09-September-2022
📌
BY: SRINIBASH ROUT
ଧଉଳି ପାଳିବ ବିଶ୍ୱସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ। ୧୯୭୨ ମସିହାରେ ଧଉଳି ପାହାଡ଼ରେ ପ୍ରତିଷ୍ଠିତ ଶାନ୍ତିସ୍ତୁପ ଏବଂ ବୌଦ୍ଧ ପୁଣ୍ୟପୀଠ ଚଳିତ ବର୍ଷ ୫୦ ବର୍ଷ ପୂରଣ କରୁଛି ।ଏହାକୁ ସ୍ମରଣୀୟ କରିବା ପାଇଁ ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି ।ଏନେଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।ଚଳିତ ମାସ ଶେଷ ସୁଦ୍ଧା ଯେପରି ସଂରକ୍ଷଣ ଓ ସୌନ୍ଦର୍ୟ୍ୟକରଣ ସରିବ ତାହା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ମଞ୍ଚ ପ୍ରସ୍ତୁତି, ସାଜସଜ୍ଜା, ବିଭିନ୍ନ ଦେଶରୁ ଆସୁଥିବା ସନ୍ୟାସୀ ଓ ପ୍ରତିନିଧି ମାନଙ୍କର ଆଗମନ, ରହଣୀ, ଉତ୍ସବରେ ଯୋଗଦାନ, ଆତିଥ୍ୟ ଆଦି ବିଷୟରେ ସବିଶେଷ ଯୋଜନା ଏବଂ ଖର୍ଚ୍ଚ ଆକଳନ କରି ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଦାଖଲ କରିବା ପାଇଁ ସ୍ଥାନୀୟ ଧଉଳି ଉନ୍ନୟନ କମିଟିଙ୍କୁ ପରାମର୍ଶ ଦିଆଯାଇଛି। ଏହି କମିଟି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରିବ। ଧଉଳିରେ ସ୍ଥାପନ କରାଯାଇଥିବା ବିଭିନ୍ନ ପ୍ରକାର ପର୍ଯ୍ୟଟକ ସୁବିଧା କେନ୍ଦ୍ର, ରାସ୍ତା ଆଲୋକ ଆଦିର ରକ୍ଷଣା ବେକ୍ଷଣ ଓ ପରିସରର ପରିଚ୍ଛନ୍ନତା ଆଦି କାର୍ଯ୍ୟ ନିୟମିତ ଭାବେକରିବା ପାଇଁ ଏହି ସ୍ଥାନୀୟ କମିଟିଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ କମିଟି ପ୍ରବେଶ ଟିକେଟ ଓ ପାର୍କିଂ ଟିକେଟ ଆଦିରୁ ସଂଗୃହିତ ରାଶି ବିନିଯୋଗ କରିବେ। ବିଶ୍ୱସ୍ତରୀୟ ଉତ୍ସବକୁ ଯେପରି ସର୍ବୋତମ ଭାବେ ସଫଳ କରାଯାଇପାରିବ ସେଥିଲାଗି ଧ୍ୟାନ ଦେବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।ଶାନ୍ତି ସ୍ତୂପ ଧଉଳି ଓଡ଼ିଶାର ଗରିମା ବହନ କରୁଥିବାବେଳେ ଏଠାକୁ ପ୍ରତିବର୍ଷ ହଜାର ହଜାର ଦର୍ଶକ ଆସିଥାନ୍ତି ।ଚଳିତ ବର୍ଷ ଅକ୍ଟୋବର ୨୮ ତାରିଖ ଦିନ ମୁଖ୍ୟ ଉତ୍ସବ ପାଳନ ନିମନ୍ତେ ସ୍ଥିର ହୋଇଥିଲା। ଏଥିରେ ପୃଥିବୀର ବିଭିନ୍ନ ଦେଶରୁ ପ୍ରାୟ ୧୫୦ ବୌଦ୍ଧ ସନ୍ୟାସୀ ଯୋଗ ଦେବାର ସମ୍ଭାବନା ଅଛି। ମୁଖ୍ୟ ଉତ୍ସବ ଦିନ ଭୁବନେଶ୍ୱରରୁ ଧଉଳି ପର୍ଯ୍ୟନ୍ତ ଏକ ଶାନ୍ତି ଶୋଭାଯାତ୍ରା ଆୟୋଜିତ ହେବ।
ବୈଠକରେ ଉପସ୍ଥିତ ପଦ୍ମବିଭୁଷଣ ସୁଦର୍ଶନ ସାହୁ କହିଥିଲେ ଯେ, “ସଂରକ୍ଷଣ କାର୍ଯ୍ୟ ଦେଖିବା ପାଇଁ ଜାପାନରୁ ଆସିଥିବା ବୈଷୟିକ ଯନ୍ତ୍ରୀମାନେ ଓଡ଼ିଶା ସରକାରଙ୍କ ଦ୍ୱାରା କରାଯାଉଥିବା ଗୁଣାତ୍ମକମାନ କାର୍ଯ୍ୟର ପ୍ରଶଂସା କରିଥିଲେ। ଧଉଳିର ମୁଖ୍ୟ ସନ୍ନ୍ୟାସୀ ମଧ୍ୟ ଏହି କାର୍ଯ୍ୟର ମାନ ଏବଂ ଅଗ୍ରଗତି ବିଷୟରେ ସନ୍ତୋଷ ପ୍ରକାଶ କରିଥିଲେ।
https://socialnewsodiaofficial.blogspot.com



0 Comments