28/September/2022
📌
BY: SRINIBASH ROUT
ଆଠଗଡ଼ ବ୍ଲକ୍ ବଳିପୁର ମୌଜାରେ ଥିବା ଏକ ଗୋଚର ଜମିରେ ବିଜୁଳି ଟ୍ରାନ୍ସଫର୍ମର ପ୍ରତିଷ୍ଠା କରାଯିବାକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି ।ଗୋଟିଏ ପଟେ ଚାରଣ ଭୂମି ହ୍ରାସ ପାଇବା ଯୋଗୁଁ ଗୃହପାଳିତ ପଶୁ ଚରିବା ପାଇଁ ସ୍ଥାନାଭାବ ହେଉଥିବାବେଳେ ସେଠାରେ ବେଆଇନ୍ ଭାବେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ପ୍ରତିଷ୍ଠା କରିବା ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି ।ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ ଆଠଗଡ଼ ତହସିଲଦାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଏହାକୁ ସ୍ଥାନାନ୍ତର କରିବାକୁ ଦାବି ହୋଇଛି ।ସୂଚନା ଅନୁଯାୟୀ ଏହି ତହସିଲ୍ ଅନ୍ତର୍ଗତ ବଳିପୁର ମୌଜା ଖାତା ନମ୍ବର ୬୧ ଓ ପ୍ଲଟ୍ ନମ୍ବର୍ ୧୪୬ ଓ ୧୫୨ ରେ ବେଆଇନ୍ ଦଖଲରେ ଥିବା ୩୮ଏକର ଗୋଚର ଜମିରେ ଦୁଇଟା ଟ୍ରାନ୍ସଫର୍ମର ଲାଗିବାକୁ ନେଇ କୁମାରପୁର ଗ୍ରାମପଞ୍ଚାୟତର ଜନସାଧାରଣଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।ଏ ସଂକ୍ରାନ୍ତରେ ତହସିଲଦାରଙ୍କୁ ପ୍ରଦତ୍ତ ସ୍ମାରକପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଏହି ଗୋଚର ଜମି ଆଠଗଡ଼ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ବେଆଇନ୍ ଭାବେ ଦଖଲ କରି ଏକ ଫାର୍ମ ହାଉସ୍ ନିର୍ମାଣ କରିଛନ୍ତି ।ସେହି ଫାର୍ମ ହାଉସକୁ ବିଜୁଳି ସଂଯୋଗ ଦେବାକୁ ଟାଟା ପାୱାର କର୍ତ୍ତୃପକ୍ଷ ନୀତି ନିୟମକୁ ଜଳାଞ୍ଜଳି ଦେଇ ଏହି ବିବାଦୀୟ ଗୋଚର ଜମିରେ ଦୁଇ ଦୁଇଟା ୪୦୧୫ ଟ୍ରାନ୍ସଫର୍ମର ପ୍ରତିଷ୍ଠା କରିଛନ୍ତି ।ତେବେ ସରକାରୀ ଦଳର ଛତ୍ରଛାୟା ତଳେ ଏଭଳି ବେଆଇନ୍ କାର୍ଯ୍ୟ ଚାଲିଥିଲେ ମଧ୍ୟ ଏହାକୁ ପ୍ରଶାସନ ବିରୋଧ କରୁନାହିଁ ।ତେଣୁ ଏହି ପରିପ୍ରେକ୍ଷୀରେ ଯୁବ ସଂଗଠକ ଅଭୟ ବାରିକଙ୍କ ନେତୃତ୍ୱରେ କୁମାରପୁର ଗ୍ରାମପଞ୍ଚାୟତର ବାସିନ୍ଦା ମାନେ ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଏକ ଦାବିପତ୍ର ଆଠଗଡ଼ ଟାଟା ପାୱାରର ନିର୍ବାହୀ ଯନ୍ତ୍ରୀ ପବିତ୍ର କୁମାର ସାହୁଙ୍କୁ ପ୍ରଦାନ କରିଛନ୍ତି ।ଆଗାମୀ ୭ ଦିନ ମଧ୍ୟରେ ତଦନ୍ତ କରି ବିବାଦୀୟ ଜାଗାରୁ ବିଜୁଳି ଟ୍ରାନ୍ସଫର୍ମର ଅପସାରଣ କରାନଗଲେ ଗ୍ରାମବାସୀମାନେ ଆଠଗଡ଼ ଟାଟା ପାୱାର କାର୍ଯ୍ୟାଳୟ ନିକଟରେ ଧାରଣା ଦେବେ ବୋଲି ଚେତାବନୀ ଦିଆଯାଇଛି ।ଦାବି ପତ୍ର ପ୍ରଦାଦ ସମୟରେ ଶ୍ରୀ ବାରିକଙ୍କ ସହ ପ୍ରତିନିଧି ଦଳରେ କବି ସାହୁ, ପ୍ରଦୀପ୍ତ ସାହୁ, ପ୍ରତାପ ନାୟକ, ରବୀନ୍ଦ୍ର ସାହୁ, ସୁନୀଲ ସୁତାର ଓ ଯୁବ ସମାଜ ସେବୀ ସରୋଜ ଦାସ ପ୍ରମୁଖ ସାମିଲ ହୋଇଥିଲେ ।
https://socialnewsodiaofficial.blogspot.com
0 Comments