___________________
* ପ୍ରଦୀପ ନାୟକ
ସୃଷ୍ଟିର ସର୍ଜନା ଈଶ୍ବରଙ୍କ ପରିକଳ୍ପନା,ନାରୀର ଧାରଣୀୟ ଶ୍ରଦ୍ଧା ଓ ପୁରୁଷର ବିନ୍ଦୁରୁ ସମ୍ଭବ ପ୍ରାୟ ହୋଇଅଛି । ସୃଷ୍ଟି ପ୍ରକ୍ରିୟାରେ ଏହି ତିନି ତତ୍ତ୍ବଙ୍କର ଭୂମିକା ସମାନ ନୁହଁ କି କାହାର ଅଗୁରୁତ୍ଵପୂର୍ଣ୍ଣ ନୁହଁ । ସମସ୍ତେ ନିଜ ନିଜର ସାମର୍ଥ୍ୟରେ ସ୍ବତନ୍ତ୍ର । ଏହି ଭାବରେ ଈଶ୍ବରଙ୍କ ପରିକଳ୍ପନାର ଇଚ୍ଛାକୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କୁହାଯାଇ ପାରିବ । କାରଣ ତାଙ୍କ ଇଚ୍ଛା, ପରିକଳ୍ପନାର ଫଳସ୍ବରୂପ ମଣିଷଠୁ ମଣିଷେତ୍ତର ପ୍ରାଣୀ କୀଟ ପତଙ୍ଗର ଆକୃତି, ପ୍ରକୃତି ଭିନ୍ନ ଓ ସ୍ବତନ୍ତ୍ର ପରିଚୟ ପ୍ରଦାନକାରୀ ହୋଇ ରହିଛି । ଏହି ପରିକଳ୍ପନାରେ ପ୍ରତି ମଣିଷ ଯେପରି ଅନ୍ୟ ଠାରୁ ଭିନ୍ନ , ସିଂହ,ହାତୀ ,ସାପ,କପୋତ ଏମିତିକି କୀଟ ସମସ୍ତେ ପରସ୍ପରଠୁ ଅଲଗା । ଆହୁରି ମଧ୍ୟ ମଣିଷ ସମେତ ପ୍ରତ୍ୟେକ ପ୍ରାଣୀ ନିଜ ନିଜ ବୈଶିଷ୍ଟ୍ୟରେ ସ୍ବତନ୍ତ୍ର । ସିଂହ ତା'ର ଦର୍ପିତ ଠାଣୀ,ବାଘ ତାର ହିଂସ୍ରତା,ହାତୀ ତାର ବିଶାଳତା,କୋଇଲି ତାର ସ୍ବରକୁ ନେଇ ନିଜେ ନିଜକୁ ନିଜ ବୈଶିଷ୍ଟ୍ୟତାରେ ପରିଚୟ କରାଇଥାନ୍ତି। ଏହି ସମସ୍ତ ପ୍ରାଣୀଙ୍କ ଆକୃତି ଓ ପ୍ରକୃତିକୁ କେହି ଜଣେ କଳ୍ପନା କରିଥିବା କଥା ଭାବିବସିଲେ ନିଶ୍ଚୟ ଈଶ୍ୱରଙ୍କ କଥା ହିଁ ମନକୁ ଆସିବ । ତା'ନହେଲେ ଏତେ ଅଲୈ।କିକତା, ବୈଚିତ୍ର୍ୟ,ବିସ୍ମୟକୁ ଭେଦ କରିବାକୁ ଆଜିଯାଏ କେହି କ୍ଷମ ହୋଇପାରି ନାହିଁ । ଏହା ଅବୈଜ୍ଞାନିକ ଲାଗୁଥିଲେ ମଧ୍ୟ ସତ ଓ ଅନସ୍ବୀକାର୍ଯ୍ୟ।ସୃଷ୍ଟିର ପ୍ରତିଟି ବସ୍ତୁ ଗଠନ ପଛରେ କୈାଣସି ନା କୈାଣସି ଶିଳ୍ପୀ ଅବା ସ୍ରଷ୍ଟାର କଳ୍ପନା ରହିଥାଏ ଯାହା ବାସ୍ତବ ରୂପ ନିଏ । ସେହି ଦୃଷ୍ଟିରୁ ସମୁଦାୟ ସୃଷ୍ଟି ପଛରେ ଈଶ୍ବରୀୟ ଇଚ୍ଛା ଓ ପରିକଳ୍ପନା ସନ୍ନିହିତ ।
