Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଇଜ୍ଜତ

 


---------- ପ୍ରଦୀପ ନାୟକ


ରାତି ଏଗାର ପାଖାପାଖି । ମୋ ଗାଡିର ହେଡଲାଇଟ୍ ରାସ୍ତାକଡର ଯେଉଁଠି ପଡ଼ିଲା , ସେଠି ଶୋଇଥିଲା ଭିକାରୁଣୀ ମହିଳାଟି । ସ୍ଥାନଟା ବି ଖୁବ୍ ପରିତ୍ୟକ୍ତ । ମହିଳାକୁ ମୁଁ ଜାଣେ । ଆମ ଏଇ ବଜାରରେ ଭିକ ମାଗି ବୁଲେ । ହେଲେ ଦିନରେ ଭିକମାଗି ବୁଲୁଥିବା ଏଇ ମହିଳା ଯେ ରାତିରେ ବଜାରଠୁ ଦୂର ଏମିତି ଏକ ପରିତ୍ୟକ୍ତ ରାସ୍ତାକଡରେ ଶୁଏ,ମୋତେ ଆଶ୍ଚର୍ଯ଼୍ୟ ଲାଗିଲା ।

 

ଗାଡି ବନ୍ଦ କରି ତାକୁ ନିଦରୁ ଉଠେଇଲି । ନିଦରୁ ଉଠୁଉଠୁ ସେ ପ୍ରଥମେ ତା ମୁଣ୍ଡ ପାଖରେ ଥୋଇଥିବା କନା ବୁଜୁଳାକୁ ଓ ଥରେ ମୋ ମୁହଁକୁ ଚାହିଁଲା । 

    ମୁଁ ତାକୁ ପଚାରିଲି - ଏ ବଜାରର ଏତେ ଦୋକାନ,ଅଫିସ ବାରଣ୍ଡା ଥାଉଁ ଥାଉଁ ଏଠି ଶୋଇଛୁ , କ'ଣ ତୋ ଜୀବନକୁ ଟିକେ ଭୟ ନାହିଁ ?


    ସିଏ  ମୋତେ ଚାହିଁଲା ଆଉ ନିସ୍ତରଙ୍ଗ ସ୍ବରରେ ଉତ୍ତର ଦେଲା - ବାବୁ ଯାହା କହିଲ ତା' ତ ସତ।ଏଠି ସାପବେଙ୍ଗର ଭୟ ।ଏଠି ଶୋଇଲେ ଜୀବନର ବି ଭୟ ଅଛି । ହେଲେ ସେଠି ତ ଇଜ୍ଜତର ଭୟ । କେଉଁଠି ଶୋଇଥାନ୍ତି ବାବୁ ?


ଭିକାରୁଣୀ ମହିଳାଟିର ପ୍ରଶ୍ନର ଉତ୍ତର ମୋ ପାଖରେ ନଥିଲା । ମୁଁ ଗାଡ଼ି ଷ୍ଟାଟ କରି ସେଠୁ ଚାଲିଆସିଲି ।

____________________

ବନ୍ଧପଡା, ମଦନପୁର, କେନ୍ଦ୍ରାପଡ଼ା।ଫୋନ:୮୯୧୭୩୭୦୨୨୭

Post a Comment

0 Comments