେ କାର୍ଯ୍ୟରତ ଯୋଜନା ଓ ସଂଯୋଜନ ବିଭାଗର ଅନୁସଚିବ ପୂର୍ଣ୍ଣଚନ୍ଦ୍ର ସାହୁ ।ଜଣେ କମ୍ପ୍ୟୁଟର୍ ଫାର୍ମ ମାଲିକଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଟିମ୍ ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ୍ କରିଛି। ଏନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ତାଙ୍କ ନାମରେ ଏକ ମାମଲା (ନଂ.୧୩/୨୦୨୨) ରୁଜୁ କରାଯାଇ ପୂର୍ଣ୍ଣଚନ୍ଦ୍ରଙ୍କୁ ଗିରଫ କରାଯାଇଛି। ଏହାପରେ ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର ୟୁନିଟ-୧ସ୍ଥିତ ତାଙ୍କ ସରକାରୀ ବାସଭବନ, ଭରତପୁର ଥାନା ଦୁର୍ଗାମାଧବ ନଗରସ୍ଥିତ ଘର, ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅଞ୍ଚଳରେ ପୈତୃକ ଘର ଓ ଲୋକସେବା ଭବନରେ ଥିବା ତାଙ୍କ କାର୍ଯ୍ୟାଳୟ ସମେତ ୪ ସ୍ଥାନରେ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ର ସାହୁ ମୋଟ୍ ୬୫,୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ସେଥିରୁ ୨୬,୫୦୦ ଟଙ୍କା ୫୫ଟି ୟୁପିଏସ୍ କିଣିବା ପାଇଁ ଅର୍ଡର ଜାରି କରିବାକୁ ସେ ମାଗିଥିଲେ। ଟଙ୍କା ନଦେଲେ ଅର୍ଡରକୁ ଅଟକାଇ ଦେବେ ବୋଲି ଉକ୍ତ କମ୍ପ୍ୟୁଟର୍ ଫାର୍ମ ମାଲିକଙ୍କୁ ଧମକ୍ ଦେଇଥିଲେ। ଏନେଇ କମ୍ପ୍ୟୁଟର୍ ଫାର୍ମ ମାଲିକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଲାଞ୍ଚ କାରବାର ଧରିବାକୁ ଭିଜିଲାନ୍ସ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଶୁକ୍ରବାର ୦୩ ତାରିଖ ପୂର୍ଣ୍ଣଚନ୍ଦ୍ର ତାଙ୍କ ସରକାରୀ ବାସଭବନରେ ଉକ୍ତ ଫାର୍ମ ମାଲିକଙ୍କଠାରୁ ୩୦ ହଜାର ଲାଞ୍ଚ ନେଉଥିବାବେଳେ ପୂର୍ବପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା।
https://socialnewsodiaofficial.blogspot.com
0 Comments