31/12/2020
Editor by/- Srinibash Rout
ବରିଷ୍ଠ ଅଧିକାରୀମାନଙ୍କୁ ନୂଆବର୍ଷ ଉପହାର ସ୍ବରୂପ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ୩୫ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ପଦୋନ୍ନତି ମିଳିଛି। ଏହି ଅଧିକାରୀମାନେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦବୀକୁ ପଦୋନ୍ନତି ପାଇଛନ୍ତି। ତେବେ ପଦୋନ୍ନତି ପାଇଥିବା ସମସ୍ତ ଅଫିସରଙ୍କୁ ନିଜ ନିଜ ସ୍ଥାନରେ କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି। କେତେକ ପଦବୀକୁ ମଧ୍ୟ ଅପଗ୍ରେଡେସନ୍ କରାଯାଇଛି। ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଗୃହ ବିଭାଗ ପ୍ରମୁଖ ସଚିବ ଥିବା ୧୯୯୦ ବ୍ୟାଚ ଆଇଏଏସ୍ ସଞ୍ଜିବ ଚୋପ୍ରାଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ଭାବେ ପଦୋନ୍ନତି ମିଳିଛି। ସେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି।
ସେହିପରି ଏହି କ୍ରମରେ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ବୀର ବିକ୍ରମ ଯାଦବ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବ ବିଶାଳ କୁମାର ଦେବ ପ୍ରମୁଖ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ଓଡ଼ିଶା ଖଣି ନିଗମ ପରିଚାଳନା ନିର୍ଦେଶକ ଆର୍ ଭିନିଲ୍ କ୍ରିଷ୍ଣା, ପଶୁ ସମ୍ପଦ ନିର୍ଦେଶକ ରତ୍ନାକର ରାଉତ, ବିଧାନସଭା ସଚିବ ଦାଶରଥୀ ଶତପଥୀ କମିଶନର ପାହ୍ୟାକୁ ପଦୋନ୍ନତି ଦିଆଯାଇଛି।ସେହିପରି ଗୃହ ବିଭାଗ ଅତିରିକ୍ତ ସଚିବ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଅବକାରୀ କମିଶନର ଅଞ୍ଜନ କୁମାର ମାଣିକ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ବେଣୁଧର ବେହେରା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ସୁରେଶ ଚନ୍ଦ୍ର ଦଳାଇ ଏବଂ ଯୋଜନା ଓ ସଂଯୋଜନା ବିଭାଗ ଅତିରିକ୍ତ ସଚିବ ଦେବେନ୍ଦ୍ର ଜେନାଙ୍କୁ ସୁପରଟାଇମ୍ ସ୍କେଲ୍ ଗ୍ରେଡ୍କୁ ପଦୋନ୍ନତି ଦିଆଯାଇଛି। ସେମାନେ ନିଜ ନିଜ ଦାୟିତ୍ବରେ ପୂର୍ବଭଳି ରହିବେ।
ସିଲେକ୍ସନ୍ ଗ୍ରେଡ୍ ପାହ୍ୟାକୁ ୨୦୦୮ ବ୍ୟାଚର ୧୨ଜଣ ଆଇଏଏସ୍ ପଦୋନ୍ନତି ପାଇଛନ୍ତି। ସେମାନେ ହେଲେ ଭୂପିନ୍ଦର ସିଂ ପୁନିଆ, ଯାମିନୀ ଷଡ଼ଙ୍ଗୀ, ଏମ୍. ମୁଥୁକୁମାର, ବି.ପରମେଶ୍ୱରନ, ଗୁହା ପୁନମ ତାପସ କୁମାର, ମାଗୁଣି ଚରଣ ପାତ୍ର, ବୃନ୍ଦାବନ ବେହେରା, ଧନଞ୍ଜୟ ହେମ୍ବ୍ରମ, ଗଙ୍ଗାଧର ପାତ୍ର, ପବିତ୍ର ମଣ୍ଡଳ, ସୁନୀଲ କୁମାର ନାୟକ ଓ ବଟକୃଷ୍ଣ ଦେହୁରୀ। ସେହିପରି ସିନିୟର ଟାଇମ୍ ସ୍କେଲକୁ ୨୦୧୭ ବ୍ୟାଚର ୪ଜଣ ଆଇଏଏସ ପଦୋନ୍ନତି ପାଇଛନ୍ତି। ସେମାନେ ହେଲେ ବାରିପଦା ସବ୍କଲେକ୍ଟର ପି. ଅନ୍ବେଷା ରେଡ୍ଡୀ, ବାଲେଶ୍ୱର ସବ୍କଲେକ୍ଟର ପାଟିଲ ଆଶିଷ ଈଶ୍ୱର, ଧର୍ମଗଡ଼ ସବ୍କଲେକ୍ଟର ଦିବାକର ଟି.ଏସ୍, ଜୟପୁର ସବ୍କଲେକ୍ଟର ହେମକାନ୍ତ ସାଏ। ସେହିପରି ଗଜପତି ଜିଲ୍ଲାପାଳ ଅନୁପମ ସାହା, ସୁନ୍ଦରଗଡ଼ ଜିଲାପାଳ ନିଖିଲ ପବନ କଲ୍ୟାଣ, ଯୋଜନା ଓ ସଂଯୋଜନ ବିଭାଗ ଡେପୁଟି ସେକ୍ରେଟାରି ମନୀଷ ଅଗ୍ରଓ୍ବାଲ, ମୟୂରଭଞ୍ଜ ଜିଲାପାଳ ଭିନିତ ଭରଦ୍ୱାଜ, ନୟାଗଡ଼ ଜିଲାପାଳ ପୋମା ଟୁଡ଼ୁ, ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ, ଅର୍ଥ ବିଭାଗ ଡେପୁଟି ସେକ୍ରେଟାରି ସିଦ୍ଧାର୍ଥ ଦାସଙ୍କୁ ଜୁନିୟର ଆଡ୍ମିନ୍ଷ୍ଟ୍ରେଟିଭ୍ ଗ୍ରେଡ୍କୁ ପଦୋନ୍ନତି ଦିଆଯାଇଛି।
WWW.SOCIALNEWSODIA.INFO
0 Comments