Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ନୂଆବରଷ

 


_________ * ପ୍ରଦୀପ ନାୟକ


 ନୂଆ ଏମିତି ଏକ ଶବ୍ଦ ଯାହାର ପ୍ରଭାବ ମନ ଉପରେ ଖୁବ୍ ଉତ୍ସାହପ୍ରଦ । ସମୁଦାୟ ଚିନ୍ତା,ଚେତନା ଉପରେ ଏହାର ଏକ ସୁଖଦ ଓ ସକାରାତ୍ମକ  ଅନୁଭବ ଆଣିଦିଏ । ଏମିତିକି କେବଳ ମଣିଷ କାହିଁକି ପଶୁପକ୍ଷୀ, ଉଦ୍ଭିଦ ଓ ପରିବେଶ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ । ପ୍ରତି ସକାଳର ସୂର୍ଯ୍ୟୋଦୟ ହେଉ କି ଗଛରେ ନଵ‌କିଶଳୟ ଅବା ପଶୁପକ୍ଷୀଙ୍କର ନୂଆ ଜନ୍ମିତ ଶାବକ , ସମସ୍ତଙ୍କୁ ମୋହିତ କରିଥାଏ । ସକାଳର ପ୍ରଥମ କିରଣ ମାଟି ଛୁଇଁଲା ବେଳକୁ ନୂଆରୂପର ସଂଚାର ହୁଏ ସଚରାଚର,ନୂଆ ଉନ୍ମାଦନାର ଶକ୍ତି ପ୍ରକାଶ ହୁଏ ପ୍ରତି ପ୍ରାଣରେ । ପରିବେଶରେ ଖେଳିଯାଏ ଚଞ୍ଚଳତା‌। ନୂଆ ପତ୍ରରେ,ଫୁଲରେ ମଣ୍ଡିତ ହେଲେ  ବୃକ୍ଷରେ ନୂଆ ଆକର୍ଷଣ‌ ସୃଷ୍ଟି ହୁଏ । ପଶୁପକ୍ଷୀ ହିଂସ୍ର ହେଉ କି ଅହିଂସ୍ର ଶାବକଟିଏ ଜନ୍ମ ଦେବା ପରେ ମମତାରେ ବିଗଳିତ ହୋଇଯାଏ । ତା ଭିତରର  ହିଂସ୍ରତା  କିଛି ସମୟ ପାଇଁ ରୂପାନ୍ତରିତ ହୋଇଯାଏ ମୋହମୟ ମୁଗ୍ଧତାରେ । ବୋଧହୁଏ ଏଇ କାରଣରୁ ମଣିଷ ମନରେ  ନୂଆର ମୋହ ସବୁବେଳେ ଖୁବ୍ ଅଲଗା ,ଅନନ୍ୟ ।  ପ୍ରାୟ ପ୍ରତିଟି  ନୂଆ ମଣିଷକୁ କିଛି ନା କିଛି ଆନନ୍ଦ ,ଆଶା, ସମ୍ଭାବନାର ସୂଚନା ଦେଇଥାଏ । ଏହି କାରଣରୁ ନୂଆବର୍ଷ ଆମପାଇଁ ଏକ ନବାରମ୍ଭର ଖୁସି ଆଣି ଦେଇଥାଏ ।



    ଇଂରାଜୀ ହେଉ କି ଓଡ଼ିଆ ନୂଆବର୍ଷ ପ୍ରତିଟି ପ୍ରାଣରେ କିଛି ନୂଆ କରିବାର ସଂକଳ୍ପ,ଆବେଗ ଦେଇଥାଏ ,ଏକଥା ସମସ୍ତେ ସ୍ବୀକାର କରିବେ । ହୁଏତ ଆମେ ଚିରାଚରିତତାକୁ ନେଇ କହିପାରିବା ଯେ ଦିନରାତି,ଉଦୟ ଅସ୍ତ, ମାଟି,ପାଣି,ପବନ ପରି  ଚିରନ୍ତନ ସତ୍ୟ ଉପରେ ଏହାର କୈାଣସି ପ୍ରଭାବ ପଡେନାହିଁ ,ଏହା ସତ୍ୟ ।କିନ୍ତୁ ସଚେତନ ମଣିଷର, ଉଦଯୋଗୀ ପ୍ରାଣର ଏହି ସମୟ ଏକ ପ୍ରଭାବକାରୀ ସୁଯୋଗ ଆଣିଥାଏ । କିଛି ନୂଆ କାମ କରିବା ,କିଛି ନୂଆ‌ ଭାବିବା, କିଛି ନୂଆ ଦିଗନ୍ତର ପରିକଳ୍ପନାରେ ଏହି ସମୟକୁ ନାମିତ କରିବାର ଅୟମାରମ୍ଭ ହୋଇଥାଏ । ପୁରୁଣା ଦୁଃଖ,ବିଫଳତା,ଗ୍ଲାନିକୁ ଭୁଲି ମଣିଷ ନୂଆ ସୁଖ,ସଫଳତା, ସଂଭାବନା ଆଡ଼କୁ ‌ଆକର୍ଷିତ ହୋଇଉଠେ । ମନ ଭିତରେ ଏଇ ପ୍ରବଣତା ଆଣିବାକୁ ନୂଆବର୍ଷକୁ ଏକ ସୁଯୋଗ ବୋଲି କୁହାଯାଇପାରେ । ମଣିଷର ମନ ସବୁବେଳେ ନୂଆରୁ ନୂଆ ଅନୁସନ୍ଧାନରେ ରହିଥାଏ , ଯେଉଁଥିପାଇଁ ନୂଆ ହିଁ ତାକୁ ‌ଆନନ୍ଦ ଦେଇଥାଏ । 