ସୃଷ୍ଟିର ଦ୍ବିତୀୟ ତଥା ସର୍ଜନାର ବାସ୍ତବାୟନର ପ୍ରଥମ ଓ ପ୍ରମୁଖ ତତ୍ତ୍ବ ହେଉଛି ମାତୃଭୂମି । ଏହି ଭୂମି (ଜଠର)ସମସ୍ତ ସର୍ଜନାର ଆଧାରଶିଳା। ଯେଉଁ ଅବିକଳ୍ପ ଆଧାରଭୂମିରେ ସମଗ୍ର ପ୍ରାଣୀ ଜଗତ ସମ୍ଭୂତ । ସେ ଭୂମି ଶକ୍ତି ଦୃଷ୍ଟିରୁ ଅବିଶ୍ବସନୀୟ , ବ୍ୟାପ୍ତି ଦୃଷ୍ଟିରୁ ଅସୀମ,ଦ୍ୟୁତିରେ ଅତୁଳନୀୟ ଓ ଅବର୍ଣ୍ଣନୀୟ । ମଣିଷ ହେଉ ଅବା ପଶୁପକ୍ଷୀ, କୀଟ ପତଙ୍ଗ ଅବା ବନସ୍ପତି, ସମସ୍ତେ ମାତୃତ୍ବର ମନୋନୁକୁଳ ଭୂମିରେ, ତା'ର ଶ୍ରଦ୍ଧାନୁରାଗର ସସ୍ନେହ ଧାରଣ ଓ ପାଳନରେ ସମ୍ପନ୍ନ ହୁଏ ଗୋଟିଏ ସୃଷ୍ଟି ପ୍ରକ୍ରିୟା । ଜନନ ଦୃଷ୍ଟିରୁ ଏହା ସର୍ବଶେଷ ଆଧାର ହୋଇଥିବାରୁ ପ୍ରଜଜନକୁ ସମ୍ଭବ କରାଇ ପାରେ । ଯୋନି ବ୍ୟତିରେକ ଅଯୋନି ସଂଭୂତ କୈାଣସି ପ୍ରଜଜନ ଉପାଖ୍ୟାନ ଯଦିଓ ଆମେ ପୁରାଣରୁ ଶୁଣିଥାଉ ସିନା ତାହା ମଧ୍ୟ ସୃଷ୍ଟି ପ୍ରକ୍ରିୟାର ବହିର୍ଭୁତ ନୁହେଁ । ତେଣୁ ମାତୃଗର୍ଭକୁ ବିସ୍ମୟ ଅଣାକାର ଭୂମି କୁହାଯାଇଛି ଓ ସୃଷ୍ଟି ପ୍ରକ୍ରିୟା ସବୁଠୁ ଅବୋଧ୍ୟ,ଅଭେଦ୍ୟ ରହସ୍ୟ ହୋଇ ରହିଯାଇଛି । ଯୋଗୀ, ମୁନି ଋଷି ତଥା ଆଧୁନିକ ବିଜ୍ଞାନୀ ଏହି ଆଧାରଭୂମିର ବାସ୍ତବତା ଅନୁସନ୍ଧାନ ଓ ଆଲୋଚନା କରି ତା'ର ବିସ୍ମୟ ତଥା ଅନବଦ୍ୟତାର କୁହେଳିକୁ ଆଜିଯାଏଁ ଭେଦି ପାରିନାହାନ୍ତି । ଯଦି ଏପରି ସମ୍ଭବ ହୋଇଥାନ୍ତା ତା'ହେଲେ ବୈଜ୍ଞାନିକ ଭାବେ କୃତ୍ରିମ ମଣିଷ ସୃଷ୍ଟି କରିବାରେ ସଫଳ ହୋଇ ପାରନ୍ତା । ସୃଷ୍ଟି ପ୍ରକ୍ରିୟାର ଗହନ ତଥା ସଘନ ରହସ୍ୟକୁ ଯିଏ ନିଜ ଭିତରେ ସମାହିତ କରି ରଖିଛି ସେ ହିଁ ମାତୃଶକ୍ତି। ଯଦିଓ ପୁରୁଷର ଏବଂ ସ୍ତ୍ରୀର ବିନ୍ଦୁ ରଜ ସନ୍ନିହିତ ତତ୍ତ୍ବକୁ ବିଜ୍ଞାନ ଗବେଷଣାରେ କ୍ରୋମୋଜୋମ୍ ଭାବରେ ଆବିଷ୍କାର କରିପାରିଛି କିନ୍ତୁ ପ୍ରାଣ ସଂଚାରର ଚୁଡାନ୍ତ ପ୍ରକ୍ରିୟାଠୁ ଦୂରରେ ରହିଯାଇଛି । ଏ କ୍ଷେତ୍ରରେ ପ୍ରାଚୀନ ଶରୀର ତତ୍ତ୍ବବିତ୍ ପଞ୍ଚସଖା ଭାବରେ ପରିଚିତ ସନ୍ଥ ଯଶୋବନ୍ତ ଦାସ ତାଙ୍କ ରଚନାରେ ସୃଷ୍ଟି ପ୍ରକ୍ରିୟାର ଏକ ସୁନ୍ଦର କଥା କହିଛନ୍ତି _
ବଡ଼ ମାୟାବୀ ଜୀବ ନୁହେଁ କାହାରି ...…। ପ୍ରଥମ ମାସେ ତୁ' ଯେ ହେଲୁ ଧବଳ ବର୍ଣ୍ଣ, ଦ୍ଵିତୀୟ ମାସେ ତୁ'ଯେ ଜଳେ ଯେସନେ ମୀନ, ତୃତୀୟ ମାସେ ତୁ'ଯେ ଶୂନ୍ୟେ ମେଲିଲୁ ଡାଳ,ଚତୁର୍ଥେ ଅସ୍ଥି ଖଞ୍ଜା ତୋହରି ।
ଏହିପରି କ୍ରମଃନିର୍ମିତ ଜୀବଟିଏ ମାତୃଗର୍ଭରେ ପଞ୍ଚମ ମାସରେ ନାଭି ,ଷଷ୍ଠ ମାସରେ ବା'ସ୍ତରି ନାଡି ପ୍ରାପ୍ତ ହୁଏ, ପରେ ପରେ ଦନ୍ତ,ଚକ୍ଷୁ,ଭ୍ରୂଲତା,କାନ,ଆଙ୍ଗୁଠି,ହାତ,ପାଦ ଓ ନଅ ମାସରେ ଚର୍ମ ଢାଙ୍କୁଣି ଯାଏ ନିର୍ମାଣର ଵିଷୟରେ ବର୍ଣ୍ଣନା କରି ଅଛନ୍ତି । ତେବେ ପ୍ରାଣବାୟୁ ସଞ୍ଚାରର ରହସ୍ୟକୁ ସ୍ପଷ୍ଟଭାବେ କିଛି କହି ନାହାନ୍ତି ବରଂ ପରୋକ୍ଷରେ ଇଙ୍ଗିତ କରିଛନ୍ତି ସେଇ ଅଦୃଶ୍ୟ ମାୟାବୀ ଈଶ୍ୱରଙ୍କୁ। ଉନବିଂଶ ଶତାବ୍ଦୀର ଶରୀର ତତ୍ତ୍ବବିତ୍ ସନ୍ଥ ଯଶୋବନ୍ତ ଯେଉଁଠି ଥିଲେ ଆମେ ଏକବିଂଶ ଶତାବ୍ଦୀରେ ମଧ୍ୟ ସେଇଠି ଅଛୁ ଏକଥାକୁ ସ୍ବୀକାର କରିବାକୁ ପଡିବ । ଏହି ସୃଷ୍ଟି ରହସ୍ୟ ସବୁଦିନ ପାଇଁ ରହସ୍ୟ ହୋଇ ରହିଯିବ ,ଏକଥାକୁ ମଧ୍ୟ ମାନିନେବାକୁ ହେବ । ଯେହେତୁ ପୁରୁଷର ଭୂମିକା ଏକ୍ଷେତ୍ରରେ ଗୈାଣ ତେଣୁ ମାତୃଗର୍ଭ ବା ସର୍ଜନାର