22/July/2022
📌
BY: SRINIBASH ROUT
ଠିକାଦାରଙ୍କ ମର୍ଜିରେ ନିଶ୍ଚିନ୍ତକୋଇଲି ବ୍ଳକ୍ ଚିତ୍ରୋତ୍ପଳା ଓ ଲୁଣାନଦୀ ବନ୍ଧର ବାମ ପାଶ୍ୱର୍ ପ୍ରଶସ୍ତିକରଣ କାର୍ଯ୍ୟ ବର୍ଷା ଋତୁରେ ଚାଲିଥିବାର ଅଭିଯୋଗ ହୋଇଛି ।ଅବଧି ୨ବର୍ଷ ହେଲା ଶେଷ ହୋଇଥିଲେ ମଧ୍ୟ ଠିକାଦାର ମନମୂଖି ଭାବେ ମନ୍ଥର ଗତିରେ ଏହି ନିର୍ମାଣ କାର୍ଯ୍ୟ କରୁଥିବା କାରଣରୁ କାର୍ଯ୍ୟ ପୂର୍ଣ୍ଣାଙ୍ଗ ନେଇ ଆଶଙ୍କା ପ୍ରକାଶ ପାଇଛି ।ମାହାଙ୍ଗା ନିର୍ବାଚନ ମଣ୍ଡଳୀ ତଥା ନିଶ୍ଚିନ୍ତକୋଇଲି ବ୍ଳକର କେନ୍ଦୁପାଟଣା ଠାରୁ ଅସୁରେଶ୍ୱର ପର୍ଯ୍ୟନ୍ତ ଚିତ୍ରୋତ୍ପଳା ଓ ଲୁଣାନଦୀର ବାମପାଶ୍ୱର୍ ନଦୀବନ୍ଧରାସ୍ତା ରହିଛି ।ଏହି ରାସ୍ତା ସାଲେପୁର ପୂର୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧିନରେ ରହିଛି ।ଏହି ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ସରକାର ୧୪.୫କୋଟି ଟଙ୍କା ମଞ୍ଜୁର କରିଥିଲେ ।ଓଡିଶାର ଜଣେ ଯାତ୍ରାପାର୍ଟିର ମାଲିକ ଏହି ରାସ୍ତା ନିର୍ମାଣ କରିବା ନିମନ୍ତେ ଟେଣ୍ଡର ନେଇଥିଲେ ।ଗତ ୨୦୧୯ ମସିହାରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଏହି ରାସ୍ତାର ଶିଳାନ୍ୟାସ କରିଥିଲେ ।ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ୨୦୨୦ ମସିହାରେ ଶେଷ ହେବା ନେଇ ଅବଧି ରହିଥିଲା ।ତେବେ ଏହି ରାସ୍ତା ଉପରେ ଗମନା ଗମନ କରିବା ନିମନ୍ତେ କଟକ ସଦର ନିର୍ବାଚନ ମଣ୍ଡଳୀର ଶିର୍ଲୋ, ଇଶାଣୀବରହମପୁର, ମାଣପୁର, ଉତରକୂଳ, ବାବୁଜଙ୍ଗ, ମଣିଜଙ୍ଗ, ମହମ୍ମଦପୁର, ତିଳକଣା , ନେମାଳ, ଜନାର୍ଦ୍ଦନପୁର, ସାନ୍ତପୁର, ପାଳଦା, କଳମିଶ୍ରୀ ସମେତ ମାହାଙ୍ଗା ନିର୍ବାଚନ ମଣ୍ଡଳୀର କେନ୍ଦୁପାଟଣା, କୋଲଣପୁର, ବୁହାଳୋ, ସରପଡା, ବାଲିଆପଦା, କେଂଟାଳୋ, ଅସୁରେଶ୍ୱର କଟରପଡା ପ୍ରଭୃତି ବହୁ ପଂଚାୟତର ଶହ ଶହ ଲୋକ ଗମନା ଗମନ ନିମନ୍ତେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି ।ଏପରିକି ଲୋକେ ନିଶ୍ଚିନ୍ତକୋଇଲି ବ୍ଳକ୍ ତହସିଲ,ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତଥା ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଯିବା ନିମନ୍ତେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି ।ତେବେ ଠିକାଦାର ନିଜ ମର୍ଜିରେ ମନମୂଖି ଭାବେ ଏହି ନିର୍ମାଣ କାର୍ଯ୍ୟ କରୁଥିବାର ଅଭିଯୋଗ ହୋଇଛି ।ଏପରିକି ମନ୍ଥର ଗତିରେ ନିର୍ମାଣ କାର୍ଯ୍ୟ ଚାଲିଥିବା ଯୋଗୁ ଅବଧିର ୨ ବର୍ଷ ପରେ ମଧ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନଥିବାର ଅଭିଯୋଗ ହୋଇଛି ।