23-DECEMBER-2021
📌
BY: SRINIBASH ROUT
ମା ମାନଙ୍କ ସଶକ୍ତୀକରଣ ବିନା କୌଣସି ପରିବାର କିମ୍ବା ରାଜ୍ୟ ବା ଦେଶ ଆଗେଇ ପାରିବ ନାହିଁ। ରାଜ୍ୟରେ ମିଶନ ଶକ୍ତି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୨୨ ତାରିଖ ଅପରାହ୍ନରେ ମିଶନ ଶକ୍ତିର ଇ-ମାର୍କେଟିଂ ପାଇଁ ଅନ୍ଲାଇନ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏହାସହିତ ମିଶନ ଶକ୍ତିର ମା ମାନଙ୍କ ଦ୍ବାରା ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ମିଶନ ଶକ୍ତି ବଜାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ କହିଛନ୍ତି ଯେ ମା ମାନଙ୍କ ସଶକ୍ତିକରଣ ବିନା କୌଣସି ରାଜ୍ୟ ବା ଦେଶ କିମ୍ବା ପରିବାର ଆଗେଇ ପାରିବ ନାହିଁ । ଓଡିଶା ମିଶନ ଶକ୍ତି ମା ମାନଙ୍କ ସଶକ୍ତିକରଣ ଦିଗରେ ସବୁବେଳେ ବାଟ ଦେଖାଇ ଚାଲିବ।
୨୦ ବର୍ଷ ତଳେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମ ଏବେ ୭୦ ଲକ୍ଷ ମା’ମାନଙ୍କର ଏକ ବିରାଟ ଆନ୍ଦୋଳନ ହୋଇପାରିଛି।
ମିଶନ ଶକ୍ତି ପାଇଁ ୫୦୦୦ କୋଟି ଟଙ୍କାର କାମ ଦେବା ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ହୋଇଥିବା ବେଳେ ଏବେ ରାଜ୍ୟ ସରକାରଙ୍କ ୨୧ଟି ବିଭାଗ ମିଶନ ଶକ୍ତିକୁ କାମ ଯୋଗାଇ ଦେଉଛନ୍ତି। ମିଶନ ଶକ୍ତିକୁ ଏପର୍ଯ୍ୟନ୍ତ ୬୦୦୦ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି। ଏହି ଋଣ ପାଇଁ ସୁଧ ରିହାତି ବାବଦରେ ୨୦୦ କୋଟି ଟଙ୍କା ଦିଆଯାଇଛି। ଏଥିପାଇଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ବ୍ୟାଙ୍କମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କଥା ନୁହେଁ, କାମରେ ବିଶ୍ବାସ କରନ୍ତି ।ତାଙ୍କର ଦୃଢ ନେତୃତ୍ବ ଯୋଗୁ ମିଶନ ଶକ୍ତି କାର୍ଯ୍ୟକ୍ରମ ଆଜି ଶକ୍ତିଶାଳୀ ହୋଇପାରିଛି ।ଏଥିରେ ସ୍ବାଗତ ଭାଷଣ ଦେଇ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟ ଆଜି ଦିନଟିକୁ ମିଶନ ଶକ୍ତି ପାଇଁ ଏକ ଐତିହାସିକ ଦିନ ଭାବରେ ବର୍ଣ୍ଣନା କରିଛନ୍ତି ଏବଂ ମା ମାନେ ସରକାର ଓ ସମାଜ ମଧ୍ୟରେ ସେତୁବନ୍ଧ ଭାବରେ କାମ କରି ଆନ୍ଦୋଳନକୁ ମଜବୁତ କରିଛନ୍ତି ବୋଲି କହିଛନ୍ତି।
www. socialnewsodiaofficial.blogspot.com
0 Comments