ଆଧାରଭୂମିକୁ ନେଇ ସବୁ ସମୟରେ ନାରୀର ମହତ୍ତ୍ଵକୁ ସଂସାର ସ୍ବୀକାର କରୁଥିବ । ସର୍ଜନା କ୍ଷେତ୍ରରେ ନାରୀ ଯେଉଁ ଶକ୍ତିର ଅଧିକାରିଣୀ ଅନୁରୂପ ଭାବରେ ସେ ସ୍ବାଧୀନ,ସ୍ବଚ୍ଛନ୍ଦ ହେବା ଅଧିକ ଆବଶ୍ୟକ ଅଟେ । ସେ ଚାହିଁଲେ ଉତ୍ତମ ସୃଷ୍ଟି ହିଁ ସମ୍ଭବ ହୁଏ । କିନ୍ତୁ ବିଡ଼ମ୍ବନା ଏହିଯେ ଆବହମାନ ସମୟରୁ ନାରୀ ପୁରୁଷତାନ୍ତ୍ରିକ ସମାଜ ବ୍ୟବସ୍ଥାରେ ରହି ଆସିଛି ଏବଂ ନିଜସ୍ବ ଶକ୍ତିର,ଅସ୍ମିତାର ସ୍ବାଧୀନ ପରିପ୍ରକାଶରୁ ବଞ୍ଚିତ ହୋଇଆସିଅଛି । ଏହି କ୍ଷେତ୍ରରେ ଅନେକ ସାମାଜିକ ରୀତିନୀତି,ପ୍ରଥା ପରମ୍ପରା, ସଂକୀର୍ଣ୍ଣ ଧର୍ମୀୟଭାବନା ତାର ପ୍ରତିବନ୍ଧକ ସାଜିଛି । ସୃଷ୍ଟିର ପ୍ରମୁଖ ଅଂଶ ହୋଇ ମଧ୍ୟ ଆଜିଯାଏ ତାକୁ ଉପଯୁକ୍ତ ପୁରୁଷଟିଏ ନିର୍ବାଚନ କରିବାର ଅଧିକାର ମିଳିନାହିଁ ବରଂ ପୁରୁଷର ଇଚ୍ଛାରେ ତାକୁ ବସ୍ତୁ ପ୍ରାୟ ବ୍ୟବହାର କରାଯାଇ ତା' ମନର ଏକ ଅସ୍ବୀକୃତ ପୁରୁଷକୁ ତା ଭାଗ୍ୟ ଭବିଷ୍ୟତ ସହ ଯୋଡ଼ି ଦିଆଯାଉଛି, ତାର ଇଚ୍ଛା ଅନିଚ୍ଛାକୁ ସଙ୍କୁଚିତ କରାଯାଉଛି । ଯାହା ଫଳରେ ସନ୍ତାନ ସନ୍ତତି ନାଆଁ ରେ ତା' ଇଚ୍ଛା ଅସ୍ବୀକୃତ ଅସାମାଜିକ ତତ୍ତ୍ବକୁ ସେ ସନ୍ତାନ ରୂପେ ଜନ୍ମ ଦେଇ ଚାଲିଛି ,ଯାହାକୁ ଆମେ ହୃଦୟଙ୍ଗମ ତଥା ବିଶ୍ବାସକୁ ନେବାକୁ ହେବ । ଏହି ପରିପ୍ରେକ୍ଷୀରେ ପୁରାଣ ବର୍ଣ୍ଣିତ କୁନ୍ତୀଙ୍କ ପ୍ରସଙ୍ଗକୁ ନିଆଯାଉ । ନିଜ ମାତୃତ୍ବକୁ ସର୍ବୋତ୍ତମତା ପ୍ରଦାନ ଉଦ୍ଦେଶ୍ୟରେ ଗୋଟିଏ ଶୈ।