ସେହିପରି ଭାବେ ରାସ୍ତା ନିର୍ମାଣରେ ଅତ୍ୟନ୍ତ ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରାଯାଉଥିବାରୁ ରାସ୍ତାର ସ୍ଥାୟୀତ୍ୱ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି ।ସେହିପରି ଭାବେ ଜୁନ ୧୪ ସୁଧା ସମସ୍ତ ନଦୀବନ୍ଧ ନିର୍ମାଣ କାର୍ଯ୍ୟ ଶେଷ କରିବା ନିମନ୍ତେ ସରକାରୀ ନିର୍ଦ୍ଦେଶାନାମା ରହିଥିଲା ବେଳେ ଏହି କାର୍ଯ୍ୟରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।ବୁହାଳୋ ଗ୍ରାମପଂଚାୟତର ବରପଡା ନିକଟରେ ଲୁଣାନଦୀର ବାମପାଶ୍ୱର୍କୁ ଠିକାଦାର ଜେସିବି ମେସିନ ଲଗଇ ଖନନ କାର୍ଯ୍ୟ କରୁଥିବା ଯୋଗୁ ନଦୀବନ୍ଧ ପ୍ରତି ବିପଦର ଆଶଙ୍କା ସୃଷ୍ଟି ହୋଇଛି ।ଏଠାରେ ସୂଚନା ଯୋଗ୍ୟ ଯେ ହୀରାକୁଦ ତାର ପ୍ରଥମ ବନ୍ୟାଜଳ ଛାଡିବା ଯୋଗୁ ଲୁଣା ଓ ଚିତ୍ରୋତ୍ପଳା ନଦୀର ଜଳସ୍ତର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।ତେବେ ବର୍ଷା ଋତୁରେ ନଦୀବନ୍ଧ ପାଶ୍ୱର୍ ଖନନ କରାଯାଉଥିବାର ଅଗାମୀ ଦିନରେ ଏଠାରେ ନଦୀରେ ଘାଇ ସୃଷ୍ଟି ହେବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।ସେହିପରି ଭାବେ ଠିକାଦାର ମନମୂଖି ଭାବେ କାମ କରୁଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀ ଏହି କାର୍ଯ୍ୟର ତଦାରଖ କରୁନଥିବାର ଅଭିଯୋଗ ହୋଇଛି ।ସେହିପରି ଭାବେ ରାସ୍ତା ପାଶ୍ୱର୍ରେ ମାଟି ଓ ବାଲି ପଡି ରହିଥିବା ଯୋଗୁ ସ୍ଥାନୀୟ ଲୋକେ ଗମନା ଗମନ କ୍ଷେତ୍ରରେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି ।ଏପରିକି ଜରୁରୀ କାଳୀନ ପରିସ୍ଥିତିରେ ସ୍ଥାନୀୟ ଗ୍ରାମ ଗୁଡିକୁ ଦମକଳ ଗାଡି କିମ୍ବା ଆମ୍ବୁଲାନ୍ସ ଯାଇଆସି ପାରୁନଥିବାର ଅଭିଯୋଗ ହୋଇଛି ।ପ୍ରଶାସନ ତରଫରୁ ତୁରନ୍ତ ଏହି ନଦୀବନ୍ଧ ପ୍ରଶସ୍ତିକରଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରାଯିବା ନିମନ୍ତେ ସାଧାରଣରେ ଦାବି ହୋଇଛି ।ନଚେତ୍ ଆଗାମୀ ଦିନରେ ଲୋକେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚରମ ଚେତାବନୀ ଦେଇଛନ୍ତି ।ଏସମ୍ପର୍କରେ ଆମପ୍ରତିନିଧି ସାଲେପୁର ପୂର୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଶ୍ୟାମସୁନ୍ଦର ଦାଶଙ୍କୁ ପଚାରିବାରୁ କାର୍ଯ୍ୟ ପୂର୍ଣ୍ଣାଙ୍ଗ ନିମନ୍ତେ ସେ ଠିକାଦାରଙ୍କୁ ତାଗିଦ କରିବେ ବୋଲି ମତବ୍ୟକ୍ତ କରିଥିଲେ ।ତେବେ ପୂର୍ତ ବିଭାଗ ଓ ଜଳ ସମ୍ପଦ ବିଭାଗ ମଧ୍ୟରେ ସମନ୍ୱୟ ରହୁନଥିବା କାରଣରୁ ଲୋକେ ଆଗାମୀ ଦିନରେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖିନ ହେବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
https://socialnewsodiaofficial.blogspot.com


0 Comments