03-DECEMBER-2022
📌
BY: SRINIBASH ROUT
ଜାଇକା ଜ୍ବାଳାରେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି କଟକ ବାସୀ ।କାରଣ ସ୍ବରେଜ କାମ ଜାରି ରହିଥିବାରୁ ଲୋକେ ବର୍ଷା ଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାଛଡ଼ା ଏହି ପ୍ରକଳ୍ପକୁ ବିତିଲାଣି ୭ ବର୍ଷ ।ହେଲେ ଏଯାବତ୍ ନିଷ୍କର୍ଷ ଦିଗ ସ୍ପଷ୍ଟ ହେଉନଥିଲା ।ହେଲେ ଚଳିତବର୍ଷ ଏହି ପ୍ରକଳ୍ପ କାମ ଶେଷ ନିଶ୍ଚୟ ।ଆସନ୍ତା ଜୁନ ମାସ ଶେଷ ସୁଦ୍ଧା କଟକ ସହର ସମ୍ପୂର୍ଣ୍ଣ ରୂପେ ଜାଇକାମୁକ୍ତ ହେବ ବୋଲି ଜାଇକାର ମୁଖ୍ୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ ହାଡ଼ିବନ୍ଧୁ ବେହେରା କହିଛନ୍ତି। ରବିବାର ୦୨ ତାରିଖ ଚହଟା ସ୍ଥିତ ହୋଟେଲ ପ୍ରମୋଦ ଠାରେ କଟକ ମହାନଗର ନିଗମ(ସିଏମସି) ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟକୁ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିବା ଅବସରରେ ଇଂ ବେହେରା ଏହା କହିଛନ୍ତି। ଉକ୍ତ ବୈଠକରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମସି ପ୍ରଶାସକ ଅନୀଲ କୁମାର ସାମଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସତ୍ୟବ୍ରତ ଛୋଟରାୟ, ଜିଲ୍ଲା କୋଭିଡ ନୋଡାଲ ଅଧିକାରୀ ଉମେଶ ରାୟ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, କଟକ-ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ୱାଳ, ରାଜନ୍ଦ୍ରେ ପ୍ରସାଦ ସିଂ, କଟକ ମହାନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ନାଥ ସାହୁ, ସମ୍ପାଦକ ଭୀକାରି ଦାସ, ଯୁବ ନେତା ଅରିନ୍ଦମ ରାଏ, ସିଏମସିର ଡେପୁଟି କମିଶନର ସଞ୍ଜିବିତା ରାୟ, ସିଟି ଇଞ୍ଜିନିୟର ସୁବାରାଓ ପାତ୍ର, ନିର୍ବାହୀ ଯନ୍ତ୍ରୀ ଦିବ୍ୟରଞ୍ଜନ ତ୍ରିପାଠୀ, ଜିଲ୍ଲା ବିଜେଡି ଉପସଭାପତି ଧର୍ମେଶ ନାୟକ, କଟକ ମହାନଗର ବିଜେଡି ସଭାପତି ମଧୁସୂଦନ ସାହୁ ଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜୀବନ ବିନ୍ଦୁ ସିଟି ସଂଯୋଜକ ରଞ୍ଜନ କୁମାର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ।
