- - - - - -ପ୍ରଦୀପ ନାୟକ
ଜନନୀ ଜଠରେ ଅମା ଅନ୍ଧକାରେ
ସ୍ବପ୍ନ ମୁଁ ଦେଖେ କେତେ
ଦୁନିଆ ଆଲୋକ ଦେଖିବି ଆଖିରେ
ଖୁସି ମୋର କେତେ ସତେ
ସ୍ବପ୍ନ ନସରୁଣୁ ରାତି ପାହିଯାଏ
ହତ୍ୟା ମୁଁ ହୁଏ ନିତି
ଭାଗ୍ୟରେ ନଥାଏ ଝିଅଟିଏ ହୋଇ
ପାଇବାକୁ ସ୍ନେହ ପ୍ରୀତି. ।
ଫୁଟିବା ଆଗରୁ ଫୁଲଟିଏ ହୋଇ
କଢି ମୁଁ ମଉଳି ଯାଏ
କାହା ଅଭିଶାପେ ଝିଅଜନମ ମୋ
ସବୁ ସ୍ବପ୍ନ ଭାଙ୍ଗିଯାଏ
କଥାରେ କେବଳ କନ୍ୟା ରତନ ମୁଁ
ନିରିମାଖୀ ଭାଗ୍ୟ ମୋର
ଆଜିବି ଅଲୋଡା ବେଙ୍ଗିପିତ୍ତଳ ଯେ
ଦୁନିଆ ପାଇଁ ତ ପର ।
ସୃଷ୍ଟିର ଆଧାରଶୀଳାଟିଏ ମୁଁ
ଭାବ ନାହିଁ ମୋତେ ହୀନ
ସଂସାର ଦେଖିବି,ହସିବି ଖେଳିବି
ମୋର ବି ଅଛି ମନ ।
ପଢିବି ବଢିବି ସୃଷ୍ଟିକୁ ଗଢିବି
ଅଧିକାର ମୋର ଦିଅ
ନିଜ ପ୍ରତିଭାରେ ପ୍ରମାଣ କରିବି
ଅବଳା ଦୁର୍ବଳା ନୁହଁ
* * * * * * *
ବନ୍ଧପଡା,ମଦନପୁର,କେନ୍ଦ୍ରାପଡା
ଫୋ: ୮୯୧୭୩୭୦୨୨୭
0 Comments