ର୍ଯ୍ୟବୀର୍ଯ୍ୟବାନ,ତେଜସ୍ଵୀ ସନ୍ତାନ କାମନାରେ ସୂର୍ଯ୍ୟଙ୍କୁ ହିଁ ଉପଯୁକ୍ତ ପୁରୁଷ ଭାବରେ ନିର୍ବାଚନ କରି କର୍ଣ୍ଣଙ୍କ ପରି ସନ୍ତାନ ଜନ୍ମ ଦେବା , ସେହିପରି ସତ୍ୟଶୀଳ ଯୁଧିଷ୍ଠିରଙ୍କ ପରି ସନ୍ତାନ ଆଶାକରି ଇନ୍ଦ୍ରଙ୍କୁ ମନର ପୁରୁଷ ଭାବେ, ଶକ୍ତିସମ୍ପନ୍ନ ସନ୍ତାନ ଆଶାରେ ପବନଦେବଙ୍କୁ ନିର୍ବାଚନ କରିବା ନାରୀ ସ୍ୱାଧୀନତାର ଏକ ଅନନ୍ୟ ଉଦାହରଣ ରହିଅଛି । କିନ୍ତୁ ପୁରାଣ ମଧ୍ୟ କୁନ୍ତୀଙ୍କର ଏହି ସ୍ବାଧୀନତାକୁ ସ୍ବୀକୃତି ଦେଇନାହିଁ । ସେହିପରି ପୁରାଣ ଶାସ୍ତ୍ରରେ ଶିବଙ୍କ ପରି ଶ୍ମଶାନବାସୀଙ୍କୁ, ଏପରିକି ବନବାସୀ, ଭିକ୍ଷାର୍ଥୀ ମୁନିଋଷିମାନଙ୍କୁ ପତିରୂପେ ନିର୍ବାଚନ କରିବାର ଅନନ୍ୟ ନାରୀ ପ୍ରସଙ୍ଗ ରହିଅଛି । କର୍ଣ୍ଣଙ୍କୁ ସୁତପୁତ୍ର ଜାଣି ମଧ୍ୟ ଦ୍ରୈ।ପଦୀ ନିଜ ମନ ଭିତରେ ଆସକ୍ତ ହେବା ପ୍ରସଙ୍ଗ ଆମେ ପଢିଅଛୁ । ଏହିପରି ଆହୁରି ଅନେକ ଉପାଖ୍ୟାନ ରହିଛି ।
ଯେଉଁଠି ସୃଷ୍ଟି ସର୍ଜନାର ତୃତୀୟ ତତ୍ତ୍ବ ପୁରୁଷର ଭୂମିକା ଗୈାଣ ସେଠି କିନ୍ତୁ ଆମ ସମାଜ ପୁରୁଷକୁ ପତ୍ନୀ ନିର୍ବାଚନ କରିବାର ଅଧିକାର ପ୍ରଥାକୁ ଅଧିକ ଗୁରୁତ୍ବ ଦେଇ ଆସିଛି । ଏବଂ ପୁରୁଷ ନିଜ ଶକ୍ତି, କ୍ଷମତା, ପ୍ରତିପତ୍ତି ଓ ଅହମିକା ଆଧାରରେ ନାରୀ ନିର୍ବାଚନ କରି ଆସିଛି । ଦାସୀ ,ରକ୍ଷିତା ଭାବରେ ନିଜ ଦୈହିକ ଇଚ୍ଛାର ପୂର୍ତ୍ତି ଲାଗି ବ୍ୟବହାର ମଧ୍ୟ କରି ଆସିଛି ।
ଉନବିଂଶ ଶତାବ୍ଦୀର ଶେଷ ଭାଗରେ ବିଶ୍ବର ନାରୀ ମନସ୍ତାତ୍ତ୍ୱିକ ଏକ ସର୍ଭେରୁ ଜଣାପଡିଥିଲା ଯେ ନାରୀକୁ ନିଜ ଇଚ୍ଛାରେ ପୁରୁଷ ନିର୍ବାଚନର ସ୍ବାଧୀନତା ଦିଆଗଲେ ସେ କିପରି ପୁରୁଷକୁ ଜୀବନସାଥୀ କରିବାକୁ ପସନ୍ଦ କରିବ ,ମତାମତ ସଂଗ୍ରହରୁ ଜଣାଗଲା ଶତକଡା ପଞ୍ଚଷଠୀ ପ୍ରତିଶତ ନାରୀ ନିଜ ସ୍ବପ୍ନର ପୁରୁଷକୁ ସୃଜନଶୀଳ ପୁରୁଷଟିଏ ଭାବରେ ପାଇବାକୁ ଚାହାଁନ୍ତି । ତେବେ ଗୋଟିଏ ଶତାବ୍ଦୀର ବ୍ୟବଧାନରେ ଆମେ ଲକ୍ଷ୍ୟ କରିପାରିବା ଯେ ଏହି ନାରୀ ମନୋସ୍ଥିତିରେ ଯଥେଷ୍ଟ ପରିବର୍ତ୍ତନ ଘଟିଅଛି । ଅଧୁନା ଶିକ୍ଷା, ସଭ୍ୟତା ଓ ସାମାଜିକତାରେ ପରିବର୍ତ୍ତନ ଘଟିବା ପରେ ଯଦିଓ ନାରୀକୁ ଏକ୍ଷେତ୍ରରେ କିଛି ପରିମାଣରେ ସ୍ବାଧୀନତା ମିଳୁଛି ଏବଂ ତାର ନିଜସ୍ବ ମତାମତକୁ ପରିବାର ମଧ୍ୟ ଗୁରୁତ୍ବ ଦେବା ଆରମ୍ଭ କରୁଛି କିନ୍ତୁ ପୁରୁଷ ନିର୍ବାଚନ ପରିପ୍ରେକ୍ଷୀରେ ତାର ଇଚ୍ଛାକ୍ଷେତ୍ର ଭିନ୍ନ ଏକ ଦିଗରେ ପରିବର୍ତ୍ତିତ ହୋଇଯାଇଛି । ସେ ସର୍ବଦା ନିଜ ଠାରୁ ଅଧିକ ଶିକ୍ଷିତ,ସମର୍ଥ, କ୍ଷମତାଶାଳୀ,ବିତ୍ତବାନ ପୁରୁଷକୁ ପସନ୍ଦ କରୁଥିବା ଜଣାପଡୁଛି । କେବେ ବି ନିଜ ଠାରୁ କମ୍ ସାମାଜିକ ସ୍ଥିତିସମ୍ପନ୍ନ ପୁରୁଷକୁ ବାଛିବାକୁ ପସନ୍ଦ କରି ପାରୁନାହିଁ । ଏହା ହୁଏତ ତା'ର ସମୁଦାୟ ଜୀବନର ସାମାଜିକ ସୁରକ୍ଷା ଓ ସ୍ବଚ୍ଛଳ ଭବିଷ୍ୟତକୁ ଦୃଷ୍ଟିରେ ରଖି କରୁଥିବା ପରି ମନେହୁଏ । ଅବା ଗୋଟିଏ ଅଳ୍ପସମ୍ପନ୍ନ ପୁରୁଷକୁ ସମର୍ଥ କରିପାରିବାର ଆତ୍ମବିଶ୍ବାସହୀନତା ତାକୁ ଏପରି କରିବାକୁ ଅନୁପ୍ରେରିତ କରୁଛି । ସୁସ୍ଥ,ଶାଳୀନ ସମାଜ ସର୍ଜନାର ଏହି ଆଧାର ଯେ ଉପଭୋକ୍ତାବାଦୀ ମନୋବୃତ୍ତିର ଲୋଭରେ ବଶବର୍ତ୍ତୀ ହେବାକୁ ବାଧ୍ୟ ହୋଇଛି ବୁଝିବାକୁ ହେବ ।
ନାରୀର ଏହି ସ୍ଥିତିରେ ସମାଜ ତାର ଅନ୍ତର୍ନିହିତ ଶକ୍ତିକୁ ସମ୍ମାନ ଦେବା ଓ ସମାନ୍ତରାଳ ଭାବେ ନାରୀ ନିଜେ ନିଜକୁ ଚିହ୍ନିବାରେ ଆବଶ୍ୟକତା ରହିଅଛି । ଆହୁରି ମଧ୍ୟ ନାରୀ ନିଜେ ନିଜକୁ ଚିହ୍ନାଇ ସମାଜ ଠାରୁ ତାର ସମ୍ମାନ ଆଦାୟ କରିବାରେ ଯେଉଁସବୁ ମୈ।