-------------------ପ୍ରଦୀପ ନାୟକ


ତା' ହାତ ପାପୁଲିରେ ଥିଲା

ଲାଲ୍ ଟହଟହ ଦି'ଟା ବରକୋଳି

ଖୁସି ଥିଲା ତା' ଆଖିରେ

କଣ୍ଟାଗଛ ଚଢି ଲହୁଲହୁ ମୋ

କହୁଣୀ ଲୁଚେଇଥିଲି ଏମିତି

ଯେମିତି ପ୍ରେମଫ୍ରେମ କିଛି ନଥିଲା ସେଦିନ

କିନ୍ତୁ ଚଉଦ ତାରିଖ ଥିଲା ଫେବୃଆରୀର  ।


ଆଉ କାହାକୁ ନଦେଇ ଅଙ୍କଖାତା

ଲୁଚେଇ ଟିପି ଦେବାକୁ କହିଲା ମୋତେ

ନହେଲେ କି ଦେଖନ୍ତା

ଅଙ୍କସାରଙ୍କ ବେତ, ମୋ ପିଠିରେ ଦାଗ

କହିଲା ମୋତେ ଖାଲି ଅଙ୍କ ନୁହଁ

ଆହୁରି କ'ଣ କ'ଣ ଆସେନି

ସେଦିନ ବି ପ୍ରେମଫ୍ରେମ କିଛି ନଥିଲା

କିନ୍ତୁ ଚଉଦ ତାରିଖ ଥିଲା ଫେବୃଆରୀର  ।


କଲେଜ ପିକନିକ୍ ରେ

ସାଙ୍ଗମାନେ ଯିଏ ଯାହା ସାଙ୍ଗକୁ ନେଇ

ଚାଲିଗଲେ ଶିମିଳିପାଳ ସବୁଜ ଭିତରକୁ

କେହି ଦେଖିଲେନି ଆମ ଦୁହିଁଙ୍କ ଛଡ଼ା

ଆଉ କେହି ରହିଗଲେ

ସେଦିନ ବି ପ୍ରେମଫ୍ରେମ ନଥିଲା

କିନ୍ତୁ ଚଉଦ ତାରିଖ ଫେବୃଆରୀ ଥିଲା  ।


ଆମ କାନ୍ଥ କ୍ୟାଲେଣ୍ଡରରେ ଏବେ

 ଦେଖୁଛି ସବୁ ଚଉଦ ତାରିଖ

ହେଲେ ଫେବୃଆରୀ କାଇଁ  !!

ଆଜିବି ପ୍ରେମଫ୍ରେମ କିଛିନାହିଁ ।

_____________________

ବନ୍ଧପଡା,ମଦନପୁର, କେନ୍ଦ୍ରାପଡ଼ା । ଫୋନ: ୮୯୧୭୩୭୦୨୨୭