ପିଲାଦିନ
_______ପ୍ରଦୀପ ନାୟକ
ଜୀବନ ଏମିତି ଭସାବାଦଲ ଯେ
ଭାସି ଭାସି ଚାଲିଯିବ
କଅଁଳ କାନ୍ଦର ପିଲାଦିନଟିଏ
ମନ କୋଣେ ଲାଖିଥିବ
ଅଫେରାବୟସ ପକ୍ଷୀର ଡେଣାରେ
ସମୟ ଯାଇଛି ଉଡ଼ି
ସୁଖର ସ୍ଵସ୍ତିକ ଚିହ୍ନ ଆଙ୍କିଅଛି
ଅଭୁଲା ସେ ସ୍ମୁତି ପେଡ଼ି ।
କଷିଆମ୍ବ ଲୁଣ ବାଗୁଡ଼ି ଖେଳର
ସେଇ ଖରାବେଳ ସ୍ମୃତି
କଙ୍କି ପ୍ରଜାପତି ଧରୁଧରୁ ଯେବେ
ଦିନ ଯାଉଥିଲା ବିତି ।
ବମ୍ବେଇ ମିଠେଇ କିଣିବା ପାଇଁ କି
ମାଆ ପାଖେ କରେ ଅଳି
ଲୁଚିଲୁଚି ବାଇସ୍କୋପ ଦେଖିବାକୁ
କରିଛି କେତେଯେ ଚୋରି ।
ଢାବଲପୁଆର ଖେଳରେ ଜିତିଛି
ମିଛିମିଛି କେତେ ଟଙ୍କା
ଖପରକାତିକୁ ମାରି ମୁଁ ଆଙ୍କିଛି
ଗଡିଆ ପାଣିରେ ଚକା ।
ଟାୟାର ଗଡେଇ ଗାଁ ଦାଣ୍ଡଟାରେ
କେତେ ଉଡେଇଛି ଧୂଳି
କଅଁଳାବାଛୁରୀ ସାଥୀରେ ଦଉଡି
ଆଣ୍ଠୁ ଛିଣ୍ଡେଇଛି ପଡ଼ି ।
ରଫଖାତା ଚିରି ବରଷାଝଡିରେ
ଡଙ୍ଗା ଭସେଇଛି କେତେ
ଅଙ୍କ ସାରଙ୍କୁ ପରଖାତା ଟିପି
ଠକେଇଛି ଆହାଃ ଯେତେ ।
ବନିଶୀ କଣ୍ଟାରେ ଗୁନ୍ଥିଦେଇ ଜିଆ
ଧରିଛି କେରାଣ୍ଡି କଉ
ଅଣବଣେ ପଶି ମହୁଫେଣା ପୋଡ଼ି
ପିଇଛି କେତେଯେ ମହୁ ।
ପାପପୁଣ୍ୟ ଭାବ ଫୁଟା ପକେଟରୁ
ହଜିଛି ଚାରେଣୀ ପରି
ଅଭାବ ଆସିକି ଖୁସିର ଦୁଆରୁ
ଖାଲିହାତେ ଯାଏ ଫେରି ।
ନଈପାଣି ଯା' ବହିଯା' ନଈକି
ମନ ସିଲଟ ଲିଭେଇ
ଧୋଇ ନେଇଯା' ଦୁଃଖ ଶୋକ ଦାଗ
ସବୁକୁ ଭୁଲେଇ ଦେଇ ।
ଲୋଡା ନାହିଁ ମୋର ଅୟୁତ ଦିନର
ଯଉବନ ଅବା ଧନ
ଜୀବନେ ଏମିତି ଥାଆନ୍ତାକି ସଦା
ପିଲାମନ ପିଲାଦିନ ।
_____________________
ବନ୍ଧପଡା, ମଦନପୁର, କେନ୍ଦ୍ରାପଡ଼ା
0 Comments