ଳିକ ବ୍ୟବଧାନ ରହିଛି ତାକୁ ଦୂର କରିବା ଏକାନ୍ତ ଅପରିହାର୍ଯ୍ୟ । ଏହି ବ୍ୟବଧାନ କୁ କେଉଁ ପ୍ରାଚୀନ ସମୟରୁ ପରମ୍ପରା, ଧର୍ମ, ସଂସ୍କୃତି,ଧର୍ମୀୟଗୋଷ୍ଠୀ ନାଆଁରେ ଏକ ଅନତିକ୍ରମ୍ୟ ପାଚେରୀ କରି ଠିଆ କରି ଦିଆଯାଇଛି ଯାହାକୁ ନାରୀ ରଚନାତ୍ମକ ପ୍ରତିବାଦରେ ମିଳେଇ ଦେବାକୁ ପଡ଼ିବ । ତା ସହିତ ନାରୀବାଦ ନାଆଁରେ ତିଆରି ହେଉଥିବା ପୁରୁଷ ବିରୋଧି ଅସହିଷ୍ଣୁତାରୁ ନିଜେ ମୁକ୍ତ ହେବାକୁ ପଡିବ । ନାରୀ ଓ ପୁରୁଷକୁ ଯଥାକ୍ରମେ ଜୀବ ଓ ଜୀବତ୍ବ ଭାବରେ ଗ୍ରହଣ କରିବାକୁ ହେବ । ଶାସ୍ତ୍ରର କଥନ ଅନୁସାରେ ଏହି ସଂସାର ପୁରୁଷ ଓ ପ୍ରକୃତିର ପ୍ରେମମୟ କୃତୀ । ନିଜକୁ ନିଜ ବାଦର ପକ୍ଷଧର କରି ମାନବବାଦରୁ ଦୂରେଇ ନେବା ତାର ସ୍ଥିତିକୁ ଶକ୍ତିଶାଳୀ ବଦଳରେ ଦୁର୍ବଳ କରିବ ଏକଥା ଅନୁମେୟ । ତା' ର ପ୍ରତିଦ୍ବନ୍ଦ୍ବୀ ପୁରୁଷ ନୁହଁ,ତାର ଲକ୍ଷ୍ୟ,ପ୍ରଗତିର ମାପକାଠି ବି ପୁରୁଷର ପ୍ରଗତି କି ପ୍ରାପ୍ତି ନୁହଁ ଏହା ତାକୁ ନିଶ୍ଚିତ କରିବାକୁ ପଡିବ।ନାରୀତ୍ବର ପୂର୍ଣ୍ଣ ବିକାଶରେ ଯେଉଁ ଯେଉଁ ଦିଗ ଉପେକ୍ଷିତ ତଥା ଅବହେଳିତ ହୋଇ ରହିଛି ସେହି ଦିଗ ଗୁଡ଼ିକ ଯାଏ ସମସ୍ତଙ୍କ ସଚେତନ ଦୃଷ୍ଟିକୁ ଆକର୍ଷଣ କରାଇବାକୁ ହେବ । ଗୋଟିଏ ଝିଅ ଭାବରେ ପିତାମାତା, ପରିବାର ପାଖରୁ, ଯୁବତୀ ଭାବରେ ଯୁବ ମାନସିକତା ଓ ସମାଜ ପାଖରୁ,ସ୍ତ୍ରୀ ଭାବରେ ସ୍ବାମୀ,ପରିବାର ପାଖରୁ, ମାଆ ଭାବରେ ସନ୍ତାନ ସନ୍ତତି ଓ ପରିବାର ପାଖରୁ, ପରିଣତ ବୟସରେ ନିଜ ପିଲା ଓ ପରିବାର ପାଖରୁ ନିଜ ସ୍ନେହ ମମତା,କରୁଣା କକର୍ଥନା, ପ୍ରେମ ପ୍ରଣୟ,ତ୍ୟାଗ ତିତିକ୍ଷାର ପ୍ରତ୍ୟାଶାକୁ ନିଶ୍ଚିତ କରିବାର ଏକ ଚେତନୋଦୟ ସମୟ ଯାଏ ତାକୁ ଅପେକ୍ଷା କରିବାକୁ ହେଉଛି,ଯାହା ବିଡ଼ମ୍ବନାର ବିଷୟ । ଏହି ଅପେକ୍ଷାର ଅନ୍ତ ପାଇଁ ନିଜକୁ ଦ୍ବନ୍ଦ୍ବହୀନ, ଭୟହୀନ, ଅହଂହୀନ ତଥା ବିଚାରପୂର୍ଣ ଭାବେ ସର୍ବ ସର୍ଜନାର ଆଧାରଶିଳା ହୋଇ ସୁସ୍ଥ ସମାଜ ଗଠନର ମୂଳଭୂତ ଭାବରେ ନିଜକୁ ସଶକ୍ତ ଉପସ୍ଥାପନ କରିବା ସହ ଅନେକ କ୍ଷେତ୍ରରେ ରହିଆସିଥିବା ପୁରୁଷର ଏକକ ଆଧିପତ୍ୟରେ ଦକ୍ଷତା ତଥା କୃତିତ୍ବର ସହ ନିଜର ସ୍ଥିତି ଜାହିର କରିବା ଆବଶ୍ୟକ,ଯାହା ଆନ୍ତର୍ଜାତିକ ମହିଳା ଦିବସର ଯଥାର୍ଥତାକୁ ପ୍ରତିପାଦନ କରିବ ।
ବିଂଶ ଶତାବ୍ଦୀର ଶେଷ ଦଶକ ୧୯୯୨ ଜାନୁଆରୀ ୩୧ ତାରିଖରେ ଗଠନ ହୋଇଥିବା ଜାତୀୟ ମହିଳା କମିଶନରେ ନାରୀ ନିର୍ଯାତନା ଜନିତ ଦାୟର କେଶର ଅର୍ଦ୍ଧାଧିକ ମାମଲାର କାରଣ ଥିଲା ସ୍ବାମୀ ନିଶାଗ୍ରସ୍ତ , ବଳାତ୍କାର କେଶର କାରଣ ମଧ୍ୟ ତଦନୁରୂପ । ତେବେ ଏହି ହିସାବକୁ ଏକବିଂଶ ଶତାବ୍ଦୀର ନାରୀ ଏପରି ଭୁଲ ପ୍ରମାଣିତ କରିବା ଦରକାର ଯେପରି ନିଶାର ପାଖ ମାଡିବା ଆଗରୁ ପୁରୁଷଟିଏ ଭୟ କରୁ ଘରେ ଜଣେ ନାରୀ (ସ୍ତ୍ରୀ) ଅଛି । ସମାନ୍ତରାଳ ଭାବେ ନିର୍ଯ୍ୟାତିତ ,ଅବହେଳିତ, ଅଶିକ୍ଷିତ ଗରୀବ ଦାଦନ ନାରୀମାନଙ୍କର ପରିସଂଖ୍ୟାନ ନିର୍ଭୂଲ ଭାବରେ ଗଣମାଧ୍ୟମରେ ଗାଇ ନାରୀ ଗଣନେତ୍ରୀ ହେବାର ମୋହରୁ ମୁକ୍ତ ହୋଇ ସମାଜର ସବୁ ବର୍ଗର ନାରୀଙ୍କୁ ସାଥୀରେ ନେଇ ଆଗେଇ ଯିବାର ତୃଣମୂଳ ସ୍ତରୀୟ ବାସ୍ତବତାକୁ ଓହ୍ଲେଇ ଆସିବାର ଆବଶ୍ୟକତା ରହିଅଛି । ଅସହାୟ, ଅଶିକ୍ଷିତ ମହିଳାଟି କମିଶନର କବାଟ ବାଡେଇବା ଆଗରୁ କମିଶନ ସହାୟତା ଆଶାୟୀର ଝୁମ୍ପୁଡି କବାଟ ଠକ୍ ଠକ୍ କରୁ। ମାନବ ସମ୍ବଳର ଅର୍ଦ୍ଧେକ ଅଂଶକୁ ଏକ ଉପଯୁକ୍ତ ପ୍ରଭୁତାରେ ଅଭିଷିକ୍ତ କରାଯାଉ ।
_____________________
ବନ୍ଧପଡା,ମଦନପୁର, କେନ୍ଦ୍ରାପଡ଼ା । ଫୋନ:୮୯୧୭୩୭୦୨୨୭
0 Comments