10/02/2021
ନୂଆଦିଲ୍ଲୀ📍
Editor by/- srinibash Rout
ଘରୋଇ ବଜାରରେ ଅଟୋମୋବାଇଲ କମ୍ପାନୀଗୁଡିକ ସୁରକ୍ଷା ମାନକ(ସେଫ୍ଟି ଷ୍ଟାଣ୍ଡାର୍ଡ) ପ୍ରଦାନରେ ଅବହେଳା କରୁଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏହାକୁ ନେଇ ସରକାର ମଙ୍ଗଳବାର ( ୦୯/୦୨/୨୦୨୧ ) ଚିନ୍ତା ପ୍ରକଟ କରିଛନ୍ତି। ଏଭଳି କାମକୁ ସରକାର ଉତ୍ସାହିତ କରିବେ ନାହିଁ। ଅଟୋମୋବାଇଲ କମ୍ପାନୀଗୁଡିକ ଜାଣିଶୁଣି ଏଭଳି କରୁଥିବାରୁ ଏହାକୁ ବନ୍ଦ କରିବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି।
ଅଟୋ ଶିଳ୍ପ ସଂଘ ସିଆମର ଏକ କାର୍ଯ୍ୟକ୍ରମରେ ସଡ଼କ ପରିବହନ ଏବଂ ରାଜପଥ ସଚିବ ଗିରିଧର ଅରମାନେ କହିଛନ୍ତି, ମାତ୍ର କିଛି ଯାନ ନିର୍ମାତା ଭେହିକିଲ ସେଫ୍ଟି ରେଟିଂ ସିଷ୍ଟମ ବ୍ୟବହାର କରୁଛନ୍ତି। କେବଳ ହାଇଏଣ୍ଡ ମଡେଲଗୁଡିକରେ ଏହା ବ୍ୟବହାର କରାଯାଉଛି। ଦେଶ ମଧ୍ୟରେ ନିରାପତ୍ତା ମାନକକୁ ଜାଣିଶୁଣି ଅଟୋମୋବାଇଲ ନିର୍ମାତା ଉଲ୍ଲଂଘନ କରୁଥିବାରୁ ଏହାକୁ ନେଇ ସେ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହା ବନ୍ଦ ହେବାର ଆବଶ୍ୟକତା ରହିଥିବା ସେ ମତ ପ୍ରକାଶ କରିଛନ୍ତି।
ସେ ପୁଣି କହିଛନ୍ତି, ଯାନ ନିର୍ମାତାମାନେ ସଡ଼କ ନିରାପତ୍ତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସୁରକ୍ଷା ମାନକ ଢିଲା କରି ବିକ୍ରି ବଢାଇବାକୁ ଚାହୁଁଥିବା ଯାନ ନିର୍ମାତାଙ୍କୁ କ୍ଷମା ଦିଆଯିବ ନାହିଁ। ସବୁ ଯାନ ନିର୍ମାତା ସେମାନଙ୍କ ଯାନରେ ନିରାପତ୍ତା ରେଟିଂକୁ ବ୍ୟବହାର କରିବା ଉଚିତ। ଗ୍ରାହକ କ’ଣ କିଣୁଛନ୍ତି ଏବଂ ଏହାଦ୍ୱାରା କ’ଣ ଲାଭ ମିଳିବ ତାହା ମଧ୍ୟ ସେମାନଙ୍କୁ ଜଣାଇବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି। ଏକ ରିପୋର୍ଟ ମୁତାବକ, କମ୍ପାନୀଗୁଡିକ ସମାନ ମଡେଲରେ ରପ୍ତାନି ହେଉଥିବା ଯାନ ତୁଳନାରେ ଭାରତରେ ବିକ୍ରି ହେଉଥିବା ଯାନ କ୍ଷେତ୍ରରେ ମଧ୍ୟ ତାରତମ୍ୟ ରଖୁଛନ୍ତି।
ଦୁର୍ଘଟଣା କମ୍ ହେଲେ ଯାଉଛି ଅଧିକ ଲୋକଙ୍କ ଜୀବନ
୨୦୧୮ରେ ଆମେରିକାରେ ୪୫ ଲକ୍ଷ ସଡ଼କ ଦୁର୍ଘଟଣାରେ ୩୬,୫୬୦ ଜଣ ବ୍ୟକ୍ତି ମୃତ୍ୟୁ ମୁଖରେ ପଡ଼ିଥିଲେ। ଏହି ସମୟରେ ଭାରତରେ ୪.୫ ଲକ୍ଷ ସଡ଼କ ଦୁର୍ଘଟଣାରେ ୧.୫ ଲକ୍ଷ ଲୋକଙ୍କ ଜୀବନ ଚାଲିଯାଇଛି। ଭାରତରେ ଦୁର୍ଘଟଣା ସଂଖ୍ୟା ପ୍ରାୟ ଆମେରିକା ତୁଳନାରେ ୧୦ ଗୁଣରୁ କମ୍ ରହିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ୫ ଗୁଣ ଅଧିକ ରହିଛି। କାର୍ର ଗତି ଏବଂ ରୋଡ୍ ଏତେ ଦ୍ରୁତ ହୋଇ ନ ଥିଲେ ମଧ୍ୟ ଅଧିକ ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି। ଏହାକୁ ଦେଖିଲେ ଭାରତରେ ସୁରକ୍ଷା ସିଷ୍ଟମ ଦୃଢ କଲେ ଏହାର ଲାଭ ଗ୍ରାହକ ପାଇବେ ବୋଲି ସେ ମତ ପ୍ରକାଶ କରିଛନ୍ତି।
SOCIALNEWSODIA.INFO
0 Comments