20/02/2021
Editor by/- Srinibash Rout
ଈଶ୍ୱର ଙ୍କୁ ଖୋଜିବା ପାଇଁ, ତାଙ୍କୁ ପ୍ରାପ୍ତ ହେବା ପାଇଁ ଆମେ ନାନା ପ୍ରକାର ପ୍ରଯତ୍ନ କରିଥାଉ, କିନ୍ତୁ ତାଙ୍କୁ ପାଇନଥାଉ l କୁହାଯାଏ ଯେ ସେ ସର୍ବତ୍ର ବିଦ୍ୟମାନ, ସେ ସବୁ ଜାଗାରେ ଅଛନ୍ତି, କିନ୍ତୁ ସେ ଆମକୁ ଦେଖାଯାଆନ୍ତି ନାହିଁ କାହିଁକି? ତାଙ୍କୁ ଲାଭ କରିବା ପାଇଁ ଧନ, ବୈଭବ, ଜୀବନ ପର୍ଯ୍ୟନ୍ତ ନଷ୍ଟ କରିଦେଉ, କିନ୍ତୁ ସେ ମିଳନ୍ତି ନାହିଁ l ଶେଷରେ ନିରାଶ ହୋଇ କହୁ ଯେ ଈଶ୍ୱର ନାହାନ୍ତି l
ଭାଇ! ଈଶ୍ୱର ଅଛନ୍ତି,କିନ୍ତୁ ତାଙ୍କୁ ଖୋଜିବା ରେ ଆମେ ଭୁଲ କରି ବସୁ l ତୁମେ ତାଙ୍କୁ ଧନ -ବୈଭବ ଦ୍ୱାରା ଲାଭ କରିପାରିବ ନାହିଁ l ଯଦି ତୁମେ ତାଙ୍କୁ ପାଇବାକୁ ଚାହଁ, ତେବେ ପ୍ରେମ କରି ଶିଖ, ପ୍ରାଣୀ ମାତ୍ରଙ୍କ ସହିତ ପ୍ରେମ କର, ଜଡ ଚେତନ ସହିତ ପ୍ରେମ କର, ଆତ୍ମା ସହିତ ପ୍ରେମ କର l ତାଙ୍କୁ ପାଇବା ପାଇଁ ଜଙ୍ଗଳକୁ ଯିବାର, ଧୂନି ଲଗାଇବାର, ଧନ -ବୈଭବ ନଷ୍ଟ କରିବାର କୌଣସି ଆବଶ୍ୟକତା ନାହିଁl ଯଦି ସେ ସର୍ବତ୍ର ବିଦ୍ୟମାନ, ତେବେ ତୁମ ନିକଟରେ ମଧ୍ୟ ଅଛନ୍ତି l ସେ ତୁମ ପାଖରେ ନିଶ୍ଚିତ ଅଛନ୍ତି l କେଉଁଠି ? ତୁମ ଶରୀରରେ, ଯାହାକୁ ତୁମେ ଆତ୍ମା କହ l କ'ଣ ତୁମେ କେବେ ନିଜ ଆତ୍ମା ର ଡାକକୁ ଧ୍ୟାନର ସହିତ ଶୁଣିଛ ? ନାହିଁ l ଏହି କାରଣରୁ ହିଁ ତୁମେ ତାଙ୍କୁ ଖୋଜିଲେ ମଧ୍ୟ ପାଉ ନାହଁ l ବିଚାର କର, ଯେବେ ତୁମେ କିଛି କହୁଛ, ଚାଲୁଛ, କାମ କରୁଛ, ବିଚାର କରୁଛ କିମ୍ବା ସୁକର୍ମ କରିବା ପାଇଁ ପ୍ରେରଣା ପାଉଛ, ତେବେ ତାହା କେଉଁଠାରୁ ଆସେ ଏବଂ ତାହା କିଏ କହିଥାଏ ବା କରିଥାଏ ? ଯେବେ ତୁମେ କାହାକୁ କଷ୍ଟ ଦେବା ପାଇଁ ଚିନ୍ତା କର ଏବଂ ତୁମକୁ ଭିତରରୁ କିଏ ବାଧା ଦେଇ କହେ ଏପରି କର ନାହିଁ, ସେ କିଏ ? ସେ ତୁମ ଭିତରେ ବିଦ୍ୟମାନ ଥିବା ଈଶ୍ୱର l ତାଙ୍କୁ ନିଜ ଭିତରେ ହିଁ ଲାଭ କରାଯାଇପାରେ l
socialnewsodia.info
0 Comments