    କହିବା ବାହୁଲ୍ୟ ଯେ ଜୀବନ କେବଳ ଜନ୍ମରୁ ଆରମ୍ଭ ହୁଏନାହିଁ,କି କେବଳ ମୃତ୍ୟୁରେ ଶେଷ ହୁଏନାହିଁ । ଜୀବନ, ମୃତ୍ୟୁ ପୂର୍ବରୁ ସେଇଠି ମରିଯାଇଥାଏ ଯେଉଁଠି ତା'ର ମନରେ ନୂଆପ୍ରତି ଆଗ୍ରହ, ସ୍ବପ୍ନ ଦେଖିବା ଏବଂ ସମ୍ଭାବନାର ଆଶାରେ ବିଭୋରତା ସୃଷ୍ଟି ନହୁଏ । ମଣିଷ ମୃତ୍ୟୁ ପୂର୍ବରୁ ନିରାଶା,ସ୍ବପ୍ନଭଙ୍ଗ, ବ୍ୟର୍ଥତାର ଗ୍ଲାନିରେ ବାରମ୍ବାର ମରୁଥାଏ କିନ୍ତୁ ସବୁ ବ୍ୟର୍ଥତାରୁ , ସ୍ବପ୍ନଭଙ୍ଗ ରୁ ଯଦି ସିଏ ନିଜପାଇଁ ଆଶାର,ସଫଳତାର ପ୍ରେରଣା ସଂଗ୍ରହ ନକରିପାରେ ସିଏ କେବଳ ଏକ ଜୀବନ୍ମୃତ ଜୀବନ ଜୀଇଁବାକୁ  ବାଧ୍ୟ ହୁଏ । ମଣିଷକୁ ନିଶ୍ଚିତ କରିବାକୁ ପଡ଼ିବ ଯେ ମୃତ୍ୟୁ ଏକ ନୂଆ ଜୀବନର ଅୟମାରମ୍ଭ । ଏହା କେବଳ  ଗୋଟିଏ ଶରୀର ସମ୍ବନ୍ଧୀ ସମାପ୍ତି କିନ୍ତୁ ଚେତନା ସ୍ତରୀୟ  ସମାପ୍ତି ନୁହେଁ । ଜୀବନର ଦୈଘ୍ୟତା ତୁଳନାରେ ମୃତ୍ୟୁର ସ୍ଥାୟିତ୍ବ ଖୁବ୍ କମ୍ । 

      ଏଇ ପ୍ରସଙ୍ଗରେ ପ୍ରତ୍ୟେକ ନୂଆକୁ ସ୍ବାଗତ କରିବା ସଚେତନ ମଣିଷର କର୍ତ୍ତବ୍ୟ । ସେ ନୂଆବର୍ଷ ହେଉ କି ନୂଆଦିନ,ହେଉବି ନୂଆ ମୁହୂର୍ତ୍ତ । ଗଢିବାର,ଗଢିହେବାର ଆହ୍ବାନ ସବୁବେଳେ ମଣିଷ ମନରେ ଅତୁଟ ,ଅସମାପ୍ତ ହୋଇ ରହିଥାଉ, ନୂଆବର୍ଷରେ ଏଇ କାମନା ।

____________________

 ବନ୍ଧପଡା, ମଦନପୁର, କେନ୍ଦ୍ରାପଡ଼ା,୮୯୧୭୩୭୦୨୨୭

Post a Comment

0 Comments