Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ବ୍ରିଟେନ ସହ ବିମାନ ସେବା ସାମୟିକ ଭାବେ ବାତିଲ ।

 


22/12/2020


ନୂଆଦିଲ୍ଲୀ📍


Editor by/- Srinibash Rout

ବ୍ରିଟେନରେ ନୂଆ ରୂପରେ କରୋନା ମହାମାରୀର ଆବିର୍ଭାବ ଭାରତକୁ ଚିନ୍ତାରେ ପକାଇଛି । ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି ସତ, କିନ୍ତୁ ବ୍ରିଟେନରେ ନୂଆ ରୂପରେ ଭୟଂକର ସାର୍ସ କୋଭିଡ୍ ର ପ୍ରତ୍ୟାବର୍ତ୍ତନ ଘଟିଥିବାରୁ ଓ ପୁନର୍ବାର 'ତାଲା ବନ୍ଦ୍' ପରିସ୍ଥିତି ସୃଷ୍ଟ ହୋଇ ଥିବାରୁ ଭାରତ ଉଦବିଗ୍ନ ।  ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଭାରତ ଆଜି ବିଳମ୍ବିତ ରାତ୍ରୀରୁ ବ୍ରିଟେନ ସହ ବିମାନ ଚଳାଚଳ ବାତିଲ କରିଛି । ବ୍ରିଟେନରୁ ଭାରତ ଆସିବାକୁ ଥିବା ସମସ୍ତ ଯାତ୍ରୀବାହୀ ବିମାନ ସାମୟିକ ଭାବେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଥିବା ୨୧ ତାରିଖ ସନ୍ଧ୍ୟାରେ ଘୋଷଣା କରାଯାଇଛି । ୨୨ ତାରିଖ ମଧ୍ୟରାତ୍ରରୁ ଏହା କାର୍ଯ୍ୟକାରୀ ହେଉଥିବା ସରକାରୀ ଭାବେ କୁହାଯାଇଛି । ଇତିମଧ୍ୟରେ, ୨୨ ତାରିଖ ମଧ୍ୟରାତ୍ର ପୁର୍ବରୁ ବ୍ରିଟେନରୁ ଆସି ଭାରତର ବିଭିନ୍ନ ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ବିମାନ ବନ୍ଦରରେ ପହଞ୍ଚି ସାରିଥିବା ଯାତ୍ରୀମାନେ ଅବତରଣ ପରେ ଆରଟି-ପିସିଆର୍ ଟେଷ୍ଟ କରାଇବାକୁ ବାଧ୍ୟ।  ସଂପୃକ୍ତ ବିମାନ ବନ୍ଦର ରେ ଏହି ଟେଷ୍ଟ କରାଯିବା ବ୍ୟବସ୍ଥା ରହିବ । ଯେଉଁମାନେ କରୋନା ପଜେଟିଭ ବାହାରିବେ ସେମାନେ ସରକାରୀ ସଂଗରୋଧରେ ରହିବେ । । ଆଉ, କରୋନା ନେଗେଟିଭ ରିପୋର୍ଟ ଆସିଲେ ସେମାନଙ୍କୁ ସାତ ଦିନ ଏକାନ୍ତବାସରେ ରହିବାକୁ ପଡିବ ବୋଲି ସୂଚନା ମିଳିଛି । 



ବ୍ରିଟେନରେ ନୂଆ ରୂପରେ ବ୍ୟାପିଥିବା କରୋନା ଭୂତାଣୁ ପୁରୁଣା ଭୂତାଣୁ ତୁଳନାରେ ୭୦ ପ୍ରତିଶତ ଅଧିକ ବେଗରେ ସଂକ୍ରମିତ ହେଇଥିବା ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ହୋଇଛି । ଏହି ସଂକ୍ରମଣକୁ ରୋକିବା ଲାଗି ଏକାଧିକ ଦେଶ ଲଣ୍ଡନ ସହ ବିମାନ ସେବା ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି । ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲାଣ୍ଡ, ଅଷ୍ଟ୍ରିଆ, ଆୟାରଲାଣ୍ଡ, ଇସ୍ରାଏଲ, ବେଲଜିଅମ, କାନାଡ଼ା, ସହ ପୋଲାଣ୍ଡ, ସ୍ପେନ, ସୁଇଜରଲ୍ୟାଣ୍ଡ, ଋଷିଆ, ଜୋର୍ଡାନ ଓ ହଙ୍ଗ କଂଗ ବ୍ରିଟେନ ସହ ବିମାନ ସେବା ବାତିଲ କରିଛନ୍ତି ।


ସାଉଦି ଆରବ, କୁଏତ ଓ ଓମାନ ନିଜ ନିଜ ସୀମାନ୍ତକୁ ସମ୍ପୂର୍ଣ୍ଣ ଭାବେ ସିଲ୍ କରି ଦେଇଥିବା ବେଳେ ମହାରାଷ୍ଟ୍ରରେ ଆଜିଠାରୁ (୨୨ ଡିସେମ୍ବର) ରାତ୍ରୀ କର୍ଫ୍ୟୁ ଲାଗୁ ହୋଇଯାଇଛି । ରାତ୍ର ୧୧ ଟାରୁ ପରଦିନ ଭୋର ୬ ଟା ପର୍ଯ୍ୟନ୍ତ କର୍ଫ୍ୟୁ ରହିବ । ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ଆୟୋଜନ ହେଉଥିବା ସମସ୍ତ ଉତ୍ସବ ଓ ପାର୍ଟି ରାତି ୧୧ ଟା ସୁଦ୍ଧା ସାରିବାକୁ ଶିବସେନା ସରକାର ନିର୍ଦ୍ଦେଶ ଦେଇଛନ୍ତି । 


ବ୍ରିଟେନ, ୟୁରୋପ ଓ ମଧ୍ୟପ୍ରାଚ୍ୟ ରୁ ଆସିଥିବା ସମସ୍ତ ବିମାନ ଯାତ୍ରୀ ୭ ଦିନ ସରକାରୀ ସଂଗରୋଧ ଓ ୭ ଦିନ ଏକାନ୍ତବାସରେ ରହିବେ । ଅନ୍ୟାନ୍ୟ ରାଷ୍ଟ୍ରରୁ ଆସି ମୁମ୍ବାଇରେ ପହଞ୍ଚୁ ଥିବା ବିମାନ ଯାତ୍ରୀଙ୍କ ପାଇଁ ୭ ଦିନ ଏକାନ୍ତବାସ ବାଧ୍ୟତାମୂଳକ କରଯାଇଛି ।


WWW.SOCIALNEWSODIA.INFO

Post a Comment

0 Comments