- - -  -  -  -  -ପ୍ରଦୀପ ନାୟକ


ମନ ଏକ ମନଲୋଭା

   ଜ୍ୟାସ୍ନାଧୂଆ ଫୁଲପକା ରାତି


ଛଳନାକୁ ଛି' କରି

   ରଖିପାରେ ସ୍ବଚ୍ଛ ସ୍ବୀକାରୋକ୍ତି    


   ମନ  ଗଢିପାରେ ଏକ

             ଲହଲହ ଲୋଭନୀୟ ମିଛ

ଗଢିପାରେ ମନ୍ଦିରଟେ

          ସ୍ବପ୍ନଠାରୁ କାହିଁ କେତେ ଉଚ୍ଚ 


ମନ ଜୀଇଁପାରେ ଯେତେ

           ଛଳନାର ଶେଷହୀନ ରାତି

ମନ ପୁଣି ମାରିପାରେ

           ଅସୁମାରୀ ଛଳଛଳ ଛାତି


ମନରେ ଲାଗିଲେ ଡେଣା

‌    ଛୋଟ ପଡେ ଆକାଶର ଛାତି

ମନରେ ଲାଗିଲେ ନିଆଁ

  ଜାଳେ ପୋଡେ ଦିନ ଆଉ ରାତି


ମନକୁ ପଢ଼ିବା ଲାଗି 

  ଲୋଡା ନାହିଁ ଭାଷା ଆଉ ଶବ୍ଦ

ହୃଦୟ ଭାଷାରେ ଗୁନ୍ଥି

ପ୍ରେମ ଆଉ ଆତ୍ମୀୟତା ଭାବ


ମନକୁ ଭାଙ୍ଗିବା ପାଇଁ

ଲୋଡା ନାହିଁ ହାତୁଡି  କି ବୋମା

ଟିକିଏ ସନ୍ଦେହ ଆଉ

ଛଳନାର ଛୋଟଗୋଟେ କମା

*    *    *    *    *    *

ବନ୍ଧପଡା,ମଦନପୁର,କେନ୍ଦ୍ରାପଡା 

ଫୋ : ୮୯୧୭୩୭୦୨୨୭