୨୦୨୩ ଜାନୁଆରୀ ୧୫ରେ ସରିବ ବକ୍ସ ଡ୍ରେନ୍ ନିର୍ମାଣ ।ବକ୍ସ ଡ୍ରେନର କାର୍ଯ୍ୟର ଅଗ୍ରଗତି ସଂକ୍ରାନ୍ତରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। ସହରର ମୁଖ୍ୟ ନାଳ-୧ ଉପରେ ହେବାକୁ ଥିବା ବକ୍ସ ଡ୍ରେନ କାମକୁ ଦୁଇଟି ଭାଗରେ କରାଯାଇଛି। ଏଥି ନିମନ୍ତେ ପ୍ରାୟ ୪୫୦ କୋଟି ୪୩ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି। ପଟ୍ଟାପୋଲରୁ ବଜ୍ରକବାଟୀ ପର୍ଯ୍ୟନ୍ତ ବକ୍ସ ଡ୍ରେନ ନିର୍ମାଣ ପାଇଁ ୨୧୩ କୋଟି ୧୫ ଲକ୍ଷ ଟଙ୍କା ଏବଂ ବଜ୍ରକବାଟୀରୁ ମାତୃଭବନ ପର୍ଯ୍ୟନ୍ତ ୨୩୭ କୋଟି ୨୮ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଛି। ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଏହା ଆସନ୍ତା ୨୦୨୩ ମସିହା ଜାନୁଆରୀ ମାସ ୧୫ ତାରିଖ ସୁଦ୍ଧା ଶେଷ ହେବ ବୋଲି ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।
ଅଗଷ୍ଟରେ ସରିବ ନେତାଜୀ ବସ୍ ଟର୍ମିନାଲ କାର୍ଯ୍ୟ ।ଖାନନଗର ଠାରେ ଚାଲିଥିବା ନେତାଜୀ ବସ୍ ଟର୍ମିନାଲ କାର୍ଯ୍ୟ ପାଇଁ ପ୍ରାୟ ୧୭ ଏକର ଜମି ଅଧିଗ୍ରହଣ କରାଯିବା ସହ ୮୫ କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳ କରାଯାଇଛି। ଏବେ ଭୂତଳ କାର୍ଯ୍ୟ ଶେଷ ହୋଇଛି। ଆସନ୍ତା ଅଗଷ୍ଟ ଶେଷ ସୁଦ୍ଧା ବସ୍ ଟର୍ମିନାଲର କାର୍ଯ୍ୟ ଶେଷ ହେବ ବୋଲି ସମୀକ୍ଷା ବୈଠକରେ ଓବିସିସିର ଅଧିକାରୀଙ୍କ ସହ ଆଲୋଚନା କରି ମନ୍ତ୍ରୀ ଶ୍ରୀଯୁକ୍ତ ଜେନା କହିଛନ୍ତି। ବସ୍ ଟର୍ମିନାଲ ପ୍ରକଳ୍ପ ପରେ ଅବଶିଷ୍ଟ ୨ ଏକ ଜମିର ସପିଂ କମ୍ପେକ୍ସ କରିବାକୁ ଯୋଜନା ରଖିଛି ନଗର ଉନ୍ନୟନ ବିଭାଗ। ଏହି ବସ ଟର୍ମିନାଲରେ ପ୍ରାୟ ୧୮୦ଟି ବସ୍ ପାର୍କିଂର ବ୍ୟବସ୍ଥା ରହିବ। ସାଧାରଣ ଯାତ୍ରୀବାହୀ ବସ୍ ଏବଂ ମୋ ବସ୍ ନିମନ୍ତେ ସ୍ୱତନ୍ତ୍ର ପ୍ରବେଶ ଏବଂ ପ୍ରସ୍ଥାନ ପଥର ବ୍ୟବସ୍ଥା କରାଯିବ। ଗାଡ଼ି ରକ୍ଷଣାବେକ୍ଷଣ ଏବଂ ମରାମତି ପାଇଁ ବ୍ୟବସ୍ଥା ରହିବ। ଏହି ବସ୍ ଟର୍ମିନାଲ ରେ ଯାତ୍ରୀ ବିଶ୍ରାମାଗାର, ଫୁଡକୋର୍ଟ, ଟିକେଟ କାଉଣ୍ଟର, ଇ-ଯାନ ଚାର୍ଜିଙ୍ଗ ପଏଣ୍ଟ, ଛାତ ଉପରେ ବର୍ଷା ଜଳ ସଂରକ୍ଷଣ ଏବଂ ସୌର ପ୍ୟାନେଲ୍ର ବ୍ୟବସ୍ଥା କରାଯିବା ପାଇଁ ଯୋଜନା ରହିଛି। ହେଲେ ବସଗୁଡିକ କେଉଁ ରୁଟରେ ସହରକୁ ପ୍ରବେଶ କରିବ ତାହା ସ୍ଥିର କରାଯାଇ ନଥିବା ଜଣାପଡ଼ିଛି। ଟ୍ରାଫିକ ପୋଲିସ ଏବଂ ପ୍ରଶାସନର ମିଳିତ ଭାବେ ଏକ ବୈଠକରେ ଏହାର ଚୂଡାନ୍ତ ନିଷ୍ପତ୍ତି ନିଆଯିବ।
www. socialnewsodiaofficial.blogspot.com
0 Comments